ନୂଆଦିଲ୍ଲୀ, ୦୩/୦୬ : ବାରମ୍ବାର ଫେଲ୍ ହେଉଛନ୍ତି ସୂର୍ଯ୍ୟ କୁମାର ଯାଦବ । ଭାରତୀୟ ଟି୨୦ ଦଳର କ୍ୟାପ୍ଟେନ୍ ହେଲା ପରେ ତାଙ୍କ ବ୍ୟାଟରେ ଗ୍ରହଣ ଲାଗି ଯାଇଛି । ଆଗ ଭଳି ବଡ ପାଳି ଖେଳୁ ନାହାଁନ୍ତି ସ୍କାଏ । ବ୍ୟାଟରୁ ବାହାରୁନି ରନ୍ । ନିଜ ପସନ୍ଦର ସଟ୍ ମଧ୍ୟ ସେ ଖେଳିପାରୁ ନାହାଁନ୍ତି । ଟି୨୦ ବିଶ୍ୱକପରେ ସେ ନିରାଶ କରିଥିଲେ । ଦଳ ବିଜେତା ହୋଇଥିଲେ ବି ସ୍କାଏ ରନ୍ ସ୍କୋର୍ କରି ପାରିନଥିଲେ ।

କେବଳ ଏତିକି ନୁହେଁ, ଆଇପିଏଲରେ ମଧ୍ୟ ସୂର୍ଯ୍ୟ ଚମକ ହରାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ସୂର୍ଯ୍ୟ ପ୍ରାୟ ସବୁ ମୁକାବିଲାରେ ନିରାଶ କରିଥିଲେ । ଫଳରେ ଦଳ ସେମି ଫାଇନାଲରେ ପ୍ରବେଶ କରିପାରି ନଥିଲା । ସୂର୍ଯ୍ୟଙ୍କ ଫର୍ମ କାରଣରୁ ମୁମ୍ବାଇ ଲିଗ୍ ମୁକାବିଲାରୁ ବିଦା ହୋଇଥିଲା ।

ତେବେ ଆଇପିଏଲ ପରେ ବି ସୂର୍ଯ୍ୟଙ୍କ ଖରାପ ଫର୍ମ ଜାରି ରହିଛି । ନିକଟରେ ୨୦୨୬ ଟି୨୦ ମୁମ୍ବାଇ ଲିଗରେ ସୂର୍ଯ୍ୟ ପୁଣି ବିଫଳ ହୋଇଛନ୍ତି । ମୁମ୍ବାଇ ଲିଗରେ ସେ ଟ୍ରିୟୁମ୍ଫ୍ ନାଇଟ୍ସ ଟିମରେ ସାମିଲ ଅଛନ୍ତି । ଦଳର ନେତୃତ୍ୱ ମଧ୍ୟ ନେଉଛନ୍ତି । କିନ୍ତୁ ତାଙ୍କ ଦଳ ମୁମ୍ବାଇ ପାନ୍ଥର୍ସଠୁ ୨୧ ରନରେ ହାରିଛି । ଯାହାର ଅଧିନାୟକ ହେଉଛନ୍ତି ଆଜିଙ୍କ୍ୟ ରାହାଣେ ।

୨୧ ରନରେ ହାରିଲା ସ୍କାଏଙ୍କ ଟିମ୍

ମହାରାଷ୍ଟ୍ରର ଓ୍ୱାଙ୍ଖେଡେରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ରାହାଣେଙ୍କ ଟିମ୍ । ଦଳ ୨୦ ଓଭରରେ ୨୧୦ ରନର ବିଶାଳ ସ୍କୋର କରିଥିଲା । କିନ୍ତୁ ସୂର୍ଯ୍ୟ କୁମାରଙ୍କ ନାଇଟ୍ସ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । ସୂର୍ଯ୍ୟ ମଧ୍ୟ ୧୯ ରନ୍ କରି ଆଉଟ୍ ହୋଇଥିଲେ । ଫଳରେ ଦଳ ନିର୍ଧାରିତ ଓଭରରେ ୧୮୮ ରନ୍ କରିପାରିଥିଲା ।