ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ। ଦଳ ଟି-୨୦ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଗୁରୁବାର ଖେଳାଯିବ। ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ଖେଳା ଯିବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ କିପରି ରହିବ, ତାହା ଉପରେ ସଭିଙ୍କ ନଜର ରହିଛି। କେଉଁ ବ୍ୟାଟର ଏବଂ କେଉଁ ବୋଲରଙ୍କୁ  ନେଇ ଦଳର  ସଠିକ ସଂଯୋଜନ ରହିବ ତା ଉପରେ ଦଳ ପ୍ରବନ୍ଧକ ବିଚାର ଚଳାଇଛନ୍ତି। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ଦିନ ୧୨ଟା ୩୦ରେ ଆରମ୍ଭ ହେବ।

ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯିବା ପରେ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ଵ ଭୁବନେଶ୍ଵର କୁମାର ଓ ଅର୍ଶଦୀପଙ୍କ କାନ୍ଧରେ ରହିଛି। ସେପଟେ ଆହତ ସମସ୍ୟାରୁ ମୁକୁଳିଥିବା ବରୁଣ ଚକ୍ରବର୍ତ୍ତୀଙ୍କ ଚୂଡ଼ାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ ଘଟିବା ନିଶ୍ଚିତ ଲାଗୁଛି। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ମ୍ୟାଚରେ ସୁଯୋଗ ମିଳିବାର ସମ୍ଭାବନା କମ ରହିଛି। କାରଣ ଓପନିଂ ଭାବେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଓପନିଂ ଯୋଡ଼ି ଉପରେ ଦଳ ପ୍ରବନ୍ଧକଙ୍କ ଭରସା ରହିଛି। ତେଣୁ ବୈଭବଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ।

Also Read: ଆହୁରି ଅନେକ ମାସ ଯାଏ କ୍ରିକେଟରୁ ଦୂରରେ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଟୁର୍ଣ୍ଣାମେଣ୍ଟରେ ହୋଇପାରେ ପ୍ରତ୍ୟାବର୍ତ୍ତନ

ଭୁବନେଶ୍ଵର କୁମାର ଏବଂ ଅର୍ଶଦୀପ ସିଂଙ୍କ ପରେ ତୃତୀୟ ଦ୍ରୁତ ବୋଲର ଭାବେ ପ୍ରିନ୍ସ ଯାଦବ କିମ୍ବା ମୟଙ୍କ ଯାଦବ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ତେବେ ଦଳର ବର୍ତ୍ତମାନ ସମୀକରଣକୁ ଦେଖିଲେ ପ୍ରିନ୍ସ ଯାଦବଙ୍କୁ ଅଧିକ ପ୍ରାଥମିକତା ମିଳିବାର ସମ୍ଭାବନା ରହିଛି। ଶିବମ ଦୁବେ ଏବଂ ନୀତିଶ କୁମାର ରେଡ୍ଡୀଙ୍କ ରୂପେ ଭାରତୀୟ ଟିମ୍ ପାଖରେ ଦ୍ରୁତ ବୋଲିଂ ଅଲରାଉଣ୍ଡରଙ୍କ ବିକଳ୍ପ ରହିଛି। ତେବେ ଦୁହିଁଙ୍କୁ  ଏକ ସଙ୍ଗେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁଛି କି ନାହିଁ ତାହା ଦେଖିବା ବାକି ରହିଲା।

କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ

ସ୍ପିନ ବୋଲିଂରେ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇପାରେ।। ଆହତ କାରଣରୁ ସେ ଏସୀୟ କ୍ରୀ ୨୦୨୬ ଏବଂ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ଖେଳି ପାରି ନ ଥିଲେ। ଏବେ ତାଙ୍କର ପ୍ରତ୍ୟାବର୍ତ୍ତନରେ କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଅଲରାଉଣ୍ଡର ନମନ ଧୀରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବାର ଅଧିକ ସମ୍ଭାବନା ରହିଛି। ଫଳରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିବା ସହଜ ହେବନି।

ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବିତ ଏକାଦଶ

ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅଭିଷେକ ଶର୍ମା, ଇଶାନ କିଶନ, ଶ୍ରେୟସ ଆୟର(ଅଧିନାୟକ), ତିଳକ ବର୍ମା, ନମନ ଧୀର, ନୀତିଶ କୁମାର ରେଡ୍ଡୀ, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ।

ପ୍ରଥମ ଟି-୨୦ ପାଇଁ ନ୍ୟୁଜିଲାଣ୍ଡର ସମ୍ଭାବିତ ଏକାଦଶ

ଟିମ୍ ସେଇଫର୍ଟ, ଫିନ ଆଲେନ, ଡେଭନ କନଓ୍ଵେ(ଓ୍ଵିକେଟ୍ କିପର), ଡାରିଲ ମିଚେଲ୍,ବେଓ୍ଵନ ଜ୍ୟାକବ୍ସ, ଗ୍ଲେନ ଫିଲିପ୍ସ, ମାଇକେଲ୍ ବ୍ରେସଓ୍ଵେଲ, ମିଚେଲ୍ ସାଣ୍ଟନର(ଅଧିନାୟକ), ମ୍ୟାଟ ହେନରୀ, ଲୋକି ଫର୍ଗ୍ୟୁସନ, ଜାକବ ଡଫି।