ମୁମ୍ବାଇ : ୨୦୧୮ ମସିହାରେ ଭାରତରେ MeToo ଆନ୍ଦୋଳନ ଜୋରଦାର ହୋଇଥିଲା। ଏହି ଆନ୍ଦୋଳନ ସମୟରେ ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତର "ସଂସ୍କାରୀ ବାପା " ଭାବେ ପରିଚିତ ବରିଷ୍ଠ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ମଧ୍ୟ ଯୌନ ଉତ୍ପୀଡନର ଗୁରୁତର ଅଭିଯୋଗ ଆସିଥିଲା। ଏମିତି ଅଭିଯୋଗ ଆଣିଥିଲେ, ଟିଭିର ଲୋକପ୍ରିୟ ନିର୍ମାତା ବିନୀତା ନନ୍ଦା ଏବଂ ଅଭିନେତ୍ରୀ ନବନୀତ ନିଶାନ। ଏହା ପରେ ୨୧ ନଭେମ୍ବର ୨୦୧୮ରେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୧୯ ଜାନୁଆରୀରେ ତାଙ୍କୁ ଜାମିନ ମିଳିଥିଲା। ଜେଲରୁ ବାହାରିବା ପରେ ଆଲୋକ ନାଥ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ ଏବଂ ମାନହାନି ମାମଲା ମଧ୍ୟ ରୁଜୁ କରିଥିଲେ।

ଏହି ଘଟଣା ପରେ ତାଙ୍କ ଦୀର୍ଘଦିନର ଅଭିନୟ ଜୀବନ ଉପରେ ବଡ଼ ପ୍ରଭାବ ପଡ଼ିଥିଲା। ଆଲୋକନାଥ ଅଭିନୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇଯାଇଛନ୍ତି। ଏବେ ସେ ସାର୍ବଜନୀନ ଜୀବନରେ ଖୁବ କମ୍ ଦେଖାଯାଆନ୍ତି ଏବଂ ଗଣମାଧ୍ୟମରୁ ମଧ୍ୟ ଦୂରରେ ରହୁଛନ୍ତି। ତାଙ୍କ ବିଷୟରେ ସମୟ ସମୟରେ ସହକଳାକାରମାନେ ନିଜ ଅନୁଭବ ସେୟାର କରିଥାନ୍ତି।

ନିକଟରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀ ଏକ ପଡକାଷ୍ଟରେ ମିଟୁ ଆନ୍ଦୋଳନ ଓ ଆଲୋକ ନାଥଙ୍କ ବିଷୟରେ ନିଜ ମତ ରଖିଛନ୍ତି। ସେ କହିଥିଲେ ଯେ ୨୦୧୮ରେ ଯେତେବେଳେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେତେବେଳେ ସମସ୍ତେ ଏହାକୁ ନେଇ ଆଲୋଚନା କରୁଥିଲେ। କିନ୍ତୁ ବର୍ତ୍ତମାନ ସେହି ଆନ୍ଦୋଳନର ପ୍ରଭାବ ପ୍ରାୟ ଦେଖାଯାଉନାହିଁ। ତାଙ୍କ କହିବା ଅନୁସାରେ, ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଲାଗିଥିଲା, ସେମାନେ ପୁଣି ନିଜ କାମ ଆରମ୍ଭ କରିଛନ୍ତି। କିନ୍ତୁ ଅନେକଙ୍କ କ୍ଷେତ୍ରରେ ନା ଅଭିଯୋଗ ସାବ୍ୟସ୍ତ ହୋଇଛି, ନା କାହାକୁ ଆଇନଗତ ଭାବେ ଦୋଷମୁକ୍ତ ଘୋଷଣା କରାଯାଇଛି। ତାଙ୍କ ମତରେ, ଏହା ଏକ ଲହରୀ ପରି ଆସିଥିଲା ଏବଂ ପରେ ଶାନ୍ତ ହୋଇଯାଇଛି।

Also Read- Aamir Khan: ଦାରିଦ୍ର୍ୟରେ ବଞ୍ଚୁଛନ୍ତି ଅମୀରଙ୍କ ସାବତ ଭାଇ, ବୁଲି ବୁଲି ମାଗୁଛନ୍ତି ଖାଇବା; ପୂର୍ବତନ ପତ୍ନୀ କଲେ ଖୁଲାସା

ଆଲୋକ ନାଥଙ୍କ ସହ କାମ କରିବାର ଅନୁଭବ ବିଷୟରେ ନାରାୟଣୀ ଶାସ୍ତ୍ରୀ କହିଥିଲେ ଯେ, ସେ ପ୍ରାୟ ସାଢ଼େ ଚାରି ବର୍ଷ ଧରି ତାଙ୍କ ସହ ଏକ ଧାରାବାହିକରେ କାମ କରିଥିଲେ। ସେହି ସମୟରେ ଆଲୋକ ନାଥ ସବୁବେଳେ ସମ୍ମାନପୂର୍ଣ୍ଣ ବ୍ୟବହାର କରୁଥିଲେ ଏବଂ କେବେ ମଧ୍ୟ ତାଙ୍କ ସହ କିମ୍ବା ଅନ୍ୟ କୌଣସି ମହିଳା ସହକର୍ମୀଙ୍କ ସହ ଅସଦାଚରଣ କରିଥିବା ସେ ଦେଖିନଥିଲେ। ନାରାୟଣୀ ଆହୁରି କହିଥିଲେ ଯେ ଆଲୋକ ନାଥ ମଦ୍ୟପାନ କରୁଥିଲେ ଏବଂ କେବେ କେବେ ଅଧିକ ପରିମାଣରେ ମଧ୍ୟ ପିଉଥିଲେ। କିନ୍ତୁ ମଦ୍ୟପାନ ପରେ ମଧ୍ୟ ସେ ସହକର୍ମୀମାନଙ୍କ ସହ ସମ୍ମାନପୂର୍ଣ୍ଣ ବ୍ୟବହାର କରୁଥିଲେ। ନାରାୟଣୀ ଶାସ୍ତ୍ରୀଙ୍କ ଏହି ମତାମତ ସାମାଜିକ ମାଧ୍ୟମରେ ନୂଆ ଚର୍ଚ୍ଚାର ସୃଷ୍ଟି କରିଛି। ତଥାପି, ଏ କଥା ବି କୁହାଯାଉଛି ଯେ, ଏହା ତାଙ୍କର ବ୍ୟକ୍ତିଗତ ଅନୁଭବ ଓ ମତାମତ।