ୱାସିଂଟନ : ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ ନାସାଙ୍କ ଆର୍ଟିମିସ-୨ ମିସନ ଇତିହାସ ରଚିଛି। ଚନ୍ଦ୍ର ପରିକ୍ରମା କରୁଥିବା ମହାକାଶଚାରୀମାନେ ‘ଓରିଏଣ୍ଟଲ ବେସିନ’ର ଏକ ଖୁବ ସୁନ୍ଦର ଛବି ପଠାଇଛନ୍ତି। ଏହା ପ୍ରଥମ ଥର ଯେତେବେଳେ ମଣିଷ ନିଜ ଆଖିରେ ଚନ୍ଦ୍ର ସେହି ଅଦୃଶ୍ୟ ଭାଗକୁ ଏତେ ପାଖରୁ ଓ ପୁରା ପୁରି ଦେଖିବାକୁ ଯାଉଛି। ଏହି ମିସନରେ ୪ ଜଣ ଦୁଃସାହାସୀ ଯାତ୍ରୀ ସାମିଲ ଅଛନ୍ତି, ଯେଉଁମାନେ ଦୀର୍ଘ ଦଶନ୍ଧୀ ପରେ ଚନ୍ଦ୍ର ଆଡକୁ ଅଗ୍ରସର ହେଉଛନ୍ତି। ସେମାନଙ୍କ ଏହି ଯାତ୍ରା ନା କେବଳ ବିଜ୍ଞାନ ପାଇଁ ବରଂ ପୁରା ମାନବ ସଭ୍ୟତା ପାଇଁ ଏକ ବଡ଼ ଉପଲବ୍ଧି।

ନାସା ଆର୍ଟିମିସ୍ ୨ ମିସନ
୧୯୭୨ ମସିହାର ଆପଲୋ ମିସନ ପରେ ମଣିଷ ପ୍ରଥମ ଥର ଆର୍ଟିମିସ ୨ ମିସନ ମାଧ୍ୟମରେ ଚନ୍ଦ୍ରର ଏତେ ନିକଟରେ ପହଞ୍ଚିଛି। ଏହି ମିସନରେ ୪ ଜଣ ମହାକାଶଚାରୀ ଜେରେମୀ ହେନସନ, ଭିକ୍ଟର ଗ୍ଲୋଭର, ରିଡ ୱାଇସମ୍ୟାନ ଓ କ୍ରିଷ୍ଟିନା କୋଚ୍ ଓରିୟନ ସ୍ପେସ୍ କ୍ରାଫ୍ଚରେ ଯାତ୍ରା କରୁଛନ୍ତି। ସେମାନଙ୍କ ଏହି ଯାତ୍ରା ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ। ଏହି ମିସନ ଏହା ସାବ୍ୟସ୍ତ କରୁଛି ଯେ ଆମେ ଅନ୍ତରୀକ୍ଷର ଗଭୀରତାକୁ ବୁଝିବା ଲାଗି ଏବେ ପୂର୍ବାପେକ୍ଷା ଅଧିକ ସକ୍ଷମ।

ଇତିହାସ ରଚିଛି ମହାକାଶଚାରୀଙ୍କ ଟିମ୍
ଏହି ମିସନ କେବଳ ଦୂରତା ଅତିକ୍ରମ ପାଇଁ ନୁହେଁ ବରଂ ଏକ ପରିବର୍ତ୍ତନର ପ୍ରତୀକ। କ୍ରିଷ୍ଟିନା କୋଚ୍ ଚନ୍ଦ୍ର ଯାତ୍ରାରେ ଯାଇଥିବା ପ୍ରଥମ ମହାକାଶଯାତ୍ରୀ। ସେହିପରି ଭିକ୍ଟର ଗ୍ଲୋଭର ଚନ୍ଦ୍ର ଯାତ୍ରାରେ ପ୍ରଥମ ଅଶ୍ୱେତ ଯାତ୍ରୀ ପାଲଟିଛନ୍ତି। ଏହି ଟିମ୍ ଏବେ ବିଶ୍ୱକୁ ବାର୍ତ୍ତା ଦେଉଛନ୍ତି ଯେ ମହାକାଶ ଏବେ ସମସ୍ତଙ୍କ ଲାଗି ଉନ୍ମୁକ୍ତ । ସେମାନଙ୍କ ଏହି ଦୁଃସାହାସ ଓ ଉଦ୍ୟମ ଆଗାମୀ ପିଢୀର ବୈଜ୍ଞାନିକ ଓ ଯୁବପିଢୀଙ୍କ ଲାଗି ଏକ ବଡ଼ ପ୍ରେରଣା ହେବ।

ଚନ୍ଦ୍ରର ସେହି ଅଦେଖା ଅଞ୍ଚଳ
ଏହି ମିସନର ମୁଖ୍ୟ ଉଦ୍ଦେଶ୍ୟ ଚନ୍ଦ୍ରର ସେହି ଦୂରନ୍ତ ଅଞ୍ଚଳ (ଫାର ସାଇଡ)ର ଛବି ନେବା ଓ ତାକୁ ସେୟାର କରିବା, ଯାହା ଆମକୁ ପୃଥିବୀରୁ ଦେଖା ଯାଏନି। ଓରିୟନ ସ୍ପେସ୍ କ୍ରାଫ୍ଟ ପୃଥିବୀରୁ ପାଖାପାଖି ୪ ଲକ୍ଷ କିଲୋମିଟର ଦୂରକୁ ଯିବ, ଯାହା ମାନବ ଉଡାଣର ଏକ ନୂଆ ରେକର୍ଡ ହେବ। ବୈଜ୍ଞାନିକଙ୍କ ଅନୁସାରେ ଚନ୍ଦ୍ରର ଏହି ଅଦେଖା ଅଞ୍ଚଳକୁ ଦେଖି ଆମକୁ ବ୍ରହ୍ମାଣ୍ଡର ଅନେକ ପୁରୁଣା ରହସ୍ୟର ସମାଧାନ କରିବାରେ ସହାୟତା ମିଳିବ।

ପୃଥିବୀକୁ ଫେରିବା ଲାଗି ପ୍ରସ୍ତୁତି
ପାଖାପାଖି ୧୦ ଦିନର ଏହି ଐତିହାସିକ ଯାତ୍ରା ପରେ ମହାକାଶ ଯାତ୍ରୀ ପୃଥିବୀକୁ ଫେରିବେ। ସେମାନଙ୍କ ଯାନ ଏପ୍ରିଲ ୧୦ ତାରିଖ ଦିନ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଅବତରଣ କରିବ। ହେଲେ ଏହି ଯାତ୍ରାକାଳରେ ମହାକାଶଚାରୀମାନେ ଚନ୍ଦ୍ରରେ ଅବତରଣ କରିବେନି, କିନ୍ତୁ ଏହି ମିସନ ଭବିଷ୍ୟତରେ ଚନ୍ଦ୍ରରେ ବସତି ସ୍ଥାପନା ଓ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାର ମୂଳଦୁଆ ପକାଇ ପାରେ। ଏହି ଯାତ୍ରା ସମାପ୍ତ ହେବା ପରେ ବି ବିଜ୍ଞାନ ଦୁନିଆରେ ନୂଆ ଚର୍ଚ୍ଚା ଓ ଆବିଷ୍କାରକୁ ଜନ୍ମ ଦେଇ ଚାଲିବ।