ପଲକ୍କଡ଼ ୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କେରଳର ପଲକ୍କଡରୁ ବିଧାନସଭା ନିର୍ବାଚନର ଶଙ୍ଖନାଦ କରିଛନ୍ତି। ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ମୋଦି ବାମପନ୍ଥୀ ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏହା ସହିତ ଆଗକୁ କେରଳରେ କେବଳ ଏନଡିଏ ସରକାର ହେବ ବୋଲି ଦୃଢ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପଲକ୍କଡର ଫୋର୍ଟ ମୈଦାନରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଏଥର କେରଳ ପରିବର୍ତ୍ତନର ସଂକେତ ଦେଉଛି। ପଲକ୍କଡରୁ ଜଣାପଡୁଛି କେରଳରେ ଏବେ ମୁମେଣ୍ଟମ ହୋଇସାରିଛି।

ପ୍ରଧାନମନ୍ତ୍ରୀ ଏହି ଅବସରରେ କେରଳରେ ରାଜନୈତିକ ହିଂସାରେ ପ୍ରାଣ ହରାଇଥିବା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସ୍ମୃତି ଚାରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କେରଳର ସ୍ୱାର୍ଥ ଦୁଇ ରାଜନୈତିକ ମୁଖା ମଧ୍ୟରେ ଫଶି ରହିଛି। ଏଥିରେ ଗୋଟିଏ ପଟେ ଏଲଡିଏଫ ଥିବା ବେଳେ ଅନ୍ୟପଟେ ୟୁଡିଏଫ ରହିଛି। ଗୋଟିଏ ପଟେ କମ୍ୟୁନିଷ୍ଟ ଥିବା ବେଳେ ଅନ୍ୟପଟେ କଂଗ୍ରେସ ରହିଛି। ଏଲଡିଏଫ ଓ ୟୁଡିଏଫ ନୀତି କେବଳ ଭୋଟବ୍ୟାଙ୍କ ରାଜନୀତି ପାଇଁ କେରଳର ବିକାଶ ନିମନ୍ତେ ନୁହେଁ । ତେବେ ମୁଁ ଆପଣମାନଙ୍କୁ ଭରସା ଦେଉଛି ଏଠାରେ ହେବାକୁ ଥିବା ବିଜେପି-ଏନଡିଏ ସରକାର କେରଳର ଦ୍ରୁତ ବିକାଶ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଲଡିଏଫ ଓ ୟୁଡିଏଫ ଦୀର୍ଘ ଦଶନ୍ଧୀ ଧରି କେରଳକୁ ମିଳିମିଶି ଲୁଟିଛନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ବୁଝାମଣା ମଧ୍ୟ ହୋଇଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିକାଲି କମ୍ୟୁନିଷ୍ଟ ଓ କଂଗ୍ରେସ ଏକ ନୂଆ ପ୍ରୋପାଗଣ୍ଡା ଆରମ୍ଭ କରିଛନ୍ତି କମ୍ୟୁନିଷ୍ଟ କହୁଛନ୍ତି କଂଗ୍ରେସ ବିଜେପିର ‘ବି’ ଟିମ୍। ସେହିପରି କଂଗ୍ରେସ କହୁଛି କମ୍ୟୁନିଷ୍ଟି ବିଜେପିର –ବି ଟିମ୍। ଏହାର ଅର୍ଥ ହେଉଛି ଏଥର କେରଳରେ ଏଲଡିଏଫ ଓ ୟୁଡିଏଫ ଏହା ଜାଣି ସାରିଲେଣି ଯେ ଏଥର ନିର୍ବାଚନରେ ଯଦି କୌଣସି ଗୋଟିଏ ଟିମ୍ ଥାଏ ସିଏ ହେଉଛି ବିଜେପି। ଏଣୁ ବିଜେପି ମେଣ୍ଟ ରାଜ୍ୟରେ ସରକାର ଗଢିବା ନିଶ୍ଚିତ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି କେରଳ ମୁଣ୍ଡରେ ଏବେ ୫ଲକ୍ଷ କୋଟି ଟଙ୍କାର ଋଣ ବୋଝ। ପିଛିଲା ୧୦ ବର୍ଷରେ ଏହି ଋଣ ୩ ଗୁଣା ବଢିଛି। କେରଳର ଲୋକେ ପଚାରୁଛନ୍ତି ରାଜ୍ୟ ଭାଗ ପଇସା କୁଆଡେ ଯାଉଛି? ଏହାର ଉତ୍ତର କେବଳ ଏଲଡିଏଫ। ରାଜ୍ୟ ଭାଗ ପଇସା ଏଲଡିଏଫ ପକେଟକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଣୁ ରାଜ୍ୟରେ ଯଦି ଏନଡିଏ ସରକାର ହୁଏ ତେବେ ଦୁର୍ନୀତିଗ୍ରସ୍ତଙ୍କ ଠାରୁ ଏହି ପଇସା ବାହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।