ଚେନ୍ନାଇ ୨୩।୩: ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ସହଯୋଗୀ ଦଳଙ୍କ ସହ ଏନଡିଏ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ସୋମବାର ଚେନ୍ନାଇସ୍ଥିତ ଏଆଇଏଡିଏମକେ ମୁଖ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସିଟ୍ ଆବଣ୍ଟନକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଏଆଇଏଡିଏମକେ ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ପାଲାନୀସ୍ୱାମୀ ଓ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ସିଟ ଆବଣ୍ଟନକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।

ବିଜେପି ୨୭ ଆସନରେ ଲଢିବ ନିର୍ବାଚନ
ଆସନ ବୁଝାମଣା ଅନୁସାରେ ଏପ୍ରିଲ ୨୩ରେ ଅନୁଷ୍ଠିତ ହେବାକୁ ଥିବା ୨୩୪ ସଦସୀୟ ବିଧାନସଭା ନିମନ୍ତେ ଏଆଇଏଡିଏମକେ ବିଜେପିକୁ ୨୭ଟି ଆସନ ଦେଇଛି। ସେହିପରି ପିଏମକେକୁ ୧୮ଟି ଆସନ ଦିଆଯାଇଥିବା ବେଳେ ଏଏମଏମକେ କୁ ୧୧ଟି ସିଟ୍ ମିଳିଛି। ବୈଠକରେ ଏଆଇଏଡିଏମକେ ନେତା କେ.ପଲାନୀସ୍ୱାମୀ, କେନ୍ଦ୍ରମନ୍ତ୍ରୀ ତଥା ତାମିଲନାଡୁ ବିଜେପି ନିର୍ବାଚନ ପ୍ରଭାରୀ ପିୟୁଷ ଗୋୟଲ, ରାଜ୍ୟ ବିଜେପି ସଭାପତି ନୈନାର ନାଗେନଥ୍ରନ, ପିଏମକେ ସଭାପତି ଅମ୍ବୁମଣୀ ରାମଦାସ ଓ ଏଏମଏମକେ ସାଧାରଣ ସମ୍ପାଦକ ଟି.ଟି.ଭି. ଦିନାକରଣ ପ୍ରମୁଖ ଉପସ୍ଥିତ ଥିଲେ।

ଶାସକ ମେଣ୍ଟକୁ ଦେଇ ପାରିବେ ମାତ୍
ଏନଡିଏ ନେତାମାନେ ଏହି ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ରାଜ୍ୟରେ ଏନଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଢିବ। ସିଟ୍ ବଣ୍ଟାକୁଣ୍ଟାର ଏହି ଫର୍ମୂଲା ସହିତ ଏଆଇଏଡିଏମକେ ନିଜର ପ୍ରମୁଖ ସହଯୋଗୀଙ୍କୁ ସାଧିବାକୁ ଉଦ୍ୟମ କରିଛି, ଯାହାଦ୍ୱାରା ନିର୍ବାଚନରେ ଶାସକ ମେଣ୍ଟକୁ କଡ଼ା ଟକ୍କର ଦିଆଯାଇ ପାରିବ। ଏହି ସିଟ୍ ସେୟାରିଂ ଫର୍ମୂଲାରେ ବିଜେପି ଖୁସି ଥିବା ନେତା ତମିଲସାଇ ସୌନ୍ଦରରାଜନ କହିଛନ୍ତି। ସେ କହିଛନ୍ତି ଯେ ଆମେ ଏକ ମଜଭୁତ ମେଣ୍ଟ କରିଛୁ। ଆମ ମେଣ୍ଟ ନିର୍ବାଚନରେ ବିଜୟୀ ହେବ।

୨୩୪ରୁ ୨୦୦ ଆସନ ଜିତିବୁ କହିଛନ୍ତି ରାମଦାସ
ସେହିପରି ପିଏମକେ ଅଧ୍ୟକ୍ଷ ଅମ୍ବୁମଣୀ ରାମଦାସ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳାରେ ସବୁଠୁ ବଡ଼ ସମସ୍ୟା। ମହିଳାଙ୍କ ସହିତ ଦୁର୍ବ୍ୟବହାର ରାଜ୍ୟରେ ଏକ ନିୟମିତ ଘଟଣା ପାଲଟିଥିବା ବେଳେ ଆମେ ବିଧାନସଭାର ୨୩୪ ଆସନରୁ ୨୦୦ ସିଟ୍ ଜିତି ନିଶ୍ଚିତ ରାଜ୍ୟରେ ସରକାର ଗଢିବୁ। ସେ କହିଛନ୍ତି ଯେ ଯଦି ରାଜ୍ୟରେ ଗତ ୫ ବର୍ଷରେ ଡିଏମକେ କିଛି କରିଛି ତେବେ ନିର୍ବାଚନ ବେଳକୁ ଏତେ ଦଳଙ୍କ ସହ ମେଣ୍ଟ କାହିଁକି କରୁଛି? ରାମଦାସ କହିଛନ୍ତି ଯେ ଡିଏମକେ ଡରି ଯାଇଛି। ଲୋକେ ତାଙ୍କୁ ପ୍ରଥମେ ୫ ବର୍ଷ ସୁଯୋଗ ଦେଇଥିଲେ। ଏବେ ଲୋକେ ସେମାନଙ୍କୁ ଶାସନରୁ ବେଦଖଲ କରିବାକୁ ଅପେକ୍ଷା କରିଛନ୍ତି।