ମୁମ୍ବାଇ: ଆଇପିଏଲ୍ ୨୦୨୬ ସିଜନ ସଫଳତାର ସହ ଶେଷ ହୋଇଛି। ଗତ ରବିବାର ଏହି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ହେଲେ ସିଜନ୍ ଶେଷ ହେବାର ମାତ୍ର ୩ ଦିନ ପରେ ଏକ ବିବାଦୀୟ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ କ୍ରିକେଟ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳର ଜଣେ ପ୍ରମୁଖ ବିଦେଶୀ ଖେଳାଳି ଫ୍ରାଞ୍ଚାଇଜ୍ ବିରୋଧରେ ବାକି ଟଙ୍କା ଦେଇ ନଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଏହି ଷ୍ଟାର୍ ଖେଳାଳି ଜଣକ ହେଉଛନ୍ତି ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ମିଚେଲ ସାଣ୍ଟନର।

ଆହତ ସମସ୍ୟା କାରଣରୁ ସାଣ୍ଟନର ଚଳିତ ସିଜନରେ ମୁମ୍ବାଇ ପାଇଁ ସମସ୍ତ ମ୍ୟାଚ୍ ଖେଳିପାରି ନଥିଲେ। ଏବେ ସାଣ୍ଟନର ଦାବି କରିଛନ୍ତି ଯେ ଏମଆଇ ପକ୍ଷରୁ ତାଙ୍କୁ ମାତ୍ର ଅଧା ଦରମା ଦିଆଯାଇଛି। ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ସାଣ୍ଟନରଙ୍କୁ ୨ କୋଟି ଟଙ୍କାରେ ରିଟେନ୍ କରିଥିଲା। ଅନ୍ୟପଟେ, ସାଣ୍ଟନର ଆହତ ହେବାର ବାହାନା କରି ନ୍ୟୁଜିଲାଣ୍ଡର ଟେଷ୍ଟ ଦଳରେ ସାମିଲ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ଏହି ସବୁ ବିବାଦ ଉପରୁ ଏବେ କିୱି ଅଲରାଉଣ୍ଡର ନିଜେ ପରଦା ହଟାଇଛନ୍ତି।

Also Read: IPL ଟଙ୍କାରେ ସୁଝିଯିବ ସବୁ ଋଣ, ଲକ୍ଷ୍ନୌ ପ୍ଲେୟାର ମୁକୁଲଙ୍କ ମୁହଁରେ ଲୋନ୍ ଫ୍ରି'ର ହସ

ଦୁଇ ଦୁଇ ଥର କାନ୍ଧରେ ହୋଇଥିଲା ଆହତ ଜନିତ ସମସ୍ୟା

ପ୍ରସିଦ୍ଧ ‘ଗ୍ରେଡ୍ କ୍ରିକେଟର ପଡକାଷ୍ଟ’ରେ ସାକ୍ଷାତକାର ଦେଇ ସାଣ୍ଟନର ଆଇପିଏଲ୍ ସମୟର ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଦ୍ୱିତୀୟ ସନ୍ତାନର ଜନ୍ମ କାରଣରୁ ସେ ମୁମ୍ବାଇର ପ୍ରଥମ ମ୍ୟାଚ୍ ଖେଳିପାରି ନଥିଲେ। ଏହାପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ମ୍ୟାଚ୍ ଖେଳିବାକୁ ଓହ୍ଲାଇଥିଲେ, ମାତ୍ର ଦୁର୍ଭାଗ୍ୟବଶତଃ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଏଥିରୁ ସୁସ୍ଥ ହୋଇ ଦଳକୁ ଫେରିବା ପରେ ପୁଣିଥରେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ସମଗ୍ର ସିଜନରେ ମାତ୍ର ୪ଟି ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇଥିଲେ।

ଅଧା ଦରମା ମିଳିଥିବା ନେଇ ସାଣ୍ଟନରଙ୍କ ଦାବି

ସାଣ୍ଟନର ଖୋଲାଖୋଲି ଭାବେ କହିଛନ୍ତି ଯେ, ତାଙ୍କର ଦୁଇଟି ଯାକ କାନ୍ଧ ଆହତ ହୋଇଥିଲା। ସେ ଦଳ ପାଇଁ ନିଜ ଶରୀରକୁ ବାଜି ଲଗାଇ ଦେଇଥିଲେ ମଧ୍ୟ ଫ୍ରାଞ୍ଚାଇଜ୍ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଗଲା ନାହିଁ। ଦରମା ବାବଦରେ ବଡ଼ ଦାବି କରି ସେ କହିଛନ୍ତି ଯେ, ଚୁକ୍ତି ମୁତାବକ ୨ କୋଟି ଟଙ୍କା ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମାତ୍ର ଅଧା ଟଙ୍କା (୧ କୋଟି) ଦେଇଛି, ଯାହାକୁ ସେ ଆଦୌ ପସନ୍ଦ କରିନାହାନ୍ତି।

Also Read: ଚାଲୁନି ବ୍ୟାଟ୍, ବାହାରୁନି ରନ୍ : IPL ପରେ ମୁମ୍ବାଇ ଟି-୨୦ ଲିଗରେ ବି ସୂର୍ଯ୍ୟ ଫେଲ୍

ଆହତ ଖେଳାଳିଙ୍କ ପାଇଁ ଆଇପିଏଲର ନିୟମ କ'ଣ କହେ ?

ଆଇପିଏଲ୍ ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି ସିଜନ୍ ମଝିରେ ଆହତ ହୁଅନ୍ତି, ତେବେ ତାଙ୍କୁ ଚୁକ୍ତିନାମାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଏ। ତେବେ ଅନେକ ସମୟରେ ଫ୍ରାଞ୍ଚାଇଜ୍ ଗୁଡ଼ିକ କିସ୍ତି ଆକାରରେ ଖେଳାଳିଙ୍କୁ ଟଙ୍କା ଦେଇଥାନ୍ତି। ସାଣ୍ଟନରଙ୍କ ଏହି ସାଙ୍ଘାତିକ ଅଭିଯୋଗ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ କିମ୍ବା ଆଧିକାରିକ ବୟାନ ସାମ୍ନାକୁ ଆସିନାହିଁ।