ନୂଆଦିଲ୍ଲୀ, ୨୧/୧୦:ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ଏବଂ ଚୁକ୍ତିକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି । ଉଭୟ ଦେଶ ଏପ୍ରସଙ୍ଗରେ ବାରମ୍ବାର ଆଲୋଚନା କରୁଛନ୍ତି । ଏବେ ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବଡ଼ ବୟାନ ଦେଇଛନ୍ତି । ଦୁଇ ଦେଶ ନୂଆ ବାଣିଜ୍ୟ ଚୁକ୍ତିର ଖୁବ୍ ନିକଟତର ବୋଲି ଟ୍ରମ୍ପ୍ କହିଛନ୍ତି । ଯାହା ପୂର୍ବରୁ ହୋଇଥିବା ଚୁକ୍ତିରୁ ଭିନ୍ନ ବୋଲି ସେ ପ୍ରକାଶ କରିଛନ୍ତି ।

ମଙ୍ଗଳବାର ଟ୍ରମ୍ପ୍ ସାମ୍ବାଦିକଙ୍କ ସହ ଭାରତ-ୟୁଏସ୍ ବାଣିଜ୍ୟ କାରବାରକୁ ନେଇ ଆଲୋଚନା କରିଥିଲେ । ଏଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବୁଝମଣାର ଖୁବ୍ ନିକଟରେ ଦୁଇ ଦେଶ ପହଁଚିଛନ୍ତି । ଭାରତ ଚୁକ୍ତି କରିବାକୁ ଚାହୁଁଛି । ଆମେରିକା ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛି । ପୂର୍ବରୁ ହୋଇଥିବା ଅନେକ ଚୁକ୍ତିଠୁ ଏହା ଭିନ୍ନ ହେବ ବୋଲି ୟୁଏସ ରାଷ୍ଟ୍ରପତି ପ୍ରକାଶ କରିଛନ୍ତି ।

Also Read :- ଲଦାଖର ଏହି ସୁପରଫୁଡ୍ , ସ୍ୱାସ୍ଥ୍ୟକ୍ଷେତ୍ରରେ ସାଜିବ ରାମବାଣ : ଗୋୟଲ

ଟ୍ରମ୍ପଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ଆମେରିକାର ବୈଦେଶିକ ସଚିବ ଭାରତ ଗସ୍ତରେ ଅଛନ୍ତି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ନେଇ ଆଲୋଚନା ହେବ । ଚଳିତ ମାସର ଆରମ୍ଭରେ ଭାରତର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗାଏଲ ମଧ୍ୟ ବାଣିଜ୍ୟ ଚୁକ୍ତି ବାବଦରେ ଆମେରିକାର ପ୍ରତିନିଧି ଜାମିସନ୍ ଗ୍ରୀରଙ୍କୁ ଭେଟିଥିଲେ ।

ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଗତ ଫେବ୍ରୁଆରୀରେ ବଡ଼ ଧରଣର ବାଣିଜ୍ୟ ଡିଲ୍ ନେଇ ଆଲୋଚନା ହୋଇଥିଲା । ଦୁଇ ଦେଶ ଏହାର ରୂପରେଖ ତିଆରି କରିବେ ବୋଲି ଘୋଷଣା କରିଥିଲେ । ଏବେ ଆମେରିକା ଟାରିଫ୍ ନିୟମରେ ପରିବର୍ତ୍ତନ କରିବା ପରେ ଚୁକ୍ତିକୁ ନେଇ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଛି ।