ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ । ଭଷ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଅଞ୍ଚଳରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆସ୍ ଟ୍ରାନ୍ସପୋର୍ଟ ବ୍ୟବସାୟକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ବେଳେ, ଘଟଣାର ପ୍ରତିବାଦରେ ଫ୍ଲାଏଆସ୍ ଗାଡ଼ିରୁ ଟଙ୍କା ଆଦାୟ କରୁଥିବା ସଂସ୍ଥା କାର୍ଯ୍ୟାଳୟକୁ ନିଆଁ ଲଗାଇବା ସହ ଏକ କାରକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ଏହା ସହ ରାସ୍ତା ଉପରେ ମୃତ ଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ଅବଶ୍ୟ ଘଟଣାସ୍ଥଳରେ ପୋଲିସ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଲୋକେ ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି। ସେପଟେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଥିବା ବେଳେ, ଏପର୍ଯ୍ୟନ୍ତ ଘଟଣାରେ ୧୧ ଜଣକୁ ଗିରଫ କରାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

Also Read: ସୁନ୍ଦରଗଡ଼ରେ ଗୁଳିକାଣ୍ଡ, ଯୁବକଙ୍କ ମୃତ୍ୟୁ; ଆସ୍ ଟ୍ରାନ୍ସପୋର୍ଟ ବ୍ୟବସାୟକୁ ନେଇ ହତ୍ୟା ସନ୍ଦେହ

ସୂଚନା ଅନୁଯାୟୀ, ଦର୍ଲିପାଲି ଅଞ୍ଚଳର ବରୋବଗାସ୍ଥିତ ପାଉଁଶ ପୋଖରୀରୁ ପାଉଁଶ ପରିବହନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା । ଏହି କ୍ରମରେ ଗୁରୁବାର ଗୋଟିଏ ଗୋଷ୍ଠୀର ବୈଠକ ପରେ ସୁନୀଲ ନେଟୀ ନାମକ ଯୁବକଙ୍କୁ ଗୁଳିମାଡ଼ କରି ଫେରାର ମାରିଥିଲେ କିଛି ଯୁବକ ।ସନ୍ଧ୍ୟାରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁନୀଲଙ୍କୁ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।