Iran’s top security chief appointed: ଅଲି ଲାରିଜାନୀଙ୍କ ବିୟୋଗ ପରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ (SNSC)ର ନୂଆ ସଚିବ ହେଲେ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘର ଜୋଲଗାଦର। ମଙ୍ଗଳବାର (୨୪ ମାର୍ଚ୍ଚ) ତାଙ୍କୁ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତିକୁ ଇରାନ ସର୍ବୋଚ୍ଚ ନେତା ମୋଜତାବା ଖାମେନି ଅନୁମୋଦନ କରିବା ପରେ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ତାଙ୍କୁ ମଙ୍ଗଳଭାର ନିଯୁକ୍ତି ଦେଇଛନ୍ତି।

ଜୋଲଗାଦର ଇରାନର ପୂର୍ବତନ ରିଭୋଲ୍ୟୁସନାରୀ ଗାର୍ଡ କମାଣ୍ଡର ଭାବେ ଦାୟିତ୍ୱ ତୁଲାଇଥିଲେ। ତେଣୁ ସାମରିକ କ୍ଷେତ୍ରରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ପୂର୍ବତନ SNSC ମୁଖ୍ୟ ଅଲି ଲାରଜାନୀଙ୍କୁ ଇସ୍ରାଏଲ୍ ଏୟାର୍ଷ୍ଟ୍ରାଇକ୍ କରି ହତ୍ୟା କରିଥିଲା। ତା’ପରେ ଏହି ସ୍ଥାନ ଫାଙ୍କା ପଡ଼ିଥିଲା।

Also read-ଆମେରିକାର କୂଟନୀତି ଦେଖି କିମ୍ ନିଆଁବାଣ, ଆଉ ଏକ ଯୁଦ୍ଧ ଆଶଙ୍କା, ଚିନ୍ତାରେ ବିଶ୍ୱ

ଫେବ୍ରୁଆରୀ ୨୮ରେ ଇସ୍ରାଏଲ ଓ ଆମେରିକା ମିଳିତ ଆକ୍ରମଣ କରି ଇରାନର ଏକାଧିକ ନେତାଙ୍କୁ ହତ୍ୟା କରି ସାରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏଥିରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଶତ୍ରୁର ଆକ୍ରମଣରେ ଇରାନର ସାମରିକ ଏବଂ ସୁରକ୍ଷା କମାଣ୍ଡର ମୂଳ ଦୁଆ ନଷ୍ଟ ହୋଇଯାଇଛି।

ଯେଉଁଥିରେ IRGCର କମାଣ୍ଡର-ଇନ୍-ଚିଫ୍ ମେଜର ଜେନେରାଲ ମହମ୍ମଦ ପାକପୁର; ଜେନେରାଲ ଷ୍ଟାଫ୍ ଚିଫ୍ ମେଜର ଜେନେରାଲ ଅବଦୋଲରାହିମ୍ ମୁସାଭି; ଏବଂ ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର ଜେନେରାଲ ଅଜିଜ୍ ନାସିରଜାଦେହଙ୍କ ମଧ୍ୟ ମୃତ୍ୟୁ ହୋଇ ସାରିଛି।

ସେହିପରି ମାର୍ଚ୍ଚ ମଝିରେ ଆକ୍ରମଣ ତୀବ୍ର ହେବା ପରେ ଇରାନର ଦ୍ୱିତୀୟ ନେତୃତ୍ୱକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣ ଫଳରେ ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି ଏବଂ ଅର୍ଦ୍ଧସାମରିକ ବାସିଜ ବାହିନୀର ମୁଖ୍ୟ ଘୋଲାମରେଜା ସୋଲେମାନିଙ୍କ ମୃତ୍ୟୁ ଘଟିଥିଲା। ଏହି ବଡ଼ କ୍ଷତି ଯୋଗୁ ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନି ଇରାନର ଏକ ଦ୍ରୁତ ଏବଂ ମୌଳିକ ପୁନର୍ଗଠନ କରିବାକୁ ବାଧ୍ୟ ହୋଇଛନ୍ତି।

ସେପଟେ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଶକ୍ତି ସଂକଟ ଦେଖା ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚୁକ୍ତି ନେଇ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି। ଏବଂ ୫ ଦିନ ପାଇଁ ଆକ୍ରମଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ହେଲେ ଇରାନ କହିଛି ଏସବୁ ସମ୍ପୂର୍ଣ୍ଣ ମିଛ। ବଜାରକୁ ଆଶ୍ୱସ୍ତି ଦେବା ପାଇଁ ଟ୍ରମ୍ପ ଏହି ମିଛ ଘୋଷଣା କରିଛନ୍ତି। ସେଭଳି କୌଣସି ଆଲୋଚନା ହୋଇ ନାହିଁ ବୋଲି ଇରାନ କହିଛନ୍ତି। ସେପଟେ ନାଁ ଗୋପନ ରଖି ଇସ୍ରାଏଲ୍ ଦୁଇ ଅଧିକାରୀ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେମାନେ କହିଛନ୍ତି ଯେ ଟ୍ରମ୍ପ ଡିଲ୍ କରିବାକୁ ରାଜି ଅଛନ୍ତି। ହେଲେ ତାଙ୍କ ନୂଆ ଆଲୋଚନାରେ ସେ ଯେଉଁ ସର୍ତ୍ତ ରଖିଛନ୍ତି, ଇରାନ ଏହାକୁ ଅସ୍ୱୀକାର କରିପାରେ ବୋଲି ସେମାନେ ରୟଟର୍ସକୁ ସୂଚନା ଦେଇଛନ୍ତି।