ନୂଆଦିଲ୍ଲୀ ୦୭/୦୮: ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭିଡିଓ ପୋଷ୍ଟ କରି ଦେଶବାସୀଙ୍କୁ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ୧୯୦୫, ଅଗଷ୍ଟ ୭ ତାରିଖକୁ କେବେ ଭୁଲି ହେବନି । ଏହି ଦିବସକୁ ଗର୍ବର ସହ ପାଳନ କରିବାକୁ ପ୍ରତିଟି ନାଗରିକଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅପିଲ କରିଚନ୍ତି । ଖାସ୍ କରି ହସ୍ତତନ୍ତ ସାମଗ୍ରୀ କିଣି ଭିଡିଓ ପୋଷ୍ଟ କରିବାକୁ ମୋଦି ଆହ୍ବାନ କରିଥିବା ଭିଡିଓରୁ ଜଣାପଡୁଛି । ବୁଣାକାରଙ୍କ ହାତରେ ବଞ୍ଚିଛି ଭାରତର ପରମ୍ପରା । ୧୯୦୫ ମସିହାରେ ଆଜିର ଦିନରେ କୋଲ୍‌କାତା ଟାଉନ ହଲ୍ରୁ ସ୍ବଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ବଦେଶୀ ଉତ୍ପାଦ ବିଶେଷ କରି ହସ୍ତତନ୍ତ ସମାଗ୍ରୀର ବ୍ୟବହାର କରିବାକୁ ଆହ୍ବାନ ଦିଆଯାଇଥିଲା । ସେହି ଐତିହାସିକ ଘଟଣାକୁ ସ୍ମରଣ କରି ୨୦୧୫ ମସିହାରେ କେନ୍ଦ୍ର ସରକାର ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ ।

 

ରାତି ପାହିବା ମାତ୍ରେ ଘରେ ଶୁଭେ ତନ୍ତର ଖଟ୍... ଖଟ୍...ଶବ୍ଦ । ଘରର ବଡଠାରୁ ଆରମ୍ଭ କରି ସାନ ସମସ୍ତଙ୍କର ପେଶା ଓ ନିଶା ହୋଇଯାଏ ଏହି ତନ୍ତ । ଏହି ଖଟ୍‌ଖଟ୍‌ ଶବ୍ଦରୁ ଆରମ୍ଭ ହୁଏ ଗୋଟିଏ ଶାଢିର କାହାଣୀ। ବରଗଡ଼, ବରପାଲି, ନୂଆପାଟଣା, କଳାହାଣ୍ଡି, କୋଟପାଡ଼ର ଛୋଟ ଛୋଟ ତନ୍ତ୍ର ଘରେ ବୁଣାଯାଉଥିବା ସେହି କାହାଣୀ ଆଜି ଭାରତର ସୀମାଡେଇଁ ବିଶ୍ବ ଫ୍ୟାସନ୍ ମଞ୍ଚରେ ପହଞ୍ଚିଛି। ଏକଦା କେବଳ ପର୍ବପର୍ବାଣୀରେ ଓଡ଼ିଆଙ୍କ ପରିଚୟ ଥିବା ସମ୍ବଲପୁରୀ, ବୋମକେଇ, ଖଣ୍ଡୁଆ, ହାବସ ପୁରୀ, କୋଟପାଡ଼ ବସ୍ତ୍ର ଆଜି ବିଶ୍ବର ଫ୍ୟାସନ୍ପ୍ରେମୀଙ୍କ ଆକର୍ଷଣ ପାଲଟିଛି ।

ଏହାର ପ୍ରଥମ ଉଦାହରଣ ହେଉଛି ଆସନ୍ତା ନଭେମ୍ବରରେ ଲଣ୍ଡନରେ ହେବାକୁ ଥିବା ଇଣ୍ଡିଆ ଫ୍ୟାସନ୍ ଉଇକ୍ ଲଣ୍ଡନ-୨୦୨୬। ଯେଉଁଥିରେ ଯୁବ ଫ୍ୟାସନ୍ ଡିଜାଇନର ସୁଜିତ ମେହେର କଳାହାଣ୍ଡିର ହାବସପୁରୀ ଓ ସମ୍ବଲପୁରୀର ସ୍ୱତନ୍ତ୍ର କଲେକ୍ସନ୍କୁ ଉପସ୍ଥାପନ କରିବେ। ପ୍ରଥମ ଥର ପାଇଁ ଓଡ଼ିଶାର ହାବସପୁରୀ ହସ୍ତତନ୍ତ୍ର ଫ୍ୟାସନ୍ ମଞ୍ଚରେ ପହଞ୍ଚିବ। ମୁଖ୍ୟତଃ ସମ୍ବଲପୁରୀ ପାଟରେ ତିଆରି ହୋଇଥିବା ଲଣ୍ଡନ ଫ୍ୟାସନ୍ ୱିକ୍ରେ ଝଲସିବ ହାବସପୁରୀ ପାଟ । ଲେହେଙ୍ଗା ଏଥିରେ ଉପସ୍ଥାପିତ ହେଉଥିବା ବେଳେ ହାବସପୁରା ଶାଢି ଆକାରରେ ପ୍ରଦର୍ଶିତ ହେବ। ଏହାକୁ ନେଇ ସୁଜିତ କୁହନ୍ତି, ଇଣ୍ଡିଆ ଫ୍ୟାସନ୍ ଉଇକ୍ ଲଣ୍ଡନ ୨୦୨୬ରେ ଆମ ହସ୍ତତନ୍ତ୍ରକୁ ପହଞ୍ଚାଇବାର ଏହା ମୋର ଛୋଟ ପଦକ୍ଷେପ। ହାବସପୁରୀ ଯେମିତି ଲୋପ ହୋଇଯାଇଥିଲା ଏହା ଗୋଟେ ଆଶା ଯୋଗେଇବ ଆମ ଯୁବପିଢିମାନଙ୍କୁ। ଏହା ଦ୍ଵାରା ଆମର ରୋଜଗାର ସୃଷ୍ଟି ହୋଇପାରିବ। ରାଜ୍ୟ ସରକାର ମଧ୍ୟ ଓଡ଼ିଶା ହସ୍ତତନ୍ତ୍ରକୁ ‘ଲୋକାଲ ଟୁ ଗ୍ଲୋବାଲ କରିବାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ମୁଖ୍ୟତଃ ବୁଣାକରମାନଙ୍କୁ ପ୍ରାନ୍ସ, ଜାପନ, ଆମେରିକା, ସିଙ୍ଗାପୁରରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବା, ଇ-କମର୍ସ ସହଯୋଡ଼ିବା ଉପରେ ପ୍ରଧାନ୍ୟ ଦିଆଯାଉଛି।

ଭାରତର ବିଭିନ୍ନ ରାଜ୍ୟ ସମେତ ଦୁବାଇ, ଆମେରିକାର ସାନ୍ଫ୍ରାନ୍ସିସ୍କୋ, ଆତ୍ମଷ୍ଟରତାମ୍, ଲଣ୍ଡନ, ଜେରୁଜେଲମ୍ରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଓଡ଼ିଶା ହସ୍ତତତ୍ତର କାରିଗରା କୌଶଳକୁ ଉପସ୍ଥାପନ କରିଥିବା ବିଶିଷ୍ଟ ଦାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର କହନ୍ତି, ମୁଁ ଦେଶ ବାହାରେ ମୁଖ୍ୟତଃ ଲାଇଭ ଡେମୋନ୍ଷ୍ଟ୍ରେସନ୍ କରିଥାଏ। ଯାହାଦ୍ୱାରା ବିଦେଶର ଲୋକମାନେ ଆମ ହସ୍ତତନ୍ତ୍ର ବିଷୟରେ ଅଧିକ ଜାଣିବାକୁ ପାଆନ୍ତି। ଆମେରିକାରେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଏହି ଅନ୍ତର୍ଜାତୀୟ ଫେଷ୍ଟିଭାଲ ଗୁଡ଼ିକରେ ସାମିଲ ହେବା ଦ୍ଵାରା ଆମ କଳାକାରମାନଙ୍କ ପରିଶ୍ରମ ଓ ଏହାର ମହତ୍ତ୍ଵକୁ ଲୋକମାନେ ବେଶ୍ ଭଲ ଭାବେ ବୁଝୁଛନ୍ତି । ଯାହାଦ୍ୱାରା ବିଦେଶମାନେ ଆମ ଜିନିଷକୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେଥିପାଇଁ ଆଜି ବିଶ୍ଵଦରବାରରେ ଆମ ହସ୍ତତନ୍ତ୍ର ପ୍ରସିଦ୍ଧି ଲାଭକରିପାରୁଛି ଏବଂ ବିକ୍ରି ମଧ୍ୟ ବଢୁଛି।

Also Read:ମେଟାକୁ ବଡ଼ ଝଟକା, କରିଛି ମହାପାପ ! ଗଣିବ ୫ ହଜାର କୋଟି ଟଙ୍କାର ଜରିମନା