ଭୁବନେଶ୍ଵର: ବିଜେଡିରେ ସୁଜାତା ରାଉତ ମିଶିବା ପରେ ଦଳ ଏବେ ଗ୍ରାଉଣ୍ଡକୁ ଯିବାକୁ ବଡ ରଣନୀତି ପ୍ରସ୍ତୁତ କରୁଛି । ବିଶେଷ କରି ବିଜେପି ସରକାରଙ୍କ ସୁଭଦ୍ରା ଯୋଜନାକୁ ଚେକ୍ ଦେବାକୁ ମିଶନ ଶକ୍ତିର କଥା କହି ସୁଜାତାଙ୍କୁ ସାମ୍ନାକୁ ଆଣିବାକୁ ଯାଉଛି ବିଜେଡି । ଏମିତି କି ସବୁ ନେତା ସୁଜାତାଙ୍କୁ ମିଶନ ଶକ୍ତିର ମଙ୍ଗୁଆଳ କହି ପ୍ରଶଂସା କରୁଛନ୍ତି । ଯାହାକୁ ନେଇ ଆଗାମୀ ଦିନରେ ପ୍ରଚାର କରିବାକୁ ଯୋଜନା କରିଛି ଦଳ । ସେପଟେ ମୋହନ ସରକାରଙ୍କ ସୁଭଦ୍ରା ଯୋଜନା ଏବେ ମହାଶକ୍ତିରେ ପରିଣତ ହୋଇଛି ବୋଲି କହିଛି ବିଜେପି ।

ମିଶନ ଶକ୍ତି ବନାମ ସୁଭଦ୍ରା ଶକ୍ତି । ୭୦ ଲକ୍ଷ ବନାମ ୧ କୋଟି । ରାଜ୍ୟରେ କାହାର ହେବେ ମହିଳା ଭୋଟର ? ବିଜେଡିରେ ସୁଜାତା ରାଉତ ମିଶିବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ବିଜେଡି ସରକାର ସମୟରେ ମିଶନ ଶକ୍ତି ସଚିବ ଭବେ ୭୦ ଲକ୍ଷ ମହିଳାଙ୍କୁ ସ୍ବୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଯୋଡି ଥିଲେ ସୁଜାତା । ଯାହା କି ବିଜେଡି ସରକାର ସମୟର ଟ୍ରମ୍ପ କାର୍ଡ ହୋଇଥିଲା ବୋଲି କୁହାଯାଏ । ଆଉ ଏବେ ସୁଜାତା ବିଜେଡିରେ ମିଶିବା ପରେ ପୁଣି ଥରେ ମିଶନ ଶକ୍ତିକୁ ଅସ୍ତ୍ର କରିବାକୁ ଯୋଜନା କରିଛି ବିଜେଡି । ବିଜେପି ସରକାରଙ୍କ ସୁଭଦ୍ରା ଯୋଜନାକୁ ଚେକ୍ ଦେବାକୁ ପ୍ରସ୍ତୁତ କରିଛି ଖସଡା । ଯାହାର ଖୁଲାସା କରିଛନ୍ତି ଖୋଦ ବିଜେଡି ନେତ୍ରୀ ଟୁକୁନି ସାହୁ ।

Also Read: ଲାଲଜୀ ଦେସାଇ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ, ଅଜୟ ଲଲ୍ଲୁଙ୍କ ନେବେ ସ୍ଥାନ

ସେ କହିଛନ୍ତି, ମହିଳଙ୍କ ପାଇଁ ସୁଜାତା ହେଉଛନ୍ତି ଆମ ଦଳର ଫେସ । ଦଳ ସୁଜାତାଙ୍କ ଚେହେରାକୁ ନେଇ ଗାଁରେ ମିଶନ ଶକ୍ତି କଥା ପ୍ରଚାର କରିବ । ମହିଳା ଏବେ ମଧ୍ୟ ବିଜେଡି ସହ ଅଛନ୍ତି । ସୁଭଦ୍ରା ଯୋଜନାରେ ନାଁରେ ମହିଳାଙ୍କୁ ସରକାର ଠକିଥିବା ଅଭିଯୋଗ ଆଣିଛନ୍ତି ଟୁକୁନି । ଯାହାର କଡା ଜବାବ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ସୁଭଦ୍ରା ଏବେ ମହାଶକ୍ତିରେ ପରିଣତ ହୋଇଛି । ରାଜ୍ୟରେ ୧ କୋଟିରୁ ଅଧିକ ମହିଳା ସୁଭଦ୍ରାରେ ସାମିଲ ହୋଇଛନ୍ତି । ରାଜ୍ୟରେ ୨୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି । ତେଣୁ ବିଜେଡିର ମିଶନ ଶକ୍ତିକୁ ଆଉ କେହି ଗ୍ରହଣ କରିବେ ନାହିଁ ।

ସେପଟେ ରାଜନୈତିକ ଦଳ ଭିତରେ ପ୍ରତିଯୋଗିତା ରାଜ୍ୟ ପାଇଁ ଭଲ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ମିଶନ ଶକ୍ତି ଗଠନରେ ସୁଜାତାଙ୍କ ବଡ ଭୂମିକା ରହିଛି । ସଚିବ ଭାବରେ ସେ ଏହାର ମଙ୍ଗ ସମ୍ଭାଳୁ ଥିଲେ । ତେଣୁ ବିଜେଡି ଏହାକୁ ଅସ୍ତ୍ର କରି ମାଇଲେଜ ନେବାକୁ ଓହ୍ଲାଇବା ସ୍ବଭାବିକ । ହେଲେ ସୁଭଦ୍ରା ଯୋଜନା ମଧ୍ୟରେ ୧ କୋଟିରୁ ଅଧିକ ମହିଳାଙ୍କ ପାଖରେ ମଧ୍ୟ ବିଜେପି ପହଞ୍ଚି ପାରିଛି । ତେଣୁ ଆଗାମୀ ସମୟରେ ଲଢେଇ ଜୋରଦାର ହେବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ବିଜେଡି ଏବେ ସୁଜାତାଙ୍କୁ ସାମ୍ନାକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛି । ତେବେ ଅସଲ ପରୀକ୍ଷା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

Also Read: ମୁଖ୍ୟମନ୍ତ୍ରୀଙ୍କୁ ତାରାଙ୍କ ପ୍ରଶ୍ନ: ସ୍କୁଲ ବହି ତ୍ରୁଟିର ଷଡ଼ଯନ୍ତ୍ରକାରୀ କିଏ ? ସ୍ପଷ୍ଟ କର