ଭୁବନେଶ୍ୱର: ରାଜ୍ୟରେ ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜଣେ ମହିଳା ସରପଞ୍ଚଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ଦୁର୍ବ୍ୟବହାର କରାଯିବା ଘଟଣାକୁ ନେଇ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାସହ ମହିଳାମାନଙ୍କ ସ୍ୱର ଚାପିବା ପାଇଁ ଶାସକ ଦଳ ହୀନ ପ୍ରୟାସ କରୁଥିବା ସେ ଅଭିଯୋଗ ଆଣିଛନ୍ତି ।

ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲୋକଙ୍କ ସ୍ୱର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା । ମହାକାଳପଡ଼ା ଅଞ୍ଚଳର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ଯେଭଳି ଅକଥନୀୟ ଅତ୍ୟାଚାର କରାଯାଇଛି, ତାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ । ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ପାଇଁ ବିଜେପି ସରକାର ସବୁ ସ୍ତରରେ ହୀନ ଉଦ୍ୟମ କରୁଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି ।

Also Read: ଭଉଣୀ ଘରକୁ ଭାର ନେଇ ଯିବାବେଳେ ଦୁର୍ଘଟଣା, ବାଇକ୍ ଆରୋହୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଗଲା

ବିଜେପିର 'ନାରୀ ଶକ୍ତି ବନ୍ଦନ' କେବଳ ବଡ଼ ବଡ଼ କଥା ?

ଶାସକ ଦଳକୁ ଟାର୍ଗେଟ୍ କରି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ଯେ, 'ନାରୀ ଶକ୍ତି ବନ୍ଦନ' କହି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ'ଣ ନାରୀଙ୍କ ପ୍ରତି ସମ୍ମାନ? ସେ କହିଛନ୍ତି, "ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ହକ ଓ ଦାବି ଉଠାଇ ଯଦି ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି, ତେବେ ରାଜ୍ୟରେ ଥିବା ଅଗଣିତ ସାଧାରଣ ମହିଳାଙ୍କ ସ୍ଥିତି ଓ ସୁରକ୍ଷା କେତେ ସଂକଟରେ ତାହା ସହଜରେ ଅନୁମେୟ ।"

ବିଜେପି ଶାସନରେ ଆଇନ କ'ଣ ଅଲଗା ଅଲଗା ?

ବିଜେପି ନେତାମାନେ ବାରମ୍ବାର ସରକାରୀ କାର୍ଯ୍ୟାଳୟରେ ପଶି ଅଭାବନୀୟ କାଣ୍ଡ ଘଟାଉଥିବା ନେଇ ସାରା ଓଡ଼ିଶା ଦେଖୁଛି ବୋଲି ନବୀନ କହିଛନ୍ତି । ଏହାସହ ସେ ପ୍ରଶ୍ନ କରିଛନ୍ତି ଯେ, ଏହିସବୁ ଘଟଣାରେ ସଂପୃକ୍ତ ନେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି? ବିଜେପି ଶାସନରେ ସାଧାରଣ ଜନତା ଏବଂ ଦଳୀୟ ନେତାଙ୍କ ପାଇଁ ଆଇନ କ'ଣ ଅଲଗା ଅଲଗା ବୋଲି ସେ ପ୍ରଶ୍ନ କରିଛନ୍ତି ।

Also Read: ପହିଲି ରଜରେ ଚାଲିଗଲା ୨ ଭାଇଙ୍କ ଜୀବନ, ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚୁରମାର

ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୁରନ୍ତ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି । ରାଜ୍ୟରେ ଗଣତନ୍ତ୍ରର ଗରିମା ରକ୍ଷା କରିବା ସହ ମହିଳାଙ୍କ ସ୍ୱାଭିମାନ ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।