ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଲଗାତର ୧୬ଟି ଟି-୨୦ ମ୍ୟାଚ୍ ଜିତିଥିବା ବେଳେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ହାରିବା ଧାରା ଜାରି ରହିଛି। ପ୍ରଥମେ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜ୍ ଆଉ ଏବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ପରାଜିତ ହୋଇ ଚାଲିଛି। ତେଣୁ ଶ୍ରେୟସ ଆୟରଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ଲାଗିବା ସହିତ ଚୟନ କର୍ତ୍ତାଙ୍କର ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଏନେଇ ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଟି-୨୦ ଦଳର ନେତୃତ୍ୱ ଚୟନକୁ ନେଇ ଚୟନକର୍ତ୍ତାମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା କଲା ବେଳେ କୈଫ କହିଛନ୍ତି ଯେ, ଶ୍ରେୟସ ଆୟରଙ୍କୁ ଅଧିନାୟକ ଏବଂ ତିଲକ ବର୍ମାଙ୍କୁ ଉପଅଧିନାୟକ କରିବା ନିଷ୍ପତ୍ତି ଠିକ ହୋଇନି। ଏହି ଦୁଇ ବ୍ୟାଟର ପ୍ରତ୍ୟେକ ମ୍ୟାଚର ପ୍ଲେଇଂ ଇଲେଭେନରେ ନିଶ୍ଚିତ ସ୍ଥାନ ପାଇବାର ଯୋଗ୍ୟ ନଥିଲେ ମଧ୍ୟ ସେମାନଙ୍କୁ ନେତୃତ୍ୱ ଦିଆଯାଇଛି ବୋଲି କୈଫ କହିଛନ୍ତି।

Also read- ବୈଭବ ସୂର୍ଯ୍ୟବଂଶୀଙ୍କ ବିରୁଦ୍ଧରେ ଜାଣିଶୁଣି ପ୍ଲାନ କରାଯାଇଛି: ଚିନ୍ତା ବ୍ୟକ୍ତ କଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର

ତେବେ ତିଲକ ବର୍ମାଙ୍କ ଚୟନକୁ ସେ "୫୦-୫୦ କଲ୍ ବୋଲି ମାନିଛନ୍ତି କୈଫ। କାରଣ ତିଳକ ମ୍ୟାଚ୍ ଜିତାଇଛନ୍ତି ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। କିନ୍ତୁ ଅଧିନାୟକ ଓ ଉପଅଧିନାୟକ କରିଦେବା ପରେ ସେମାନଙ୍କୁ ବଦଳାଇବା ପାଇଁ ଦଳ ପରିଚାଳନାକାରୀଙ୍କ ପାଖରେ ଆଉ କୌଣସି ଫ୍ଲେକ୍ସିବିଲିଟି ରହିଯାଇ ନାହିଁ ବୋଲି ସେ କହିଛନ୍ତି।

କୈଫ କହିଛନ୍ତି, "ଆପଣ ଏମିତି ଦୁଇ ଜଣ ଖେଳାଳିଙ୍କୁ ଅଧିନାୟକ ଓ ଉପଅଧିନାୟକ କରିଛନ୍ତି, ଯେଉଁମାନେ ବୋଧହୁଏ ପ୍ରତ୍ୟେକ ମ୍ୟାଚରେ ପ୍ଲେଇଂ ଇଲେଭେନରେ ନିଶ୍ଚିତ ସ୍ଥାନ ପାଇବାର ଯୋଗ୍ୟ ନୁହନ୍ତି। ହଁ, ତିଲକଙ୍କ ମାମଲା ୫୦-୫୦ ହେଇପାରେ। କାରଣ ସେ ଭଲ ଖେଳିଛନ୍ତି ଏବଂ ମ୍ୟାଚ୍ ଜିତାଇଛନ୍ତି। ମୁଁ ତାହାକୁ ଅସ୍ୱୀକାର କରୁନାହିଁ। କିନ୍ତୁ ସମସ୍ୟା ହେଉଛି, ଏବେ ଆପଣଙ୍କ ପାଖରେ କୌଣସି ଫ୍ଲେକ୍ସିବିଲିଟି ନାହିଁ। ଥରେ ସେମାନଙ୍କୁ ଅଧିନାୟକ ଓ ଉପଅଧିନାୟକ କରିଦେଲେ, ସେମାନଙ୍କୁ ଦଳରୁ ବାଦ ଦେବା ସମ୍ଭବ ହୁଏ ନାହିଁ। ଆଉ ଏହି କାରଣରୁ ଆପଣ ସଞ୍ଜୁ ସାମସନଙ୍କୁ ବାଦ ଦେଉଛନ୍ତି।"

କୈଫ ଆହୁରି କହିଛନ୍ତି ଯେ, ଶ୍ରେୟସ ଆୟରଙ୍କୁ ସିଧାସଳଖ ଅଧିନାୟକ କରିଥିବା ଲୋକମାନଙ୍କୁ ପ୍ରଶ୍ନ କରାଯିବା ଉଚିତ୍। ତେବେ ଜଣେ ଖେଳାଳି ଟି-୨୦ ଦଳରେ ନଥାଇ ବି ସିଧାସଳଖ ଟିମ୍‌କୁ କ୍ୟାପ୍ଟେନ୍ ହୋଇ ଫେରିବା ଭାରତୀୟ କ୍ରିକେଟ୍ ଇତିହାସରେ କେବେ ଏମିତି ଘଟିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅର୍ଥାତ ଶ୍ରେୟସ ଆୟର ଟିମ୍‌ରେ ନଥାଇ ବି ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ପରେ ତାଙ୍କୁ ଆଣି ସିଧା ଟିମ୍‌ରେ କ୍ୟାପ୍ଟେନ୍ କରିବା ଠିକ୍ ହୋଇ ନାହିଁ ବୋଲି କୈଫ କହିଛନ୍ତି। 

ସେ କହିଛନ୍ତି, "ମୁଁ ଭାବୁଛି ସଞ୍ଜୁଙ୍କୁ ବାଦ ଦେବା ଏକ ବହୁତ ବଡ଼ ନିଷ୍ପତ୍ତି ଥିଲା। ଏହି ପରିସ୍ଥିତିକୁ ଅନ୍ୟ ଉପାୟରେ ସମ୍ଭାଳି ହୋଇପାରିଥାନ୍ତା। ଯଦି ଶ୍ରେୟସ ଆୟର ଅଧିନାୟକ ହୋଇ ନଥାନ୍ତେ, ତେବେ ତାଙ୍କୁ କୁହାଯାଇ ପାରିଥାନ୍ତା 'ଆପଣ ଭଲ ଖେଳିଛନ୍ତି ଏବଂ ଦଳକୁ ଫେରିବାର ଅଧିକାର ହାସଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ପ୍ଲେଇଂ ଇଲେଭେନରେ ସ୍ଥାନ ନାହିଁ। ସୁଯୋଗକୁ ଅପେକ୍ଷା କରନ୍ତୁ। ଦଳ ସହ ରୁହନ୍ତୁ, ପରେ ଦେଖିବା କଣ ହେଉଛି। ପ୍ରଥମେ ଆମେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ ଏବଂ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେବୁ।"

Also Read- ନିଜ ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ଅଭିନବ ଉପହାର, ICC ହଲ୍ ଅଫ୍ ଫେମରେ ଏଣ୍ଟ୍ରି ମାରିଲେ ଦାଦା

ସେ ଆହୁରି କହିଛନ୍ତି, "ଏହି ନିଷ୍ପତ୍ତି ନେଇଥିବା ଲୋକମାନଙ୍କୁ ପ୍ରଶ୍ନ କରାଯିବା ଉଚିତ୍। ତେବେ ମୁଁ ଭାବୁ ନାହିଁ ଯେ ଭାରତୀୟ କ୍ରିକେଟ୍ ଇତିହାସରେ ଏଭଳି କେବେ ଘଟିଛି, ଯେଉଁଠାରେ ଜଣେ ଖେଳାଳି ଟି-୨୦ ଦଳର ଅଂଶ ନଥାଇ ସିଧାସଳଖ ଅଧିନାୟକ ଭାବେ ଫେରିଛନ୍ତି।"

ସୂଚନା ଥାଉକି, ଚଳିତ ଭାରତ-ଇଂଲଣ୍ଡ ଟି-୨୦ ସିରିଜରେ ଶ୍ରେୟସ ଆୟର ଏପର୍ଯ୍ୟନ୍ତ ୧୧୦ ରନ୍ ସଂଗ୍ରହ କରିଥିବା ବେଳେ ତିଲକ ବର୍ମା ୪୦ ରନ୍ କରିଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଚତୁର୍ଥ ଟି-୨୦ ମ୍ୟାଚରେ ମଧ୍ୟ ଏହି ଦୁଇ ଖେଳାଳି ଯଥାକ୍ରମେ ଅଧିନାୟକ ଓ ଉପଅଧିନାୟକ ଭାବେ ଭାରତୀୟ ଦଳର ନେତୃତ୍ୱ ନେବେ।