ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ବିରୁଦ୍ଧରେ ପୂରା ପ୍ଲାନ କରାଯାଇଛି। ତାଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତର ଲଜ୍ଜାଜନକ ପରାଜୟ ଓ ବୈଭବଙ୍କ ଲଗାତର ଫ୍ଲପ୍ ଶୋକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ କିପର ବ୍ୟାଟର ପାର୍ଥିବ ପଟେଲ। ସେ ଆହୁରି କହିଛନ୍ତି ଯେ ଯଦି ବୈଭବଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବାର ଅଛି, ତେବେ ତାଙ୍କୁ ଶର୍ଟ୍ ପିଚ୍ ବଲ୍ ବିରୁଦ୍ଧରେ ରଣନୀତି ମଜଭୁତ କରିବାକୁ ପଡ଼ିବ। ଅନ୍ତର୍ଜାତୀୟ କ୍ୟାରିୟର ବୈଭବଙ୍କ ପାଇଁ ଶର୍ଟ-ପିଚ୍ ବଲ୍ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ପାର୍ଥିବ କହିଛନ୍ତି

ଆଇପିଏଲ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆର କ୍ରିକେଟ ସେନସେସନ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କିନ୍ତୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସେହି ଚମତ୍କାର ଦେଖାଇ ପାରୁ ନାହାନ୍ତି। ଆଜି(ଗୁରୁବାର) ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଶେଷ ଦୁଇ ଟି-୨୦ ମ୍ୟାଚରେ ସେ ଯଥାକ୍ରମେ ୧୪ ଓ ୧୩ ରନ୍ କରି ଆଉଟ୍ ହୋଇଛନ୍ତି। ଇଂଲଣ୍ଡ ବୋଲରମାନେ ତାଙ୍କ ବିରୁଦ୍ଧରେ ଏକ ଭଲ ରଣନୀତି କରିଛନ୍ତି। ଲଗାତାର ତାଙ୍କୁ ଶର୍ଟ ବଲରେ ଟାର୍ଗେଟ କରୁଛନ୍ତି। ଏହି ରଣନୀତି ଆଗକୁ ମଧ୍ୟ ଜାରି ରହିବ ବୋଲି ପାର୍ଥିବ ପଟେଲ କହିଛନ୍ତି।

ଜିଓହଟଷ୍ଟାରକୁ ସାକ୍ଷାତ୍କାର ଦେଇ ପାର୍ଥିବ କହିଛନ୍ତି ଯେ ଇଂଲଣ୍ଡର ଏଭଳି ରଣନୀତି କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ। କାରଣ ଆଇପିଏଲ୍ ସମୟରୁ ହିଁ ଏହି ଦଳ ବିଭିନ୍ନ ଖେଳାଳିଙ୍କ ଦୁର୍ବଳତାକୁ ଭଲ ଭାବରେ ଚିହ୍ନଟ କରି ସାରିଛି। ଆଉ ଏବେ ସେହି ଅନୁସାରେ ଟାର୍ଗେଟ୍ କରୁଛି। ପ୍ରାର୍ଥିବ କହିଛନ୍ତି “କେବଳ ଜୋଫ୍ରା ଆର୍ଚର ନୁହେଁ, ଆଇପିଏଲ୍ ଦେଖିଥିବା ଯେକୌଣସି ବ୍ୟକ୍ତି କହିବେ ଯେ ବୈଭବଙ୍କୁ ଶର୍ଟ ବଲ୍ କରିବା ଏକ ସ୍ପଷ୍ଟ ରଣନୀତି। ସେ ଆଉଟ୍ ହୋଇଥିବା ବଲଟ୍‌ ଯେ କେବଳ ଶର୍ଟ ଥିଲା ତାହା ନୁହେଁ, ତା' ପୂର୍ବରୁ ପକାଯାଇଥିବା ବଲ୍‌ଟି ମଧ୍ୟ ଶର୍ଟ ଥିଲା। ପ୍ରଥମ ମ୍ୟାଚରେ ସେ ଯେଉଁ ବଲକୁ ଛକା ମାରିଥିଲେ, ସେଥିରେ ବୋଧହୁଏ ଏତେ ବାଉନ୍ସ ନଥିଲା, କିନ୍ତୁ ଲାଇନ୍ ସମାନ ଥିଲା।”

Also read-ଭାରତ-ଇଂଲଣ୍ଡ ଚତୁର୍ଥ ଟି୨୦ : ଫେରିବେ ସଞ୍ଜୁ, ବାହାରେ ବସିବେ ତିଲକ...ବଦଳିବ ଟିମ୍

ପାର୍ଥିବଙ୍କ କହିବାନୁସାରେ, ଭୈଭବଙ୍କ ଆନ୍ତର୍ଜାତିକ କ୍ୟାରିୟର ଆଗକୁ ବଢ଼ିବା ସହିତ ସେ ସେତେ ଅଧିକ ଶର୍ଟ ବଲର ସାମ୍ନା କରିବେ। ତେଣୁ ତାଙ୍କୁ ସେହି ଅନୁସାରେ ରଣନୀତି ଆପଣାଇବା ଦରକାର ବୋଲି ପ୍ରାର୍ଥିବ କହିଛନ୍ତି।

ଜିଓ ହଟଷ୍ଟାରକୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି “ଭୈଭବ ସୂର୍ଯ୍ୟବଂଶୀ ନିଜର ଆନ୍ତର୍ଜାତିକ କ୍ୟାରିୟରରେ ଆଗକୁ ବଢ଼ିବା ସହ ଏଭଳି ବୋଲିଂର ସାମ୍ନା କରିବେ। ଲଗାତର ଶର୍ଟ ବଲ୍ ଆସିବା ତା ପୁଣି ଘଣ୍ଟା ପ୍ରତି ୧୪୫ କିମି ବେଗରେ। ତେଣୁ ସେ ଏଭଳି ଶର୍ଟ-ପିଚ୍ ବୋଲିଂକୁ କିପରି ସାମ୍ନା କରୁଛନ୍ତି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ହେବ। କାରଣ ପ୍ରତ୍ୟେକ ବୋଲର ତାଙ୍କୁ ଶର୍ଟ ବଲରେ ହିଁ ଟାର୍ଗେଟ କରିବେ।”

ଭାରତୀୟ ବ୍ୟାଟରଙ୍କୁ କଣ ପରାମର୍ଶ ଦେଲେ ପ୍ରାର୍ଥିବ ?

କେବଳ ସୂର୍ଯ୍ୟବଂଶୀ ନୁହଁନ୍ତି ଭାରତର ଅନ୍ୟ ବ୍ୟାଟରମାନେ ମଧ୍ୟ ଇଂଲଣ୍ଡ ବୋଲରଙ୍କ ଚାଲାଖିର ଶିକାର ହେଉଛନ୍ତି। ଇଶାନ କିଶନ, ଶ୍ରେୟସ ଆୟର, ସୁଞ୍ଜୁ ସାମସନ ଓ ଅନ୍ୟ ବ୍ୟାଟରମାନେ ମଧ୍ୟ ସହଜରେ ଆଉଟ ହୋଇ ପାଭିଲିଅନ ଫେରିଯାଉଛନ୍ତି। ବ୍ରିଷ୍ଟଲରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ମାତ୍ର ୭୮ ରନରେ ଅଲ୍ଆଉଟ୍ ହେବାକୁ ନେଇ ମଧ୍ୟ ଅନ୍ୟ ବ୍ୟାଟରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରାର୍ଥିବ।

ସେ କହିଛନ୍ତି ଯେ ବ୍ୟାଟରମାନେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିବା ପରିବର୍ତ୍ତେ ପ୍ରଥମେ କ୍ରିଜରେ କିଛି ସମୟ ଖେଳନ୍ତୁ। ସେଟ୍ ହୁଅନ୍ତୁ। ବିଶେଷ କରି ଇଂଲଣ୍ଡ ପରିସ୍ଥିତିର ଭାରତୀୟ ବ୍ୟାଟରମାନେ ପ୍ରଥମେ ସେଟ୍ ହେବା ଦରକାର। ପିଚ୍ ଓ ଗ୍ରାଉଣ୍ଡର ଆକାର ଭିନ୍ନ ଥିବାରୁ ଏହା ଅଧିକ ଜରୁରୀ ବୋଲି ସେ କହିଛନ୍ତି।

ପ୍ରାର୍ଥିବ କହିଛନ୍ତି “ବ୍ରିଷ୍ଟଲରେ ମୁଁ ଭାରତୀୟ ବ୍ୟାଟରମାନଙ୍କଠାରୁ ଆହୁରି ଭଲ ଗେମ୍ ଅଣ୍ଡରଷ୍ଟାଣ୍ଡିଂ ଏବଂ ଗେମ୍ ଆୱେରନେସ୍ ଦେଖିବାକୁ ଚାହେଁ। ହଁ, ସ୍କୋରବୋର୍ଡରେ ୨୦୦ ରନ୍ ଥାଇପାରେ, କିନ୍ତୁ ଏମାନେ ସମସ୍ତେ ଅଭିଜ୍ଞ ଟି-୨୦ ବ୍ୟାଟର। ଏହି ଫର୍ମାଟରେ ଆପଣଙ୍କୁ ସମୟ ବି ମିଳିବ।”

ସେ ଆହୁରି କହିଥିଲେ, “ନିଜକୁ ସେଟ୍ କରିବା ପାଇଁ ଆପଣ ଗୋଟିଏ କିମ୍ବା ଦୁଇଟି ଓଭର ସମୟ ନେଇପାରିବେ। ଏଠାରେ ପରିସ୍ଥିତି ଅଲଗା, ପିଚ୍ ଏତେ ସମତଳ ନୁହେଁ। ଗ୍ରାଉଣ୍ଡର ଆକାର ଓ ପିଚ୍‌ର ଗତି ସହ ନିଜକୁ ଖାପ ଖୁଆଇବାକୁ ପଡ଼ିବ। ତେଣୁ ଟିକେ ସମୟ ନେଇ ଖେଳିବା ଅତ୍ୟନ୍ତ ଜରୁରୀ।”

ସୂଚନା ଥାଉକି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଦ୍ୱିତୀୟ ଓ ତୃତୀୟରେ ଇଂଲଣ୍ଡ ବିଜୟୀ ହୋଇଛି। ଆଜି(ଗୁରୁବାର) ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ଆଉ ଭାରତ ଏହି ମ୍ୟାଚ୍ ଜିତି କମବ୍ୟାକ୍ କରିବାକୁ ଚାହିଁବ। ଅନ୍ୟପଟେ ଇଂଲଣ୍ଡ ଆଉ ଗୋଟିଏ ବିଜୟ ସହ ସିରିଜ ବିଜୟର ଲକ୍ଷ୍ୟ ରଖିଛି।