ମୁମ୍ବାଇ: ଅନଲାଇନରେ ଅର୍ଡର କରୁଛନ୍ତି ଖାଦ୍ୟ ଓ ଗ୍ରୋସରୀ। ମାତ୍ର କିଛି ମିନିଟ୍‌ ଘରେ ପହଞ୍ଚୁଛି ସାମଗ୍ରୀ। ହେଲେ ଯେଉଁଠାରୁ ଏହି ସାମଗ୍ରୀ ଗ୍ରାହକଙ୍କ ଘରକୁ ଯାଉଛି, ସେଠାରେ କ’ଣ ରହୁଛି ସ୍ୱଚ୍ଛତା ବ୍ୟବସ୍ଥା? ମହାରାଷ୍ଟ୍ରର କଲ୍ୟାଣରୁ ସାମ୍ନାକୁ ଆସିଥିବା ଏକ ଭାଇରାଲ୍ ଭିଡିଓ ଏବେ ଅନଲାଇନ୍ ଫୁଡ୍ ଓ ଗ୍ରୋସରୀ ଡେଲିଭରିର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି।

ଭାଇରାଲ୍ ଭିଡିଓରେ ଆଇସକ୍ରିମ୍ ରଖାଯାଉଥିବା ଷ୍ଟୋରେଜ୍ କ୍ରେଟ୍ ଭିତରେ ଏକ ଜୀଅନ୍ତା ମୂଷା ବୁଲୁଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ପରେ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାର ତୁରନ୍ତ ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଘଟଣାଟି କଲ୍ୟାଣର ଗୋଦ୍ରେଜ୍ ହିଲ୍ ଅଞ୍ଚଳର ବୋଲି କୁହାଯାଉଛି। ଏଠାରେ ଏକ ବଡ଼ କ୍ୱିକ୍-କମର୍ସ କମ୍ପାନୀର ସ୍ଥାନୀୟ ଫୁଲଫିଲମେଣ୍ଟ ୟୁନିଟ୍ ଭିତରେ ଏହି ଭିଡିଓ ରେକର୍ଡ ହୋଇଥିବା ଜଣାପଡ଼ିଛି। ଭିଡିଓରେ ଫ୍ରୋଜନ୍ ଖାଦ୍ୟ ସାମଗ୍ରୀ ରଖାଯାଇଥିବା ସ୍ଥାନରେ ମୂଷା ବୁଲୁଥିବା ଦେଖାଯାଉଛି। ବିଶେଷକରି ଆଇସକ୍ରିମ୍ ରଖାଯାଉଥିବା କ୍ରେଟ୍ ଭିତରେ ମୂଷା ଥିବା ଦୃଶ୍ୟ ଗ୍ରାହକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

ଭିଡିଓ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ଏବଂ ସ୍ଥାନୀୟ ନଗର ନିଗମକୁ ତୁରନ୍ତ ଏହି ଡେଲିଭରି ହବର ଯାଞ୍ଚ କରିବାକୁ ଦାବି ହୋଇଛି। ଯଦି ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ହୋଇଥିବା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ସଂସ୍ଥା ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି ହେଉଛି।

ଏହା ପ୍ରଥମ ଘଟଣା ନୁହେଁ। ମହାରାଷ୍ଟ୍ର FDA ପୂର୍ବରୁ ମୁମ୍ବାଇର ମଲାଡରେ ଥିବା ଏକ ଅନ୍ୟ ଖାଦ୍ୟ ପ୍ରତିଷ୍ଠାନ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଅଗଷ୍ଟ ୭ରେ ମଲାଡ୍ ପଶ୍ଚିମର ସର୍ବୋଦୟ ଭୁବନ, ରାମଚନ୍ଦ୍ର ଲେନ୍ରେ ଥିବା ଫ୍ୟାସିଲିଟିରେ ଅଧିକାରୀମାନେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବ୍ୟାପକ ଅପରିଷ୍କାର ପରିବେଶ, ବହୁ ସଂଖ୍ୟାରେ ମୂଷାଙ୍କ ଉପସ୍ଥିତି ଏବଂ ଖାଦ୍ୟ ସୁରକ୍ଷା ନିୟମର ଉଲ୍ଲଂଘନ ଭଳି ଅଭିଯୋଗ ସାମ୍ନାକୁ ଆସିଥିଲା।

also read- ବିଶ୍ବ ରେକର୍ଡ, ମାତ୍ର ୧୬ ବର୍ଷ ବୟସରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେଲେ ଲକ୍ଷ୍ମଣନ୍

ଯାଞ୍ଚ ବେଳେ ଖାଦ୍ୟ ସାମଗ୍ରୀର ଭୁଲ୍ ଷ୍ଟୋରେଜ୍, ଦୂଷିତ ର୍ୟାକ୍ ଏବଂ ସିଧାସଳଖ ଚଟାଣରେ ଖାଦ୍ୟ ରଖାଯାଇଥିବା ଭଳି ଗୁରୁତର ଅବ୍ୟବସ୍ଥା ମଧ୍ୟ ଧରାପଡ଼ିଥିଲା। ଏହା ସହ କୋଲ୍ଡ ଷ୍ଟୋରେଜ୍ ବ୍ୟବସ୍ଥାରେ ମଧ୍ୟ ଅବ୍ୟବସ୍ଥା ଥିବା ଜଣାପଡ଼ିଥିଲା। ଏହା ବ୍ୟତୀତ ଏକ୍ସପାୟର ହୋଇଥିବା ଡ୍ୟାମେଜ୍ ହୋଇଥିବା ଏବଂ ପ୍ୟାକେଜିଂରେ ଛେଡ଼ଛାଡ଼ ହୋଇଥିବା ଖାଦ୍ୟ ସାମଗ୍ରୀ ମିଳିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

ଏହି ଫ୍ୟାସିଲିଟିରେ ମୂଷା ଓ ଅନ୍ୟ କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ସହ ଖରାପ ପରିଚାଳନା ଓ ରକ୍ଷଣାବେକ୍ଷଣରେ ଅବହେଳା ଭଳି ଖାମି ମଧ୍ୟ FDA ଅଧିକାରୀମାନେ ଚିହ୍ନଟ କରିଥିଲେ। ଖାଦ୍ୟ ସାମଗ୍ରୀ ପରିଚାଳନା କରୁଥିବା କର୍ମଚାରୀଙ୍କ ମେଡିକାଲ୍ ଯାଞ୍ଚ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ରେକର୍ଡ ଉପଲବ୍ଧ ନଥିବା ମଧ୍ୟ ଜଣାପଡ଼ିଥିଲା। ଏହି ଉଲ୍ଲଂଘନକୁ ଆଧାର କରି ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ ପଦକ୍ଷେପ ଆରମ୍ଭ କରାଯାଇଥିଲା।

ଲାଇସେନ୍ସ ସସପେଣ୍ଡ ଥିବା ସମୟରେ ସମ୍ପୃକ୍ତ ପ୍ରତିଷ୍ଠାନକୁ ଖାଦ୍ୟ ସାମଗ୍ରୀ ବିକ୍ରି, ବଣ୍ଟନ କିମ୍ବା ଏ ସମ୍ପର୍କିତ ବ୍ୟବସାୟ କରିବାକୁ ଅନୁମତି ନାହିଁ। ନିୟମ ଉଲ୍ଲଂଘନ କରି ବ୍ୟବସାୟ ଜାରି ରଖିଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି।

ସେହିପରି କର୍ଣ୍ଣାଟକରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ମାଙ୍ଗାଲୁରୁର କେଏସ ରାଓ ରୋଡରେ ଥିବା ସିଟି ସେଣ୍ଟର ମଲରେ ଥିବା ଏକ କେଏଫସି ଆଉଟଲେଟରେ ଅଚାନକ ଚଢାଉ କରିଥିଲେ, ଯେଉଁଠାରେ ଗ୍ରାହକମାନେ ଅଭିଯୋଗ କରିଥିଲେ ଯେ ଏକ ଅନଲାଇନ୍ ଅର୍ଡରରେ ନଷ୍ଟ ଏବଂ ଦୁର୍ଗନ୍ଧଯୁକ୍ତ ଚିକେନ ଅଛି।

Watch Video-