ନୂଆଦିଲ୍ଲୀ, ୨୯/୧୨: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ତାଙ୍କ ଦାଦା ଶରଦ ପାଓ୍ୱାରଙ୍କ ସହ ମେଣ୍ଟ ପାଇଁ ଘୋଷଣା କରିଛନ୍ତି । ଅଜିତଙ୍କ ଏନସିପି ଏବଂ ଶରଦଙ୍କ ଗୋଷ୍ଠୀ ଏକାଠି ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି । ପିମ୍ପରି ଚିଞ୍ଚଓ୍ୱାଡ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ପାଓ୍ୱାର ପରିବାର ଏକାଠି ହୋଇଛନ୍ତି ।

ରବିବାର ପିମ୍ପରି ଚିଞ୍ଚଓ୍ୱାଡରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ଅଜିତ ଯୋଗ ଦେଇଥିଲେ । ସେ କହିଛନ୍ତି ଯେ, ଦୁଇ ପାଓ୍ୱାର ଏକାଠି ମିଶିବା ଦରକାର । ଏହାଦ୍ୱାରା ଏକତା ରହିବ । ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ବେଳେ ଏନସିପିର ଉଭୟ ଗୋଷ୍ଠୀ ଏକାଠି ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ମହାରାଷ୍ଟ୍ରର ବିକାଶ ସବୁଠୁ ଆଗରେ ବୋଲି ଅଜିତ କହିଛନ୍ତି । ସ୍ଥାନୀୟ ନେତାଙ୍କ ସହ ସିଟ୍ ଭାଗବଣ୍ଟା ନେଇ ଆଲୋଚନା ହୋଇଛି । ସମସ୍ତେ ଘଣ୍ଟା ଏବଂ ଶାହାନାଇ ଏକାଠି ନେଇ ରାଜି ଥିବା ସେ ପ୍ରକାଶ କରିଛନ୍ତି ।

ଅନ୍ୟ ଦିଗରେ ପ୍ରଥମେ ପୁଣେରେ ମଧ୍ୟ ଦୁଇ ପାଓ୍ୱାର ଏକାଠି ଲଢିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଶନିବାର ଶରଦଙ୍କ ଏନସିପି କଂଗ୍ରେସ ନେତୃତ୍ୱାଧିନ ମହାବିକାଶ ଅଘାଡି ସହ ମେଣ୍ଟ କରିବା ନେଇ କଥା ଆରମ୍ଭ କରିଥିଲା । ଉଭୟ ଦଳ ପୁଣେରେ ଏକାଠି ଲଡିପାରନ୍ତି । କିନ୍ତୁ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହାପୂର୍ବରୁ ଶରଦ ପାଓ୍ୱାର ଅଜିତଙ୍କ ସହ ଆଲୋଚନା କରିଥିଲେ ବି ତାହା ବିଫଳ ହୋଇଥିଲା ।

ସେପଟେ ମହାବିକାଶ ଅଘାଡିରେ ଫାଟ ସୃଷ୍ଟି ହୋଇଛି । ଉଦ୍ଧବଙ୍କ ଶିବସେନା ଏବଂ କଂଗ୍ରେସ ପୁଣେର ସିଟ୍ ସେୟାରିଂକୁ ନେଇ ଭାଗବଣ୍ଟା କରିପାରୁ ନାହାଁନ୍ତି । ଏବେ ଶରଦଙ୍କ ଏନସିପି ପୁଣେ ଭୋଟ ପୂର୍ବରୁ ମହା ବିକାଶ ଅଘାଡିରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛି । ଫଳରେ ପ୍ରାର୍ଥୀ ଚୟନ ଜଟିଳ ହେବାରେ ଲାଗିଲାଣି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ୨୯ଟି ମ୍ୟୁନିସିପାଲ କର୍ପୋରେସନରେ ନିର୍ବାଚନ ହେବ । ଯାହା ପାଇଁ ଜାନୁଆରୀ ୧୫ ତାରିଖରେ ଭୋଟ୍ ହେବ । ଜାନୁଆରୀ ୧୬ ତାରିଖରେ ଭୋଟ୍ ଗଣତି ହେବ । ସେହିପରି ଡିସେମ୍ବର ୩୦ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି ।