ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି ଇଷ୍ଟ ଜୋନ୍ (ପୂର୍ବାଞ୍ଚଳ)ର ଅଧିନାୟକ ଇଶାନ କିଶନ। ସେ କହିଛନ୍ତି ଯେ, ବୟସ କେବଳ ଏକ ସଂଖ୍ୟା ମାତ୍ର। ଶାମି ଭାଇଙ୍କ ଭିତରେ ଆଜି ବି ପୂର୍ବ ଭଳି ଉତ୍ସାହ ଓ ଭାରତୀୟ ଦଳକୁ ଫେରିବାର ଭୋକ ଦେଖାଯାଉଛି। ଦୁଲୀପ୍ ଟ୍ରଫି ଫାଇନାଲ ମ୍ୟାଚ୍ ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ ଇଶାନ କିଶନ ଶମିଙ୍କ ଜବରଦସ୍ତ ପ୍ରଦର୍ଶନ ଏବଂ ତାଙ୍କ ମାନସିକତାକୁ ନେଇ ଭୂୟସୀ ପ୍ରଶଂସା କରିଛନ୍ତି।

ଶାମି କ୍ରିକେଟ ଜଗତର ଜଣେ ବଡ଼ ଖେଳାଳି

ଇଶାନ କିଶନ କହିଛନ୍ତି, "ମୋ ମତରେ ଶାମି ଭାଇ ଅନ୍ୟତମ ଶ୍ରେଷ୍ଠ ଖେଳାଳି। ସେ କ୍ରିକେଟ ଜଗତର ଜଣେ ବରିଷ୍ଠ ଖେଳାଳି। ପଶ୍ଚିମବଙ୍ଗ ପାଇଁ ଖେଳିବା ଦିନଠାରୁ ଆରମ୍ଭ କରି ଭାରତୀୟ ଦଳ ପର୍ଯ୍ୟନ୍ତ ସବୁଠି ତାଙ୍କ ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ରହିଛି। ସେ ନିଜର ସମ୍ପୂର୍ଣ୍ଣ ସମର୍ପଣ ଦେଇ ବୋଲିଂ କରନ୍ତି। ଯଦି ଜଣେ ଖେଳାଳି ଏତେ କଠିନ ପରିଶ୍ରମ କରୁଛନ୍ତି, ତେବେ ବୟସ ଆଦୌ ମହତ୍ଵ ରଖେନାହିଁ।"

Also Read: ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ କେବେ ନିଷ୍ପତ୍ତି ନେବ BCCI ? ସାମ୍ନାକୁ ଆସିଲା ବଡ଼ ତାରିଖ

ଓଭର ବୃଦ୍ଧି ପାଇଁ ଶାମି ନିଜେ କରନ୍ତି ଦାବି

ଇଶାନ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେମିଫାଇନାଲ ମ୍ୟାଚ୍ ସମୟରେ ଶାମି ନିଜେ ଅଧିକ ଓଭର ବୋଲିଂ କରି ୱିକେଟ୍ ଚଟକାଇବାକୁ ଚାହୁଁଥିଲେ। ଜଣେ ଅଧିନାୟକ ଭାବେ ଖେଳାଳିଙ୍କଠାରୁ ଏଭଳି ସକାରାତ୍ମକ ମନୋଭାବ ଦେଖିଲେ ଆତ୍ମବିଶ୍ୱାସ ଅନେକ ଗୁଣ ବଢ଼ିଯାଏ। ତାଙ୍କର ଏହି ଭୂମିକା ଦଳ ପାଇଁ ବଡ଼ ସମ୍ବଳ।

ସୂଚନାଯୋଗ୍ୟ ଯେ, ମଧ୍ୟ ପ୍ରଦେଶ/ସେଣ୍ଟ୍ରାଲ ଜୋନ୍ ବିପକ୍ଷ ସେମିଫାଇନାଲରେ ଶାମି ୫ଟି ୱିକେଟ୍ ଅକ୍ତିଆର କରି ୧୩ ବର୍ଷ ପରେ ଇଷ୍ଟ ଜୋନ୍ ବା ପୂର୍ବାଞ୍ଚଳକୁ ଦୁଲୀପ ଟ୍ରଫି ଫାଇନାଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

Also Read: ଗମ୍ଭୀରଙ୍କ ହାତରେ ବୈଭବ ସୂର୍ଯ୍ୟବଂଶୀଙ୍କ ଭାଗ୍ୟର ନିଷ୍ପତ୍ତି ! ୩ ଅନ୍ୟ ଭାରତୀୟ ଷ୍ଟାରଙ୍କୁ ଫାଇନାଲ୍ ଖେଳିବାକୁ ସୁଯୋଗ

ଦକ୍ଷିଣାଞ୍ଚଳ ମଧ୍ୟ ସତର୍କ

ଅନ୍ୟପଟେ, ସାଉଥ୍ ଜୋନର ଅଧିନାୟକ ତିଲକ ବର୍ମା ମଧ୍ୟ ଶାମିଙ୍କ ଫର୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶାମିଙ୍କ ଭଳି ଅଭିଜ୍ଞ ବୋଲରଙ୍କ ସାମ୍ନା କରିବା ଏକ ବଡ଼ ଚ୍ୟାଲେଞ୍ଜ। ତେବେ ତାଙ୍କ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।