ଭୁବନେଶ୍ୱର: ରାଜଧାନୀରେ ପୁଣି ଥାର୍ ଗାଡ଼ି ଆତଙ୍କ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଏହି ଥାର୍ ଗାଡ଼ିଟି ଏକାଧିକ ଗାଡ଼ି ଓ ଲୋକଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁସାରେ, ଗାଡ଼ିଟି ରାସ୍ତାରେ ବେପରୁଆ ଭାବେ ଚଳାଚଳ କରି ଏକାଧିକ ଗାଡ଼ି ଓ ଲୋକଙ୍କୁ ଧକ୍କା ଦେଇଥିଲା। ଏହାପରେ କିଛି ଲୋକ ଗାଡ଼ିଟିକୁ ପିଛା କରିଥିଲେ। ତେବେ ଥାରକୁ ପିଛା କରିବାରୁ ଏକ ଆପାର୍ଟମେଣ୍ଟରୁ କିଛି ଦୁର୍ବୃତ୍ତ ବାହାରି ହକି ଷ୍ଟିକ୍ ଓ ଲୁହା ରଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଥର୍ଟିକୁ ପିଛା କରି ଅଟକାଇବା ସହ ଗାଡ଼ି ଚାଳକଙ୍କୁ କାବୁ କରିଛି।

Also Read: ଭୁବନେଶ୍ୱରରେ ହୀରା ପେଣ୍ଡେଣ୍ଟ ଓ ସୁନା ଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ପୋଲିସ ଡ୍ରାଇଭର

ତେବେ ଉକ୍ତ ଗାଡ଼ିଟି କାହାର, ଅଟକ ଡ୍ରାଇଭର ନିଜେ ଗାଡ଼ି ଚଳାଉଥିଲେ ନା ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ? ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାର ପ୍ରକୃତ କାରଣ ଓ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।