ଭୁବନେଶ୍ୱର ୩୦।୧୦: ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ହିଞ୍ଜିଳି ଓ ଶେରଗଡ଼ ସମେତ ସମଗ୍ର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ବିପନ୍ନ ଲୋକଙ୍କ ଉଦ୍ଧାର ଓ ରିଲିଫ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ, ଜିଲ୍ଲପାଳ ବିରୋଧୀଦଳ ନେତାଙ୍କୁ ଅବଗତ କରିଥିଲେ ।

ଅର୍ଣ୍ଣବ ବାତ୍ୟା ଜନିତ ଏହି ଅଭୁତପୂର୍ବ ବନ୍ୟା ଯୋଗୁଁ ଗଞ୍ଜାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ବିପନ୍ନ ଲୋକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ରିଲିଫ ଓ ଅନ୍ୟ ସହାୟତା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।

ଗଞ୍ଜାମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ଗଞ୍ଜାମ ପଠାଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରତାପ ଜେନା, ଟୁକୁନି ସାହୁ, ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଭୃଗୁ ବକ୍ସିପାତ୍ର, ଚିନ୍ମୟ ସାହୁ, ରଂଜିତା ସାହୁ ଓ ସଂଘମିତ୍ରା ଦଳେଇ ଯାଇଛନ୍ତି। ଏହି ପ୍ରତିନିଧି ଦଳ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଗଞ୍ଜାମ ଗସ୍ତ କରି ବିପନ୍ନ ଲୋକଙ୍କୁ ଭେଟିବା ସହ କ୍ଷୟକ୍ଷତି ଆକଳନ କରିବ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବ। ପରେ କମିଟି ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାର ରିପୋର୍ଟ ପ୍ରଦାନ କରିବ ।

Also Read:- ଗଞ୍ଜାମ-ଗଜପତି ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ ଦେଖିଲେ କ୍ଷୟକ୍ଷତି

ସେହିପରି ଲୋକଙ୍କ ଏହି ଦୁଃଖ ସମୟରେ ଲୋକଙ୍କ ସହ ରହିବା ଓ ସେମାନଙ୍କ ସେବା କରିବା ପାଇଁ ନବୀନ ପଟ୍ଟନାୟକ ବିଜେଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

Watch Video:​​​​​​​​​​​​​​