ନାଗପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ରବିବାର କହିଛନ୍ତି ଯେ ସେ ରାମମନ୍ଦିର ଦାନ ଚୋରି ମାମଲାରେ ସଂଘ ସାଧାରଣ ସମ୍ପାଦକ ଦତ୍ତାତ୍ରୟ ହୋସବାଲେଙ୍କ କଥାରେ ସହମତ। ନାଗପୁରରେ ସାମ୍ବାଦିକଙ୍କ ସହ ଆଲୋଚନାରେ ମୋହନ ଭାଗବତ କହିଛନ୍ତି ଯେ ‘ମାମଲାରେ ହୋସବାଲେଙ୍କ ପ୍ରତିକ୍ରିୟା ଦେଖନ୍ତୁ, ସେ ଯାହା କହିଛନ୍ତି ମୋର ପ୍ରତିକ୍ରିୟା ମଧ୍ୟ ସେଇଆ’। ଆରଏସଏସ ମୁଖ୍ୟଙ୍କ ଏହି ପ୍ରତିକ୍ରିୟା ଏକ କାର୍ଯ୍ୟକ୍ରମ କାଳରେ ରାମ ମନ୍ଦିର ଚାନ୍ଦା ଚୋରି ପ୍ରସଙ୍ଗରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରେ ଦେଇଛନ୍ତି।

ମାମଲାରେ ଶୁକ୍ରବାର ହୋସବାଲେ କହିଥିଲେ ଯେ ଅଯୋଧ୍ୟା ରାମ ମନ୍ଦିରରେ କଥିତ ଦାନ ଚୋରି ପୁରା ସମାଜର ଭାବନା ଓ ଆସ୍ଥାକୁ ଗଭୀର ଆଘାତ ଦେଇଛି। ସେ କହିଛନ୍ତି ଯେ ମାମଲାର ତଦନ୍ତରୁ ଯିଏବି ଦୋଷୀ ହେବେ ତାଙ୍କୁ କଠିନ ଦଣ୍ଡ ମିଳୁ। ସେ ଜୋର ଦେଇ କହିଥିଲେ ଯେ ହିନ୍ଦୁ ବିରୋଧୀ ଓ ଦେଶ ବିରୋଧୀ ଶକ୍ତି ଏବେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ଫାଇଦା ଉଠାଉଛନ୍ତି। ଏଣୁ ଏପରି ଏକ କ୍ଷଣରେ ‘ଷଡ଼ଯନ୍ତ୍ର’କୁ ବିଫଳ କରିବା ପାଇଁ ହିନ୍ଦୁ ସମାଜକୁ ସଂଜମତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଛନ୍ତି। ଆରଏସଏସ ସାଧାରଣ ସମ୍ପାଦକ କହିଥିଲେ ଯେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ କଠୋର ଦଣ୍ଡ ମିଳିବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲା ଜୁନ ୭ ତାରିଖରେ ଜଣାପଡିଥିଲା। ପରେ ରାମମନ୍ଦିର ପରିଚାଳନା କରୁଥିବା ଟ୍ରଷ୍ଟ ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଯାଞ୍ଚ ପାଇଁ ନିବେଦନ କରିଥିଲେ। ସେହି ଅନୁସାରେ ରାଜ୍ୟ ସରକାର ମାମଲାରେ ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରାରମ୍ଭିକ ଯାଞ୍ଚ ଆଧାରରେ ଏଫଆଇଆର ରୁଜୁ ହୋଇଛି ଓ ପୋଲିସ ୮ ଜଣଙ୍କୁ ଗିରଫ କରିଛି।