ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଭତ୍ତା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଗତ ୩ ମାସ ହେବ ପ୍ରାୟ ୧୮ ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମିଳିନଥିବା ଅଭିଯୋଗ ଏହି ଚିଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ରାଜ୍ୟର ବୃଦ୍ଧ-ବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି।

ଆହୁରି ମଧ୍ୟ ନବୀନ ପଟ୍ଟନାୟକ ଚିଠିରେ ଦର୍ଶାଇଛନ୍ତି ଯେ, କ୍ରମାଗତ ଭାବେ ୩ ମାସ ଧରି ଭତ୍ତା ବନ୍ଦ ରହିବା ଯୋଗୁ ଗରିବ ଓ ଅସହାୟ ଲୋକେ ଚରମ ଦୁର୍ଦ୍ଦଶା ଓ ଅନାହାର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏପରିକି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ସାବିତ୍ରୀ ଡୋରା ନାମକ ଜଣେ ବୃଦ୍ଧା ଭତ୍ତା ନପାଇ ଜୀବନ ହରାଇଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହାକି ଏକ ଜନକଲ୍ୟାଣକାରୀ ରାଜ୍ୟରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

Also Read: ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ, ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ବସିବ 4G ଟାଓ୍ୱାର

ସଫ୍ଟୱେର ଜନିତ ସମସ୍ୟା ପାଇଁ ଏତେ ବଡ଼ ବିଳମ୍ବ ଘଟିବା ସରକାରଙ୍କ ଚରମ ଅବହେଳା ଓ ଦାୟିତ୍ୱହୀନତାକୁ ଦର୍ଶାଉଛି ବୋଲି କହିଛନ୍ତି ନବୀନ। ବୈଷୟିକ ତ୍ରୁଟି ଆଳରେ ଗରିବ ଲୋକଙ୍କ ଅଧିକାରକୁ ବଳି ଚଢ଼ାଯାଇପାରିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ତେବେ ଏନେଇ ଶାସକ ଦଳର କୌଣସି ନେତାଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ।