ମୋରଡ଼ା: ପାନ ଖଣ୍ଡେ ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ବରକନ୍ଦ ପଞ୍ଚାୟତ ଅନ୍ତର୍ଗତ ଟିଆଁସି ଗ୍ରାମରେ। ଟିଆଁସି ଗ୍ରାମର ବିଳାସୀ ନାଏକ(୫୭)ଙ୍କୁ ସେହି ଗ୍ରାମର ଧୀରେନ ନାଏକ(୩୭) ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗାଁର ଅନ୍ତ ନାଏକ (୬୨) ଅର୍ଥାତ୍ ବିଳାସୀଙ୍କ ସ୍ବାମୀଙ୍କ ଠାରୁ ପ୍ରତିଦିନ ପାନ ମାଗି ଖାଉଥିଲା ଧୀରେନ । ହେଲେ ପାନ ନଦେଲେ ଗାଳିଗୁଲଜ କରିବା ସହ ଧମକଚମକ ଦେଉଥିଲା। କିନ୍ତୁ ଗତ ଗୁରୁବାର ସନ୍ଧ୍ୟାରେ ଧୀରେନ ଅନ୍ତ ଘରକୁ ଯାଇ ପାନ ମାଗିବାରୁ ଅନ୍ତ ଦେବାକୁ ସିଧାସଳଖ ମନା କରିଦେଇଥିଲା। ଫଳରେ ଧୀରେନ ପାଟିତୁଣ୍ଡ କରିବା ସହ ରାଗରେ ଉତ୍ତେଜିତ ହୋଇ ଏକ ଲାଠିରେ ଅନ୍ତକୁ ମାଡ଼ ମାରିଥିଲା।

ଏହି ସମୟରେ ଅନ୍ତଙ୍କ ପତ୍ନୀଙ୍କ ବିଳାସୀ ହସ୍ତକ୍ଷେପ କରିଥିଲେ। କିନ୍ତୁ ଧୀରେନ ତାଙ୍କୁ ମଧ୍ୟ ଠେଙ୍ଗାରେ ପିଟିଥିଲା । ଆଉ ଏଥିରେ ବିଳାସୀଙ୍କ ମୁଣ୍ଡ ଫାଟିଯାଇଥିଲା। ଏମିତିରେ ଦୁହିଁକୁ ଲହୁଲୁହାଣ କରି ସେଠାରୁ ଫେରାର ହୋଇଯାଇଥିଲା ଧୀରେନ। ତେବେ ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ସେମାନଙ୍କ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳାସୀଙ୍କ ମୃତ୍ୟୁ ଘଟିଛି।

Also Read: ବିଜନେସ୍ ଇ-ମେଲ୍ ଠକେଇ ମାମଲା, କମ୍ପାନି ଆକାଉଣ୍ଟକୁ ଫେରିଲା ୧.୧୪ କୋଟିରୁ ଅଧିକ ଟଙ୍କା, ଅଭିଯୁକ୍ତ ଗିରଫ

ଅନ୍ୟପଟେ ଅନ୍ତଙ୍କ ହାତ ଭାଙ୍ଗି ଯାଇଥିବା ବେଳେ, ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ମୋରଡ଼ା ଥାନା ଘଟଣାରେ ତଦନ୍ତ ଆରମ୍ଭ କରିଛି। ସାଇନଟିଫିକ ଟିମ୍ ଓ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି। ସେହିଭଳି ଫେରାର ଧୀରେନକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।