କାନପୁର: ଦୀପାବଳିରେ ସ୍ତ୍ରୀଙ୍କ ପାଇଁ ଶାଢୀ କିଣି ଘରକୁ ଫେରୁଥିଲେ। ହେଲେ କିଏ ଜାଣିଥିଲା ଏହା ତାଙ୍କ ଜୀବନର ଶେଷ ଦୀପାବଳି ହେବ। ଦ୍ରୁତ ବେଗରେ ଆସୁଥିବା ଏକ ଥାର ସ୍କୁଟି ଚଳାଉଥିବା ୫୫ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଚଢିଗଲା। ଆଉ ଦୁର୍ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା। ଧକ୍କା ଏତେ ଜୋର୍ ଥିଲା ଯେ, ଥାର ନିୟନ୍ତ୍ରଣ ହରାଇ ଏକ ବିଲ୍ଡିଂର ପାଚେରୀ ଭାଙ୍ଗି ବଗିଚା ଭିତରେ ପଶିଗଲା। ଏହି ଘଟଣା ଉତ୍ତର ପ୍ରଦେଶର କାନପୁରରେ ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଥାରରେ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଥିଲେ।  ଜଣେ ମହିଳା ହିଁ ଥାର ଚଲାଉଥିଲେ। ଲାଗୁଥିଲା ମହିଳା ଜଣକ ନୂଆ ନୂଆ ଗାଡ଼ି ଚଲାଇବା ଶିଖିଛନ୍ତି। ମୃତକ ହେଉଛନ୍ତି ସନ୍ତୋଷ ସିଂ ଚୌହାନ ଏବଂ କାନପୁରର ଆବାସ ବିକାଶ-୩ର ବାସିନ୍ଦା। ଶନିବାର ରାତି ପ୍ରାୟ ୭ଟା ୩୦ରେ ସେ ସ୍କୁଟିରେ ଘରୁ ବାହାରିଥିଲେ।

Also Read: କଥା ଦେଇଥାନ୍ତା ପ୍ରେମିକ, ସାକ୍ଷୀ ରହିଥାନ୍ତା ଝରଣା... ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ  

ଶାଢୀ କିଣି ଘରକୁ ଫେରୁଥିଲେ

ତାଙ୍କ ପୁଅ ରାହୁଲ ଚୌହାନ କହିଛନ୍ତି, ବାପା ମାଆଙ୍କ ପାଇଁ ଶାଢୀ କିଣି ଘରକୁ ଫେରୁଥିଲେ। ହେଲେ କିଛି ସମୟ ପରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଲା। ଦୁର୍ଘଟଣା ଘରଠୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଥାର ବହୁତ ଦ୍ରୁତ ଗତିରେ ଆସୁଥିଲା। ସ୍କୁଟିକୁ ଜୋରଦାର ଧକ୍କା ଦେଇ ଥାରଟି ପ୍ରଫେସର କୈଳାଶ ଚୌହାନଙ୍କ ବିଲ୍ଡିଂର ପାଚେରୀ ଭାଙ୍ଗି ବଗିଚା ଭିତରକୁ ପଶିଗଲା। ପୁଣି ଆଉ ଏକ ଘରର କାନ୍ଥକୁ ବି ଧକ୍କା ଦେଇଥିଲା। ବିକଟାଳ ଶବ୍ଦ ଶୁଣି ପ୍ରଫେସର ଚୌହାନ ଘରୁ ବାହାରି ଆସିଲେ।

ସେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଏସୟୁଭି ଥାରରେ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଥିଲେ। ଗାଡ଼ି ଜଣେ ମହିଳା ଚଲାଉଥିଲେ। ଦୁର୍ଘଟଣାରେ ସ୍କୁଟିରେ ଘରକୁ ଫେରୁଥିବା ସନ୍ତୋଷ ସିଂ ଚୌହାନଙ୍କ ମୃତ୍ୟୁ ଘଟି ସାରିଥିଲା। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଦୁର୍ଘଟଣା ପରେ ତିନି ଜଣ କ୍ଷତିଗ୍ରସ୍ତ ଥାରରୁ ବାହାରିଥିଲେ। ସେଠାରେ ରହିବା ପରିବର୍ତ୍ତେ କିଛି ସମୟ ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ଅନ୍ୟ କାରରେ ବସି ଫେରାର ହୋଇଗଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୋଲିସ ଫେରାର ଲୋକଙ୍କ ସନ୍ଧାନରେ ଜୁଟି ଯାଇଛି।

Also Read: E20 ନା ଏହା 420, ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍, କହିଲେ- କମ୍ପାନି ଉପରେ କେବେ ଆକ୍ସନ ନେବେ ମୋଦୀ

ନମ୍ବର ପ୍ଲେଟରୁ ଜଣା ପଡ଼ିଲା ଥାର ମାଲିକର ଠିକଣା

ପୋଲିସ ଦୁର୍ଘଟଣାଗ୍ରସ୍ତ ଥାରର ନମ୍ବର ପ୍ଲେଟରୁ ଗାଡ଼ି ମାଲିକର ନାଁ ଏବଂ ଠିକଣା ଜାଣିବାକୁ ପାଇଛି। ଗାଡ଼ିଟି କୃଷ୍ଣ କୁମାରଙ୍କ ନାଁରେ ପଞ୍ଜୀକୃତ ରହିଥିବା ବେଳେ ଠିକଣା ବାହାଦୂର ନଗର ରହିଛି। ପୋଲିସ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି। ଦୁର୍ଘଟଣା ସମୟରେ ଏସୟୁଭି କିଏ ଚଲାଉଥିଲା ଏବଂ ଗାଡ଼ିରେ ଥିବା ଅନ୍ୟ ଲୋକେ କିଏ ତାର ତଦନ୍ତ କରୁଛି ପୋଲିସ। ବିଶେଷ କରି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ମଧ୍ୟ ପୋଲିସ ରେକର୍ଡ କରିଛି।

ସିସିଟିଭି ଫୁଟେଜର ଯାଞ୍ଚ

ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରୁଛି। ଏହା ଜରିଆରେ ତିନି ଜଣଙ୍କୁ ଚିହ୍ନଟ କରିବା ସହିତ ଅନ୍ୟ କାରର ମଧ୍ୟ ସନ୍ଧାନ କରିବାକୁ ଚେଷ୍ଟା କରାଯାଉଛି, ଯେଉଁଥିରେ ବସି ଫେରାର ମାରିଥିଲେ। ପୋଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ, ଅନ୍ୟ କାରଟି କେଉଁ ରାସ୍ତାରେ ଆସି କେଉଁ ଦିଗକୁ ଗଲା।