ନୂଆଦିଲ୍ଲୀ, ୦୩/୦୬ : ସରିଛି ଆଇପିଏଲ-୨୦୨୬ । ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ତେବେ ଟୁର୍ଣ୍ଣାମେଣ୍ଚରେ ଅନେକ ନୂଆ ତାରକା ଉଭା ହୋଇଥିଲେ । ନିଜ ଦମରେ ମ୍ୟାଚ୍ ଜିତାଇଥିଲେ । ଏହି ତାରକାଙ୍କ ମଧ୍ୟରୁ ଜଣେ ହେଲେ ମୁକୁଲ ଚୌଧରୀ । ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିଲେ ମୁକାବିଲା । ଆଉ ଗୋଟିଏ ମୁକାବିଲାରେ ସେ ଦଳକୁ ନିଶ୍ଚିତ ପରାଜୟରୁ ରକ୍ଷା କରି ବିଜୟୀ କରାଇଥିଲେ ।

ରାତାରାତି ଷ୍ଟାର୍ ପାଲଟିଥିଲେ ମୁକୁଲ । ଏହାସହ ଭାରତକୁ ଜଣେ ନୂଆ ଫିନିଶର ମିଳିଥିଲା । ତେବେ ଆଇପିଏଲ ପରେ ସେ ତାଙ୍କ ମୁଣ୍ଡ ଉପରେ ଥିବା ସମସ୍ତ ଋଣରୁ ମୁକ୍ତି ପାଇଛନ୍ତି । ଏବେ ତାଙ୍କ ଉପରେ ଆଉ କୌଣସି ଆର୍ଥିକ ବୋଝ ନାହିଁ । ଦୀର୍ଘ ଦିନ ଧରି ନେଇଥିବା ବ୍ୟାଙ୍କ ଲୋନକୁ ମଧ୍ୟ ସେ ସୁଝି ଦେଇଛନ୍ତି ।

୨ କୋଟି ୬୦ ଲକ୍ଷରେ କିଣିଥିଲା ଲକ୍ଷ୍ନୌ

ମୁକୁଲଙ୍କୁ ଲକ୍ଷ୍ନୌ ୨ କୋଟି ୬୦ ଲକ୍ଷରେ କ୍ରୟ କରିଥିଲା । ଏବେ ସେ ଘରକୁ ଫେରିଛନ୍ତି । ଏହାସହ କହିଛନ୍ତି ଯେ, ତାଙ୍କ ବାପା ଜଣେ ଶିକ୍ଷକ । ଜେଜେ ବାପା ସେନା ବାହିନୀରେ କାର୍ଯ୍ୟ କରୁଥିଲେ । ତାଙ୍କ ପାଖରେ କେବଳ ଏକ ଜମି ଥିଲା । ଯାହାକୁ ବନ୍ଧା ପକାଇ ପରିବାର ଲୋକେ ବ୍ୟାଙ୍କରୁ ଲୋନ୍ ନେଇଥିଲେ । ଦୀର୍ଘ ଦିନ ଧରି ସେମାନେ ଭଡା ଘରେ ରହୁଥିଲେ । ଏବେ କିନ୍ତୁ ସବୁ ଲୋନ୍ ସେ ସୁଝି ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଟି୨୦ କ୍ରିକେଟରେ ଅନେକ ଚ୍ୟାଲେଞ୍ଜ୍ ଥାଏ । ଆଗରୁ ଇମପାକ୍ଟ୍ ପ୍ଲେୟାର ନିୟମ ନଥିଲା । ଏବେ ଦଳ ପାଖରେ ଅତିରିକ୍ତ ଅଲରାଉଣ୍ଡରର ବିକଳ୍ପ ରହୁଛି । ମାଇଣ୍ଡସେଟ୍ ରେ ପରିବର୍ତ୍ତନ ହେଉଛି ।

ବଦଳୁଛି କୋଚିଂ

ମୁକୁଲ କହିଛନ୍ତି ଯେ, ପୂର୍ବରୁ କୌଣସି କ୍ରିକେଟ୍ ଆକାଡେମୀରେ ଜଣେ କୋଚ୍ ରହୁଥିଲେ । ତାଙ୍କ ଅଧିନରେ ୨୦ରୁ ୩୦ ଜଣ ଟ୍ରେନିଂ ନେଉଥିଲେ । ଏବେ ସପୋର୍ଟ ଷ୍ଟାଫ୍ ରହୁଛନ୍ତି । ଖୁବ୍ କମ୍ ବୟସରୁ କ୍ରିକେଟ କୋଚିଂ ଦିଆଯାଉଛି । ବୈଭବ ସୂର୍ଯ୍ୟବଂଶୀ ହେଉଛନ୍ତି ଏହାର ବଡ ଉଦାହରଣ । ଯୁବ ଖେଳାଳିଙ୍କ ପାଇଁ ଆଇପିଏଲ ଏକ ଭଲ ପ୍ଲାଟଫର୍ମ୍ । ସମସ୍ତ କ୍ରିକେଟର ଭାରତ ପାଇଁ ଖେଳିବାକୁ ଆଶା ରଖିଥାନ୍ତି । ଆଇପିଏଲ ଏଥିପାଇଁ ବାଟ ଖୋଲିଥାଏ । ସେ ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ଖୁବ୍ ଉପଭୋଗ କରିଛନ୍ତି ।

ସଫଳତା ପଛରେ ପରିଶ୍ରମ

ମୁକୁଲ ଚୌଧରୀଙ୍କ କହିବାନୁସାରେ, ସେ କ୍ରିକେଟ୍ ଅଭ୍ୟାସ ପାଇଁ ସବୁଦିନ ଗୁରଗାଓଁରୁ ଭରତପୁର ଯିବା ଆସିବା କରୁଥିଲେ । ରାତିରେ ବସ୍ ଧରିବାକୁ ପଡୁଥିଲା । ବେଳେବେଳେ ସେ ଗୁରଗାଓଁରେ ରହିଯାଉଥିଲେ । ତାଙ୍କ ସହ ଭାଇ ମଧ୍ୟ ରହୁଥିଲେ । ଏହାକୁ ସେ ସଙ୍ଘର୍ଷ କହିବେ ନାହିଁ । ବରଂ ଏହା ହେଉଛି ତାଙ୍କର କଠିନ ପରିଶ୍ରମ । କାରଣ ବାପା ବିବାହ କରିବା ପୂର୍ବରୁ ହିଁ ପୁଅକୁ କ୍ରିକେଟର କରିବେ ବୋଲି ଇଚ୍ଛା ରଖିଥିଲେ । ଯାହାକୁ ସେ ପୂରଣ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଋଷଭ ପନ୍ତ, ମିଚେଲ୍ ମାର୍ଶଙ୍କଠାରୁ ସେ ଅନେକ କିଛି ଶିଖିବାକୁ ପାଇଛନ୍ତି । କିପରି ମ୍ୟାଚକୁ ଭଲ ଭାବେ ଖେଳାଯାଇପାରିବ ତାବା ମିଚେଲ ମାର୍ଶ ତାଙ୍କୁ କହୁଥିଲେ । ପନ୍ତ ମଧ୍ୟ ଅନେକ ପରାମର୍ଶ ଦେଉଥିଲେ । ତଥାପି ସେ ଗତ ସିଜିନରେ ଭଲ ପ୍ରଦର୍ଶନ କରି ନାହାଁନ୍ତି । ଆଗାମୀ ଦିନରେ ସେ ଏବଂ ଦଳ ଭଲ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବେ ବୋଲି ମୁକୁଲ କହିଛନ୍ତି ।

Also Read :- ନିଲାମ ହେବ କିମ୍ବଦନ୍ତୀ ଫୁଟବଲରଙ୍କ ଜର୍ସି, ୧୯୫୮ରେ ବ୍ରାଜିଲକୁ କରିଥିଲେ ବିଶ୍ୱକପ୍ ଚାମ୍ପିଅନ୍