ଆଠଗଡ଼ ୧୪।୬: ରଜ ପର୍ବରେ ଦୁର୍ଘଟଣା । ବଡମ୍ବା ଟି-ସେତୁ ଉପରେ ଭୟଙ୍କର ଦୁର୍ଘଟଣା । ଅଟୋ ସହ ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହେଲା । ମୃତ ବାଇକ୍ ଆରୋହୀ ଯୁବକ ଜଣକ ହେଲେ ବଡମ୍ବା ବୃନ୍ଦାବନପୁର ଗ୍ରାମର ଶୁସିଲ କୁମାର ଗୋଛି ଓରଫ ହାପି ଗୋଛି । ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

Also Read:- ଢେପାଗୁଡା ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ତିନିରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ମାନେ ଟି-ସେତୁ ନିକଟରେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ପାଇ ବଡ଼ମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।