ନ୍ୟୁୟର୍କ,୧୧/୦୮:ଦକ୍ଷିଣ ଆମେରିକୀୟ ରାଷ୍ଟ୍ର କଲମ୍ବିଆ ସୋମବାର ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ତେବେ କଲମ୍ବିଆ ଭୂବୈଜ୍ଞାନିକ ସେବା ପକ୍ଷରୁ ଏହାର ପ୍ରାରମ୍ଭିକ ତୀବ୍ରତା ୬.୭ ଥିବା କୁହାଯାଇଛି। ଦେଶର ରାଜଧାନୀ ବୋଗୋଟରୁ ପ୍ରାୟ ୪୦୦ କିମି ପଶ୍ଚିମରେ ପାଲମାର ଅଞ୍ଚଳରେ ଏହା ସୃଷ୍ଟି ହୋଇଥିଲା। ପ୍ରାୟ ୧୦୭ କିମି ଗଭୀରତାରେ ଏହାର କେନ୍ଦ୍ରବିନ୍ଦୁ ରହିଥିଲା। ଭୂକମ୍ପ ଯୋଗୁ ଏବେସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ ଘଟିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ୧୦୦୦ ଟପିବା ଆଶଙ୍କା କରାଯାଉଛି।

Also Read :- ଆସୁଛି ବଡ଼ ବନ୍ୟା, କାଲିଠୁ ଅତି ପ୍ରବଳ ବର୍ଷା, ଭୟଙ୍କର ରୂପ ନେବ ମହାନଦୀ !

ସବୁ ଛାରଖାର

ଭୂକମ୍ପ ଯୋଗୁ ବହୁ ଅଟ୍ଟାଳିକା,ଆବାସିକ ଘର ଭୁଶୁଡ଼ି ପଡ଼ିଛି । ଅନେକ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦେଶର ବଡ଼ ବଡ଼ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଜାରି ରହିଛିIଦଶନ୍ଧି ମଧ୍ୟରେ ଦେଶରେ ଏହା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ଜଣଯାଇଛି।

ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଠାରେ ଭୂମିକମ୍ପ ଯୋଗୁଁ ଏବେସୁଦ୍ଧା ୧୧୧ ଜଣଙ୍କର ମୃତ୍ୟୁ ହୋଇଛି। ମାନିଜାଲେସର ମେୟର ବିଏଲୟୁ (BLU) ରେଡିଓକୁ ସୂଚନା ଦେଇ କହିଛନ୍ତି ଯେ, ସହରରେ ୨ ଜଣ ପ୍ରାଣ ହରାଇଛନ୍ତି। କାଲି ସହରର ମେୟର ଆଲେଜାଣ୍ଡ୍ରୋ ଏଡର ସୂଚନା ଦେଇଛନ୍ତି ଯେ, ସହରରେ ପ୍ରାୟ ୨୦ଟି କୋଠା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି ଏବଂ ସେଥିରେ ବହୁ ଲୋକ ଚାପି ହୋଇ ରହିଛନ୍ତି। ସେ ବୋଗୋଟା ଏବଂ ମେଡେଲିନ୍ର ମେୟରଙ୍କ ନିକଟରୁ ଜରୁରୀକାଳୀନ ଉଦ୍ଧାରକାରୀ ଦଳର ସହାୟତା ମାଗିଛନ୍ତି।

ଚୋକୋ ଏବଂ କ୍ୱିବଡୋ ଗଭର୍ଣ୍ଣର ନୁବିଆ କାରୋଲିନା କୋର୍ଡୋବା-କୁରୀ କହିଛନ୍ତି ଯେ, ପ୍ରାଦେଶିକ ରାଜଧାନୀ କ୍ୱିବଡୋରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଅନେକ ଲୋକ ଆହାତ ହୋଇଛନ୍ତି। ଆମେରିକା ସୁନାମୀ ଚେତାବନୀ ପ୍ରଣାଳୀ ଅନୁଯାୟୀ, କଲମ୍ବିଆର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ କୌଣସି ସୁନାମୀ ଭୟ ନାହିଁ। ତେବେ କଲମ୍ବିଆର ଦୂରଦୂରାନ୍ତ ଅଞ୍ଚଳ ସମେତ ପଡ଼ୋଶୀ ଭେନେଜୁଏଲା ସୀମାନ୍ତରେ ମଧ୍ୟ ଏହି ପ୍ରବଳ କମ୍ପନ ଅନୁଭୂତ ହୋଇଛି।

ସତର୍କ ରହିବାକୁ ପରାମର୍ଶ

କାଲି ମେୟର ନାଗରିକମାନଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ କୋଠାରେ ବଡ଼ ଫାଟ ଦେଖାଗଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି। ଚୋକୋ ଗଭର୍ଣ୍ଣର Aftershocksର ଆଶଙ୍କା ଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି।