ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋଲିସର ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନାକୁ ଏକ ବଡ଼ ସଫଳତା ମିଳିଛି। ଏକ ବଡ଼ ଧରଣର ବିଜନେସ୍ ଇ-ମେଲ୍ ଠକେଇ ମାମଲାର ପର୍ଦ୍ଦାଫାଶ କରି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଠକେଇ ହୋଇଥିବା କମ୍ପାନୀର ୧ କୋଟି ୧୪ ଲକ୍ଷ ୮୮ ହଜାର ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, 'M/s Govindam Projects Pvt. Ltd.' ନାମକ ଏକ କମ୍ପାନୀରୁ ୧ କୋଟି ୮୫ ଲକ୍ଷ ୪୫ ହଜାର ୪୩୬ ଟଙ୍କାର ବିଜନେସ୍ ଇ-ମେଲ୍ ଠକେଇ ହୋଇଥିବା ନେଇ ଗତ ୧୭ ମେ ୨୦୨୬ରେ ସୁନ୍ଦରଗଡ଼ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତତ୍ପରତା ପ୍ରକାଶ କରି ତଦନ୍ତ ଚଳାଇ ଠକେଇ ହୋଇଥିବା ଅର୍ଥ ମଧ୍ୟରୁ ୧,୧୪,୮୮,୦୦୦ ଟଙ୍କା ଉଦ୍ଧାର କରି କମ୍ପାନୀର ଆକ୍ସିସ୍ ବ୍ୟାଙ୍କ (Axis Bank) ଖାତାକୁ ଫେରସ୍ତ କରାଇଛି।

Also Read: ଅଡିଟ୍ ନାଁରେ ଲାଞ୍ଚ ଆଦାୟ : ୧୪ ଲକ୍ଷରୁ ଅଧିକ ଟଙ୍କା ସହ ଧରାପଡ଼ିଥିଲେ, ୨ ଅଡିଟର ଗଲେ ଜେଲ୍

ତେବେ ଏହି ଆନ୍ତଃରାଜ୍ୟ ସାଇବର ଠକେଇ ମାମଲାରେ ସୁନ୍ଦରଗଡ଼ ପୋଲିସ ଉତ୍ତରପ୍ରଦେଶ ପୋଲିସର ସହଯୋଗରେ ୟୁପିର ହାପୁର ଜିଲ୍ଲା ସିମ୍ଭାଓଲି ଥାନା ଅନ୍ତର୍ଗତ ରାତୁପୁରା ଗ୍ରାମର ଅଭିଯୁକ୍ତ ଜୁବେର ଖାନକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡ ଜବତ କରାଯାଇଛି। ଅଭିଯୁକ୍ତ ଜୁବେରକୁ ସୁନ୍ଦରଗଡ଼ SDJM ଅଦାଲତରେ ହାଜର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ପୋଲିସ ନିଜର ଅଧିକ ତଦନ୍ତ ଜାରି ରଖିଛି।