ଭୁବନେଶ୍ୱର: ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଆଜି ଲୋକସେବାରେ ଆୟୋଜିତ ହୋଇଛି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଏବଂ ଏହାର ଭୟାବହ ବାସ୍ତବତାକୁ ସ୍ମରଣ କରିଛନ୍ତି । ବିଭାଜନ ବିଭୀଷିକା ସ୍ମୃତି ଦିବସ କେବଳ ଅତୀତର ଦୁଃଖଦ ଅଧ୍ୟାୟକୁ ସ୍ମରଣ କରିବାର ଦିନ ନୁହେଁ, ବରଂ ଆଜିର ଦିନରେ ଆମକୁ ଏହାକୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ‘ସଂକଳ୍ପ ଦିବସ’ ଭାବେ ପାଳନ କରିବାକୁ ଶପଥ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଦେଶ ବିଭାଜନର ଭୟାନକ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ୧୯୪୭ ମସିହାର ବିଭାଜନ କେବଳ ଦୁଇ ଦେଶର ସୀମାରେଖା ନିର୍ଦ୍ଧାରଣ ନ ଥିଲା, ଏହା ଥିଲା ମାନବ ସଭ୍ୟତାର ସବୁଠାରୁ ବଡ଼ ସ୍ଥାନାନ୍ତରଣ। ବିଭିନ୍ନ ସୂତ୍ରରୁ ମିଳିଥିବା ଆକଳନ ଅନୁଯାୟୀ, ପ୍ରାୟ ଦେଢ଼ କୋଟି ଲୋକ ନିଜର ଭିଟାମାଟି ଛାଡ଼ି ଦେଶାନ୍ତର ହୋଇଥିଲେ। ଏହି ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ୫ ଲକ୍ଷରୁ ୨୦ ଲକ୍ଷ ନିରୀହ ଲୋକଙ୍କର ଜୀବନ ଯାଇଥିଲା ଏବଂ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୨୧ରୁ ଆରମ୍ଭ କରାଯାଇଥିବା ଏହି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଆମକୁ ଘୃଣା ଓ ବିଦ୍ୱେଷର ପରିଣାମ ପ୍ରତି ସଚେତନ କରାଏ । ଆସନ୍ତାକାଲି ସ୍ୱାଧୀନତା ଦିବସ ଆନନ୍ଦର ସହ ପାଳନ କରିବା ସହ ଦେଶର ସାର୍ବଭୌମତ୍ୱ, ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଏହି କଳା ଇତିହାସର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।