ନୂଆଦିଲ୍ଲୀ: ଭୀଷଣ ଗ୍ରୀଷ୍ମ ପରେ ଏବେ ଦେଶକୁ ମୌସୁମୀ ଆସିଛି। କେରଳମ ଉପକୂଳକୁ ପହଞ୍ଚିବାର ୪୮ ଘଣ୍ଟା ମଧ୍ୟରେ ୪ ଜୁନ ୨୦୨୬ରେ ୭ ରାଜ୍ୟକୁ ପହଞ୍ଚିଥିଲା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଘ (ଆଇଏମଡି) ଙ୍କ ଅନୁସାରେ କେରଳମ, ତାମିଲନାଡୁ, କର୍ଣ୍ଣାଟକ ଓ ପୂର୍ବୋତ୍ତରରେ ଆଗାମୀ ୭ ଦିନ ମଧ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ୬ ଜୁନ ଶନିବାର ପୂ୍ର୍ବୋତ୍ତର ଭାରତର ମିଜୋରାମ-ମଣିପୁର ପହଞ୍ଚିଛି। ଏହାସହିତ ମୌସୁମୀ ଆନ୍ଧ୍ରପ୍ରଦେଶ, ଗୋଆ ଓ ମହାରାଷ୍ଟ୍ର କିଛି ଅଞ୍ଚଳକୁ ମଧ୍ୟ ଛୁଇଁଛି।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡୁର ଅନେକ ଅଞ୍ଚଳ, ପୂର୍ବ ମଧ୍ୟ ବଙ୍ଗୋପସାଗରର କିଛି ଅଂଶରେ ମୌସୁମୀ ଆଗକୁ ବଢୁଛି। ଆଗାମୀ ୨-୩ଦିନରେ ମୌସୁମୀ ତେଲେଙ୍ଗାନା ସହିତ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟକୁ ପହଞ୍ଚିପାରେ। ଏହାର ପ୍ରଭାବରେ ଆଗାମୀ ୭ ଦିନରେ କର୍ଣ୍ଣାଟକ, କେରଳମ, ପୂର୍ବୋତ୍ତର ଭାରତ ଓ ତାମିଲନାଡୁର ଅନେକ ଅଞ୍ଚଳରେ ୭-୨୦ ସେଣ୍ଟିମିଟର ବର୍ଷା ହେବାର ପୂର୍ବାନୁମାନ କରାଯାଉଛି।

ଏମିତିରେ ଭାରତରେ ମୌସୁମୀ ଋତୁ ୧ ଜୁନରୁ ଆରମ୍ଭ ହୁଏ ହେଲେ ଗତ ବର୍ଷ ୨୪ ମେ ୨୦୨୫ରେ ୮ ଦିନ ପୂର୍ବରୁ କେରଳମ ଉପକୂଳକୁ ମୌସୁମୀ ପହଞ୍ଚିଥିଲା ଓ ୯ ଦିନ ପୂର୍ବରୁ ଜୁନ ୨୯ ତାରିଖ ସୁଦ୍ଧା ସମଗ୍ର ଦେଶକୁ ଆଚ୍ଛାଦିତ କରିଥିଲା। ଆଇଏମଡି ଜୁନ ୭ ତାରିଖରୁ କେରଳମ, ଓଡିଶା, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଝଡଖଣ୍ଡ, ଲଦ୍ଦାଖ, ଗୋଆ, ମାହାରାଷ୍ଟ୍ର, ସିକ୍କିମ, ଆଣ୍ଡାମାନ ନିକୋବର, ମଣିପୁର ଓ ପୁଡୁଚେରୀ ଆଦି ୧୭ ରାଜ୍ୟରେ ବର୍ଷା ସହିତ ଝଡ଼ତୋଫାନ ଆକଳନ କରିଛନ୍ତି।