ନୂଆଦିଲ୍ଲୀ: ମହମ୍ମଦ ଶାମିଙ୍କୁ ଭାରତୀୟ ଦଳରେ କାହିଁକି ସାମିଲ୍ କରାଯାଉ ନାହିଁ, ତାକୁ ନେଇ ସର୍ବଦା ପ୍ରଶ୍ନ ଉଠି ଆସିଛି। ଘରୋଇ ଫର୍ମାଟରେ ନିରନ୍ତର ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ବି ଶାମିଙ୍କୁ ଦଳରେ ଚୟନ ନ କରାଯିବା ଚୟନକର୍ତ୍ତାଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଶାମିଙ୍କୁ ନେଇ କିଛିଟା ଭଲ ଖବର ସାମ୍ନାକୁ ଆସିଛି।

ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ସମ୍ଭାବନା ଦେଖା ଦେଇଛି। ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଶମିଙ୍କ ନାମ ବିଚାରକୁ ଆସିପାରେ। ଭାରତର କେତେକ ଦ୍ରୁତ ବୋଲର  ସମାନ ସମୟରେ ଏସୀୟ କ୍ରୀଡ଼ାରେ ବ୍ୟସ୍ତ ରହିବାକୁ ଥିବାରୁ, ଚୟନକର୍ତ୍ତା ଅଭିଜ୍ଞତାର ବିକଳ୍ପ ଖୋଜୁଛନ୍ତି। ଆଉ ଏହି ସମୀକରଣରେ ମହମ୍ମଦ ଶାମି ଠିକ୍ ରହିଛନ୍ତି। 

Also Read: ଶାମିଙ୍କ ଟିମ୍ ଇଣ୍ଡିଆକୁ ଫେରିବା ନେଇ ଇଶାନ କିଶନଙ୍କ ବଡ଼ ବୟାନ, କହିଲେ- ଏବେ ବି...

ଏସୀୟ କ୍ରୀଡ଼ାରେ ପ୍ରମୁଖ ବୋଲର, ଦିନିକିଆ ପାଇଁ ନୂଆ ବିକଳ୍ପ

ଜାପାନରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଟି-୨୦ ଦଳ ଭାଗ ନେବ। ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହଙ୍କ ଭଳି ପ୍ରମୁଖ ଦ୍ରୁତ ବୋଲର ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ। ଫଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଏହି ଖେଳାଳିମାନେ ଉପଲବ୍ଧ ହେବେ ନାହିଁ। ଏହି ପରିସ୍ଥିତିରେ ଭାରତୀୟ ଦ୍ରୁତବୋଲର ବାହିନୀରେ ଅନ୍ୟ ଚେହେରାଙ୍କୁ ସୁଯୋଗ ମିଳିବା ନିଶ୍ଚିତ ହୋଇଛି।

ସିରାଜ, ପ୍ରସିଦ୍ଧ ଓ ଗୁରନୁରଙ୍କ ସହ ଶାମିଙ୍କ ଦାବି

ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଏବଂ ଗୁରନୁର ବ୍ରାରଙ୍କ ନାମ ଦୌଡ଼ରେ ରହିଛି। ତେବେ ଦଳରେ ଚାରି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରାଗଲେ ଶାମି ସବୁଠାରୁ ମଜବୁତ ଦାବିଦାର ଭାବେ ଉଭା ହେବେ। ବୁମରାଙ୍କ ଅନୁପସ୍ଥିତିରେ ଦଳର ବୋଲିଂ ବିଭାଗକୁ ସନ୍ତୁଳିତ ଓ ଶକ୍ତିଶାଳୀ କରିବା ପାଇଁ ଶାମିଙ୍କ ଅନ୍ତର୍ଜାତୀୟ ଅଭିଜ୍ଞତା ବେଶ୍ ସହାୟକ ହେବ।

Also Read: ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ କେବେ ନିଷ୍ପତ୍ତି ନେବ BCCI ? ସାମ୍ନାକୁ ଆସିଲା ବଡ଼ ତାରିଖ

ଫିଟନେସ୍ ପ୍ରଶ୍ନର କଡ଼ା ଜବାବ

ଗତ କିଛି ସମୟ ଧରି ଶାମିଙ୍କ ଫିଟନେସକୁ ନେଇ ଆଲୋଚନା ଚାଲିଥିଲା। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ଶାମିଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଥିଲେ। ମାତ୍ର ଦୁଲୀପ୍ ଟ୍ରଫିରେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ଶାମି ଏହି ସମସ୍ତ ସନ୍ଦେହର ଅନ୍ତ ଘଟାଇଛନ୍ତି। ୪ ଦିନିଆ ମ୍ୟାଚରେ କ୍ରମାଗତ ବୋଲିଂ କରି ସେ ନିଜର ଶାରୀରିକ ସକ୍ଷମତା ଓ ଫର୍ମର ପ୍ରମାଣ ଦେଇଛନ୍ତି।

ଦୁଲୀପ ଟ୍ରଫି ଫାଇନାଲ୍ ଉପରେ ନଜର

ସେପ୍ଟେମ୍ବର ୬ରୁ ୧୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦୁଲୀପ  ଟ୍ରଫି ଫାଇନାଲ୍ ଶାମିଙ୍କ କ୍ୟାରିୟର ପାଇଁ ଏକ ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହୋଇପାରେ। ଇଷ୍ଟ ଜୋନ୍ ପକ୍ଷରୁ ଖେଳୁଥିବା ଶାମିଙ୍କ ବୋଲିଂ ଓ ଫିଟନେସ୍ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ। ଯଦି ସେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦୀର୍ଘ ସ୍ପେଲ୍ ବୋଲିଂ କରି ୱିକେଟ୍ ହାସଲ କରନ୍ତି, ତେବେ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ତାଙ୍କ ମନୋନୟନକୁ ଏଡ଼ାଇବା ଚୟନକର୍ତ୍ତାଙ୍କ ପାଇଁ କଷ୍ଟକର ହୋଇପଡ଼ିବ।

ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଦକ୍ଷତା ରଖିଥିବା ଏହି ବୋଲରଙ୍କ ପାଇଁ ଏହି ଫାଇନାଲ୍ ମ୍ୟାଚ୍ କେବଳ ଇଷ୍ଟ ଜୋନ୍‌ ପାଇଁ ନୁହେଁ, ବରଂ ତାଙ୍କ ଜାତୀୟ କ୍ରିକେଟ୍ କ୍ୟାରିୟର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।