ନୂଆଦିଲ୍ଲୀ: ଯେଉଁ ବୟସରେ ଅଧିକାଂଶ କିଶୋର-କିଶୋରୀ ନିଜର କ୍ୟାରିୟର୍ ବାଛିବାରେ ବ୍ୟସ୍ତ ଥାଆନ୍ତି, ସେହି ବୟସରେ ଲକ୍ଷ୍ମଣନ୍ ମେୟାପ୍ପନ୍ ନିଜର ଆକାଉଣ୍ଟିଂ ପାଠପଢ଼ା ଶେଷ କରିସାରିଛନ୍ତି। ଗିନିଜ୍ ୱାର୍ଲ୍ଡ ରେକର୍ଡସ ଅନୁଯାୟୀ,  ୧୬ ବର୍ଷ ୧୪୧ ଦିନ ବୟସରେ ସେ ବିଶ୍ୱର ସବୁଠାରୁ କମ୍ ବୟସ୍କ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବରେ ସ୍ୱୀକୃତି ପାଇଛନ୍ତି।

କୋଭିଡ୍-୧୯ ମହାମାରୀ ସମୟରେ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶେଷ ହେବା ମାତ୍ରେ ତାଙ୍କର ଅର୍ଥଶାସ୍ତ୍ର ଓ ଆକାଉଣ୍ଟିଂ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ୧୫ ବର୍ଷ ବୟସରେ ସେ ACCA (ଆସୋସିଏସନ୍ ଅଫ୍ ସର୍ଟିଫାଇଡ୍ କୋର୍ପୋରେଟ୍ ଆକାଉଣ୍ଟାଣ୍ଟସ୍) ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ପ୍ରାୟ ବର୍ଷକ ମଧ୍ୟରେ ଏହାକୁ ସଫଳତାର ସହ ଉତ୍ତୀର୍ଣ୍ଣ କରିଥିଲେ।

ଏହି ସଫଳତା ପରେ ମଧ୍ୟ ମେୟାପ୍ପନ୍ ନିଜର ଶିକ୍ଷାଗତ ଏବଂ ବ୍ୟାବସାୟିକ ଦକ୍ଷତା ବୃଦ୍ଧି କରିବା ଜାରି ରଖିଛନ୍ତି। ସେ CFA (ଚାର୍ଟାର୍ଡ ଫାଇନାନ୍ସିଆଲ୍ ଆନାଲିଷ୍ଟ) ଯୋଗ୍ୟତା ହାସଲ କରିବା ସହ ବର୍ତ୍ତମାନ ଫାଇନାନ୍ସରେ MSc କରୁଛନ୍ତି। ଏହା ସହିତ ସେ ଦୁବାଇର 'ସେଞ୍ଚୁରୀ ଫାଇନାନ୍ସିଆଲ୍'ରେ ବରିଷ୍ଠ ଗବେଷଣା ବିଶ୍ଲେଷକ ଭାବରେ କାର୍ଯ୍ୟରତ । ସେଠାରେ ସେ ନିବେଶ, ବଜାର ଗବେଷଣା ଏବଂ ଆର୍ଥିକ ନିଷ୍ପତ୍ତି ନେବା ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି।

ମହାମାରୀ ସମୟରେ ହିଁ ମେୟାପ୍ପନ୍‌ଙ୍କର ଆକାଉଣ୍ଟିଂ ପ୍ରତି ବିଶେଷ ରୁଚି ବଢ଼ିଥିଲା। ପିଡବ୍ଲ୍ୟୁସି ଏକାଡେମୀର ଏକ ତଥ୍ୟ ଅନୁଯାୟୀ, ତାଙ୍କ ମା' ତାଙ୍କୁ ଲକ୍‌ଡାଉନ୍ ସମୟରେ ଆକାଉଣ୍ଟିଂର ମୌଳିକ ଧାରଣା ବିଷୟରେ ବୁଝାଇଥିଲେ। ଏହା ପରେ ସେ ନିଜେ ଏହି କୋର୍ସ କରିବାକୁ ନିଷ୍ପତ୍ତି ନେଇଥିଲେ। ACCA ସମ୍ପୂର୍ଣ୍ଣ କରିବା ପରେ ସେ ସେତିକିରେ ଅଟକି ନଯାଇ CFA ପଢ଼ିଲେ ଏବଂ ଉଚ୍ଚଶିକ୍ଷା ଆଡ଼କୁ ଅଗ୍ରସର ହେଲେ। ସେ ନିଜର ଅବସର ସମୟରେ ହାତଘଣ୍ଟାର ଡିଜାଇନ୍ କରିବାକୁ ଭଲପାଆନ୍ତି।

ଗିନିଜ୍ ୱାର୍ଲ୍ଡ ରେକର୍ଡସର ସମ୍ମାନ ସମ୍ପର୍କରେ ମେୟାପ୍ପନ୍ କହିଛନ୍ତି, ‘ଏହି ସଫଳତା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ମୁଁ କୌଣସି ପାଠପଢ଼ାକୁ ପ୍ରତିଯୋଗିତା ଭାବରେ ନେଇନାହିଁ। ପ୍ରକୃତ ପ୍ରତିଯୋଗୀତା ହେଉଛି ଆର୍ଥିକ କ୍ଷେତ୍ର କିପରି କାର୍ଯ୍ୟ କରେ ତାହା ବୁଝିବା ଏବଂ ଦୀର୍ଘସ୍ଥାୟୀ ଦକ୍ଷତା ପ୍ରାପ୍ତ କରିବା। ଯେତେବେଳେ ଶିକ୍ଷା କେବଳ ପ୍ରତିଯୋଗୀତା ପାଇଁ ନୁହେଁ, ବରଂ ନିଜର କୌତୂହଳ ଓ ଶିଖିବାର ଇଚ୍ଛାରୁ ଆରମ୍ଭ ହୁଏ, ସେତେବେଳେ ଫଳାଫଳ ଅଧିକ ଅର୍ଥପୂର୍ଣ୍ଣ ହୋଇଥାଏ।’