ନୂଆଦିଲ୍ଲୀ: ଟାଟା ସନ୍ସ ବୋର୍ଡର ବଡ଼ ନିଷ୍ପତ୍ତି । ଗ୍ରୁପ ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳକୁ ୨୦୩୨ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗୁରୁବାର ଅନୁଷ୍ଠିତ ଟାଟା ସନ୍ସ ଲିମିଟେଡର ବୋର୍ଡ ବୈଠକରେ ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ ମିଳିଛି । ଏହା ସହିତ କମ୍ପାନୀର ସେୟାର ମାର୍କେଟରେ ଲିଷ୍ଟିଂ ଅର୍ଥାତ୍ ଆଇପିଓ (IPO) ଆଣିବା ପ୍ରକ୍ରିୟାକୁ ମଧ୍ୟ ସବୁଜ ସଙ୍କେତ ଦିଆଯାଇଛି ।

ବର୍ତ୍ତମାନ ଚନ୍ଦ୍ରଶେଖରନଙ୍କ ଦ୍ଵିତୀୟ କାର୍ଯ୍ୟକାଳ ଚାଲିଥିବା ବେଳେ ସେ ୨୦୨୭ ଫେବୃଆରୀରେ ଅବସର ନେବାର ଥିଲା। କିନ୍ତୁ ଗତ ଅଗଷ୍ଟ ୧୨ ତାରିଖରେ ନୋଏଲ ଟାଟାଙ୍କ ସହ ମତଭେଦ ଏବଂ ଟ୍ରଷ୍ଟ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳ ବଢ଼ାଇବା ନିଷ୍ପତ୍ତିକୁ ଏବେ ଆଗାମୀ ବାର୍ଷିକ ସାଧାରଣ ସଭା (AGM)ରେ ମଞ୍ଜୁରୀ ମିଳିବା ବାକି ଅଛି। ଟାଟା ଟ୍ରଷ୍ଟର ବୋର୍ଡ ସଦସ୍ୟ ନୋଏଲ ଟାଟା ଏହି ନିଷ୍ପତ୍ତିର ବିରୋଧ କରୁଥିବା ବେଳେ ବେଣୁ ଶ୍ରୀନିବାସନ ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତିକୁ ସମର୍ଥନ ଜଣାଇଛନ୍ତି।

ଇତିହାସ ରଚିଲା ଟାଟା ଗ୍ରୁପ୍

ଟାଟା ଗ୍ରୁପ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଗ୍ରୁପ୍ ଏକଜିକ୍ୟୁଟିଭ୍ ନିଜର ୬୫ ବର୍ଷର ନିର୍ଦ୍ଧାରିତ ଅବସର ବୟସ ସୀମା ପରେ ମଧ୍ୟ ପଦବୀରେ ରହିବେ। କମ୍ପାନୀର ନିୟମ ଅନୁଯାୟୀ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ୬୫ ବର୍ଷରେ ଅବସର ନିଅନ୍ତି। ଚନ୍ଦ୍ରଶେଖରନଙ୍କୁ ବର୍ତ୍ତମାନ ୬୩ ବର୍ଷ ବୟସ ହୋଇଥିବା ବେଳେ ୨୦୩୨ରେ ତାଙ୍କ କାର୍ଯ୍ୟକାଳ ଶେଷ ବେଳକୁ ସେ ୭୦ ବର୍ଷର ହୋଇଥିବେ। ସେ ୧୯୮୭ ମସିହାରେ ଟିସିଏସ (TCS)ରେ ଜଣେ ଇଣ୍ଟର୍ଣ୍ଣ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୨୦୧୭ରେ ଟାଟା ସନ୍ସର ଚେୟାରମ୍ୟାନ ଦାୟିତ୍ଵ ଗ୍ରହଣ କରିଥିଲେ।

ଚନ୍ଦ୍ରଶେଖରନଙ୍କ ନେତୃତ୍ୱରେ ବଢ଼ିଛି ଗ୍ରୁପର ସାମ୍ରାଜ୍ୟ

୨୦୧୭ରେ ପଦ ସମ୍ଭାଳିବା ପରେ ଚନ୍ଦ୍ରଶେଖରନ ଟାଟା ଗ୍ରୁପକୁ ଆଭିଏସନ, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକଚରିଂ, ବ୍ୟାଟେରୀ ଏବଂ ଡିଜିଟାଲ ବିଜନେସ ଭଳି ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗ୍ରୁପର ଆର୍ଥିକ ସ୍ଥିତି ବହୁତ ମଜବୁତ ହୋଇଛି।

ଆର୍ଥିକ ବର୍ଷ ୨୦୨୦ରେ ଗ୍ରୁପର ରାଜସ୍ୱ ୭.୮୯ ଲକ୍ଷ କୋଟି ଟଙ୍କା ଥିବା ବେଳେ ଆର୍ଥିକ ବର୍ଷ ୨୦୨୬ରେ ଏହା ବୃଦ୍ଧି ପାଇ ୧୬.୨୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି କମ୍ପାନୀର ଶୁଦ୍ଧ ଲାଭ ୩୨,୦୦୦ କୋଟି ଟଙ୍କାରୁ ବଢ଼ି ୧.୭୧ ଲକ୍ଷ କୋଟି ଟଙ୍କା ହୋଇଛି।

ଟାଟା ଗ୍ରୁପର ଲିଷ୍ଟେଡ୍ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୨୦୨୦ରେ ୯.୩୧ ଲକ୍ଷ କୋଟି ଥିବା ବେଳେ ୨୦୨୬ ସୁଦ୍ଧା ୨୪.୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

Also Read: ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇବ ଭାରତ... ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଦାବି

୩ ବର୍ଷ ମଧ୍ୟରେ ଆଣିବାକୁ ହେବ ଆଇପିଓ (IPO)

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ନିୟମ ଅନୁଯାୟୀ ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ 'ଟାଟା ସନ୍ସ'କୁ ଆଗାମୀ ୩ ବର୍ଷ ମଧ୍ୟରେ ସେୟାର ବଜାରରେ ଲିଷ୍ଟ ହେବାକୁ ପଡ଼ିବ। କମ୍ପାନୀ ନିଜକୁ ଏନବିଏଫସି (NBFC) ବା ବେସରକାରୀ ଆର୍ଥିକ ସଂସ୍ଥା ଶ୍ରେଣୀରୁ ବାହାର କରିବା ପାଇଁ ଆରବିଆଇକୁ ଆବେଦନ କରିଥିଲା, ଯାହାକୁ କେନ୍ଦ୍ରୀୟ ବ୍ୟାଙ୍କ ଖାରଜ କରିଦେଇଛି। ଟାଟା ସନ୍ସ ସମ୍ପୂର୍ଣ୍ଣ ଋଣମୁକ୍ତ ହୋଇସାରିଥିଲେ ମଧ୍ୟ ନିୟମ ଅନୁସାରେ ଏହାକୁ ଆଇପିଓ ଆଣିବାକୁ ହିଁ ହେବ। ଏହି ନିଷ୍ପତ୍ତି ପରେ ଏବେ ଛୋଟ ନିବେଶକମାନଙ୍କୁ ଟାଟା ସନ୍ସରେ ପୁଞ୍ଜି ବିନିଯୋଗ କରିବାର ଏକ ବଡ଼ ସୁଯୋଗ ମିଳିବ।