• ମକ ପାର୍ଲ୍ୟାମେଣ୍ଟ ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ମକ ପାର୍ଲ୍ୟାମେଣ୍ଟ ଅନୁଷ୍ଠିତ ହୋଇଛି
  • ୨୦୧୦ରେ ବାମପନ୍ଥୀଙ୍କଠୁ ଆରମ୍ଭ କରି ଦକ୍ଷିଣ ପନ୍ଥୀ ୪ ମୁଖ୍ୟ ପାର୍ଟି ସଂସଦରେ ମକ ପାର୍ଲ୍ୟାମେଣ୍ଟ କରିଥିଲେ
  • ୧ ଘଣ୍ଟାରୁ ଅଧିକ କାଳ ଧରି ଅନୁଷ୍ଠିତ ମକ ପାର୍ଲ୍ୟାମେଣ୍ଟର ସେତେବେଳେ ବିଜେପି ନେତୃତ୍ୱ ନେଇଥିଲା
  • ବିଜେପିର ଏହି ମକ ପାର୍ଲ୍ୟାମେଣ୍ଟକୁ ସପା ସମର୍ଥନ କରିଥିଲା ଓ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ହୋଇଥିଲେ

ନୂଆଦିଲ୍ଲୀ:ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ୩୧ ଅକ୍ଟୋବର ଶନିବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ‘ମକ ପାର୍ଲ୍ୟାମେଣ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର ଅଧ୍ୟକ୍ଷତା କରିଛନ୍ତି। ‘ଇଣ୍ଡିଆ’ ମେଣ୍ଟର ଏହି କାର୍ଯ୍ୟକ୍ରମ ରାମଲିଳା ମୈଦାନରେ ବିରୋଧୀ ଦଳଙ୍କ ପ୍ରସ୍ତାବିତ ‘ଦିଲ୍ଲୀ ଚଲୋ’ ରାଲିର ଦିନକ ପୂର୍ବରୁ ଅନୁଷ୍ଠିତ ହୋଇଛି, ଯେଉଁଥିରେ ବିରୋଧୀ ଦଳମାନେ ସିଇସିଙ୍କ ଇସ୍ତଫା ଦାବିକୁ ଦୃଢ ସମର୍ଥନ କରିଛନ୍ତି।

ଖଡଗେଙ୍କ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିରୋଧୀ ଦଳମାନେ ‘ସାର୍ବଜନୀନ ମହାଭିଯୋଗ’ ନାମ ଦେଇଛନ୍ତି। ଆୟୋଜନ ମାଧ୍ୟମରେ ବିରୋଧୀ ଦଳମାନେ କଥିତ ଭୋଟ ଚୋରି ଓ ଏସଆଇଆରକୁ ନେଇ ନିଜନିଜର ଆପତ୍ତି କରିଛନ୍ତି। ମୀରା କୁମାର କହିଛନ୍ତି ଯେ ‘ଆମ ଗଣତନ୍ତ୍ର ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର। ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ସମେତ ସାରା ବିଶ୍ୱର ଦେଶ ଆମ ଆଡକୁ ଅନେଇଛନ୍ତି ଓ ଆମ ଗଣତନ୍ତ୍ର ମଡେଲକୁ ଅନୁସରଣ କରୁଛନ୍ତି। ଆମ ଗଣତନ୍ତ୍ର ନିର୍ବାଚନ ଶକ୍ତିରେ ଚାଲୁଛି ଓ ଏହି ନିର୍ବାଚନ ଶକ୍ତିର କେନ୍ଦ୍ରରେ ଭୋଟରଙ୍କ ଆତ୍ମା ରହୁଛି। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାରେ ଭୋଟର ହିଁ କେନ୍ଦ୍ର ବିନ୍ଦୁ ହୋଇଥାନ୍ତି। ଯଦି କୌଣସି ଜଣେ ଭୋଟରଙ୍କୁ ମତାଧିକାର ସାବ୍ୟସ୍ତରୁ ବଞ୍ଚିତ କରାଯାଏ, ଏହା ଆମର ଗଣତନ୍ତ୍ରର ଆତ୍ମା ଉପରେ ପ୍ରହାର। କୋହାକୁ ମତଦାନରୁ ରୋକିବା ଆମ ଗଣତନ୍ତ୍ରର କ୍ଷତି’।

ରାତାରାତ ହୋଇଥିଲା ଏସଆଇଆର ଘୋଷଣା
କଂଗ୍ରେସ ସଭାପତି ଖଡଗେ କହିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ରାତାରାତ ଏସଆଇଆର ଘୋଷଣା କରିଥିଲେ। ଏହାକୁ ଏବେ ପୁରା ଦେଶରେ ଲାଗୁ କରାଯାଇଛି, ଯାହାର ଅସଲ ଉଦ୍ଦେଶ୍ୟ ବିଜେପିର ବିରୋଧୀଙ୍କ ଭୋଟ ହଟାଇବା। ମୋଦି ସରକାର ନିଜ ବିଫଳତା ଲୁଚାଇବା ଲାଗି ବାହାର ଲୋକ ଓ ଅନୁପ୍ରବେସକାରୀଙ୍କ ବାହାନା କରୁଛି। ସେ ଅଭିଯୋଗ କରୁଛି ଯେ ଆମେ ଅନୁପ୍ରବେଶକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରୁଛୁ। ଏହା ଆଦୌ ଠିକ୍ ନୁହେଁ ଓ ଆମେ କେବଳ ଅସଲୀ ଏବଂ ବୈଧ ଭୋଟରଙ୍କ ନାମ ତାଲିକାରେ ରହିବା ଚାହୁଁଛୁ ବୋଲି କହିଛନ୍ତି। ଏଣୁ ଆମେ ଦାବି କରୁଛୁ ସିଇସିଙ୍କୁ ତତ୍କାଳ ତାଙ୍କ ପଦବୀରୁ ହଟାଇ ୨୦୨୩ ଆଇନକୁ ରଦ୍ଦ କରାଯାଉ।

ଖଡଗେ ଆଣିଛନ୍ତି ୬ ଅଭିଯୋଗ
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସିଇସିଙ୍କ ବିରୋଧରେ ୬ଟି ଅଭିଯୋଗ ଆଣିଛନ୍ତି। ଏଥିରେ ସେ ପ୍ରଥମେ ସିଇସି ନିର୍ବାଚନ ଚୋରାଇବାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ସେହିପରି ଦେଶର ୧୩.୩କୋଟି ନାଗରିକ ମତଦାନ ଅଧିକାର ହରାଇଥିବା, ସଂସଦକୁ ନ ଜଣାଇ ଫର୍ମ-୬କୁ ପୁଣି ଲେଖିବା, ଇସିଆଇ ନେଟ୍ ମାଧ୍ୟମରେ ଭୋଟର ଲିଷ୍ଟ କବଜା କରିବା, ନିଜ ସାମ୍ବିଧାନିକ ଦାୟିତ୍ୱର ଉଲ୍ଲଂଘନ କରିବା, ଅନ୍ୟ ୨ ନିର୍ବାଚନ କମିଶନରଙ୍କୁ ପ୍ରକ୍ରିୟାରୁ ଦୂରେଇ ରଖିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇଶାରାରେ କାମ କରିବା ଅଭିଯୋଗ ଆଣିଛନ୍ତି।

ରଖିଲେ ୩ ବଡ଼ ଦାବି
ମଲ୍ଲିକାର୍ଜୁନ ଖଡଗେ ସିଇସିଙ୍କ ବିରୋଧରେ ୬ ଟି ବଡ ଅଭିଯୋଗ ଆଣିବା ପରେ ୩ଟି ଦାବି ରଖିଛନ୍ତି। ସେ କହିଛନ୍ତି ଯେ ସିଇସି ଜ୍ଞାନେସ କୁମାର ଯେଉଁ କାର୍ଯ୍ୟ କରିଛନ୍ତି ତାହା ଅତ୍ୟନ୍ତ ଜଘନ୍ୟ ଓ ଏଥିପାଇଁ ପ୍ରଥମେ ତାଙ୍କୁ ପଦ ଛାଡିବାକୁ ପଡିବ। ସେହିପରି ଦ୍ୱିତୀୟ ଦାବିରେ ଦେଶରେ ଚାଲିଥିବା ଏସଆଇଆର ପ୍ରକ୍ରିୟାକୁ ବନ୍ଦ କରିବା କହିଛନ୍ତି । ଏହି ପ୍ରକ୍ରିୟା ବନ୍ଦ ନ ହେଲେ ଦେଶରେ ନାଗରିକଙ୍କ ୨ଟି ଶ୍ରେଣୀ ସୃଷ୍ଟି ହେବ ଓ ଅନେକ ନାଗରିକ ମତାଧିକାରରୁ ବଞ୍ଚିତ ହେବେ। ସେହିପରି ଖଡଗେ ତାଙ୍କର ତୃତୀୟ ଦାବିରେ ୨୦୨୩ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ସମ୍ପର୍କିତ ଆଇନ ବଦଳାଯିବା ଦରକାର ବୋଲି କହିଛନ୍ତି।

ଶାସନ ମୁଠେଇ ରଖିବାର ଏକ ବିରାଟ ଷଡ଼ଯନ୍ତ୍ର
ଖଡଗେ କହିଛନ୍ତି ଯେ ଶାସନ ଜାବୁଡି ରଖିବା ପାଇଁ ମୋଦି ସବୁ ପ୍ରକାରର ଷଡ଼ଯନ୍ତ୍ର କରୁଛନ୍ତି। ନିର୍ବାଚନୀ ବଣ୍ଡ ହେଉ ଅଥବା ସାଂସଦ ଚୋରି ଓ ଏବେ ଭୋଟ ଚୋରି ଆମ ପାଖରେ ମୋଦିଙ୍କ ଷଡ଼ଯନ୍ତ୍ରର ଶହଶହ ଉଦାହରଣ ରହିଛି। ଏଥି ପାଇଁ ବିରୋଧୀ ଦଳଙ୍କ ୧୪୫ ସାଂସଦଙ୍କୁ ନିଲମ୍ବିତ କରି ବିଧେୟକ ସବୁ ଗୃହୀତ କରାଯାଇଛି। ଏହି ଆଇନ ସିଇସିଙ୍କୁ ଏପରି ସୁରକ୍ଷା ଦେଉଛି ଯାହା ରାଷ୍ଟ୍ରପତିଙ୍କୁ ମଧ୍ୟ ମିଳି ନାହିଁ। ସେହିପରି କଂଗ୍ରେସ ସାଂସଦ ପବନ ଖେରା କହିଛନ୍ତି ଯେ ‘ଯଦି ଏହା ଲୋକ ଦେଖାଣିଆ ସଂସଦ ନୁହେଁ ଏହା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ‘ସାର୍ବଜନିକ ମହାଭିଯୋଗ’ କୁହାଯାଇପାରେ’। କାରଣ ଏଥିରେ କେବଳ ଇଣ୍ଡି ମେଣ୍ଟ ନୁହେଁ ବହୁ ସଂଖ୍ୟାରେ ଜନତା, ନାଗରିକ ସମାଜର ଲୋକେବି ସାମିଲ ହେବାକୁ ଚାହାନ୍ତି।