Trump wants deal with iran: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ରୋକିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଏକ କୂଟନୈତିକ ଚୁକ୍ତି କରିବାକୁ ଚାହୁଁଛନ୍ତି। ଏନେଇ ତିନି ବରିଷ୍ଠ ଇସ୍ରାଏଲୀ ଅଧିକାରୀଙ୍କ ନିଜ ନାଁ ଗୋପନ ରଖି ନ୍ୟୁଜ ଏଜେନ୍ସି ରୟଟର୍ସକୁ ସୂଚନା ଦେଇଛନ୍ତି। ତେବେ ଏହି ଚୁକ୍ତିର ସଫଳତା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। କାରଣ ତେହେରାନ କୌଣସି ନୂଆ ଆଲୋଚନାରେ ଆମେରିକାର ପ୍ରମୁଖ ସର୍ତ୍ତଗୁଡ଼ିକୁ ଗ୍ରହଣ କରିବା ସମ୍ଭାବନା କମ ରହିଛି ବୋଲି ସେମାନେ କହିଛନ୍ତି।

ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଓ ତେହେରାନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଏହା ଭୟଙ୍କର ଯୁଦ୍ଧରେ ପରିଣତ ହୋଇଥିଲା। ଯାହାର ପରିଣାମ ସ୍ୱରୂପ ଇରାନରେ ୧୫୦୦ ଲୋକଙ୍କର ମୃତ୍ୟୁ ହେବା ସହ ପୂରା ବିଶ୍ୱ ବର୍ତ୍ତମାନ ଶକ୍ତି ସଂକଟର ସାମ୍ନା କରୁଛି। ଆମେରିକା ଚାହୁଁଛି ଇରାନ ପରମାଣୁ ଶକ୍ତିକୁ ସମୃଦ୍ଧ ନ କରୁ ଓ ବାଲିଷ୍ଟିକ ମିସାଇଲର୍ ପରିସରକୁ ନ ବଢାଉ। ହେଲେ ଇରାନ ନିଜର ସାମର୍ଥ୍ୟ ସହ ସାଲିସ୍ କରିବାକୁ ଆଦୌ ଚାହୁଁ ନାହିଁ। ଯାହା ବର୍ତ୍ତମାନ ସଂଘର୍ଷର କାରଣ ପାଲଟିଛି।

Also read- ଆମେରିକାର କୂଟନୀତି ଦେଖି କିମ୍ ନିଆଁବାଣ, ଆଉ ଏକ ଯୁଦ୍ଧ ଆଶଙ୍କା, ଚିନ୍ତାରେ ବିଶ୍ୱ

ଟ୍ରମ୍ପଙ୍କ ଘୋଷଣା ପରେ ଇରାନ ଅସ୍ୱୀକାର

ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ରହିଥିବା ବେଳେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚୁକ୍ତି ସମ୍ଭାବନା ନେଇ ଘୋଷଣା କରିଥିଲେ। ସେ କହିଥିଲେ ଯେ ମଧ୍ୟପ୍ରାଚ୍ୟରେ ଶତ୍ରୁତାର ସମ୍ପୂର୍ଣ୍ଣ ଶେଷ ଓ ସମାଧାନ କରିବା ଦିଗରେ ଆମେରିକା ଓ ଇରାନ ମଧ୍ୟରେ ଖୁବ୍ ଭଲ ଓ ଫଳପ୍ରଦ ଆଲୋଚନା ହୋଇଛି। ଟ୍ରମ୍ପଙ୍କ ଏହି ଘୋଷଣା ପରେ ତୁରନ୍ତ ଇରାନ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା। ୟୁଏସ୍ ସହ ଏପରି କୌଣସି ଆଲୋଚନା ହୋଇ ନାହିଁ ବୋଲି ଇରାନ କହିଥିଲା। ତେଣୁ ଏଥିରେ ଦୁଇ ଦେଶ ମଧ୍ୟରେ ଗଭୀର ଅବିଶ୍ୱାସ ଥିବା ସ୍ପଷ୍ଟ ହୋଇଛି। ତେଣୁ କୂଟନୈତିକ ସଫଳତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସବୁଠାରୁ ବଡ଼ କଥା ହେଲା ଟ୍ରମ୍ପ ସୋମବାର ଠାରୁ ଇରାନ ଉପରେ ଆକ୍ରମଣକୁ ୫ ଦିନ ପାଇଁ ସ୍ଥଗିତ ରଖିଛନ୍ତି।

Also read- ଇରାନ ପାଖରେ ଅଦୃଶ୍ୟ ଶକ୍ତି ! ନେତୃତ୍ୱ ନଥାଇ ବି ତେହେରାନ ଶକ୍ତିଶାଳୀ

ଯୁଦ୍ଧରେ ଏପର୍ଯ୍ୟନ୍ତ

ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଏତେ ଭୟଙ୍କର ରୂପ ନେଇଛି ଯେ ଏଥିରେ ବ୍ୟାପକ ଆଞ୍ଚଳିକ ଅସ୍ଥିରତା ଏବଂ ବିଶ୍ୱ ଶକ୍ତି ପ୍ରବାହରେ ଦୀର୍ଘକାଳୀନ ବାଧା ସୃଷ୍ଟି କରିବାର ଭୟ ବଢ଼ାଇ ଦେଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ଏବଂ ପଡ଼ୋଶୀ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଗୁ ତୈଳ ମୂଲ୍ୟ ପ୍ରାୟ ୫୦% ବୃଦ୍ଧି ପାଇଛି। ଯାହା ବିଶ୍ୱ ଅର୍ଥନୀତିକୁ ଆଘାତ ଦେଇଛି। ଏହି ଯୁଦ୍ଧ ଯୋଗୁ ବିଭିନ୍ନ ଦେଶରେ ୨୦୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଯେଉଁଥିରେ ସର୍ବାଧିକ ମୃତାହତ ଇରାନ ଏବଂ ଲେବାନନରେ ହୋଇଥିବା ରିପୋର୍ଟ କରାଯାଇଛି।