ଭୁବନେଶ୍ୱର: ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ବରିଷ୍ଠ ନେତା ଲାଲଜୀ ଦେସାଇଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି । ତତ୍କାଳ ପ୍ରଭାବରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ ବୋଲି ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଅଜୟ ଲଲ୍ଲୁଙ୍କ ସ୍ଥାନରେ ଲାଲଜୀ ଦେସାଙ୍କୁ ଦଳ ଏହି ଦାୟିତ୍ୱ ଦେଇଛି ।

​​​​​​​

ଲାଲଜୀ ଦେସାଇ ହେଉଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତା । ସେ ବର୍ତ୍ତମାନ ଅଲ୍ ଇଣ୍ଡିଆ କଂଗ୍ରେସ ସେବା ଦଳର ରାଷ୍ଟ୍ରୀୟ ସଭାପତି (ମୁଖ୍ୟ ସଂଗଠକ) ଭାବରେ କାର୍ଯ୍ୟ କରୁଛନ୍ତି । ସେବା ଦଳ ହେଉଛି ଭାରତୀୟ ଜାତୀୟ କଂଗ୍ରେସର ଏକ ପ୍ରମୁଖ ତୃଣମୂଳ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ । ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ ଲାଲଜୀ ଦେସାଇଙ୍କ ନିଯୁକ୍ତି ଏକ ବଡ଼ ସଂକେତ ଦେଉଛି । ଓଡ଼ିଶା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଉର୍ଜା ଭରି ରାଜ୍ୟର ସ୍ଥିତି ମଜଭୁତ କରିବାକୁ ଶୀର୍ଷ ନେତୃତ୍ୱ ଲକ୍ଷ୍ୟ ରଖିଛନ୍ତି ।

୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଦଳୀୟ ସଂଗଠନକୁ ମଜଭୁତ କରିବା, ବୁଥ୍ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ରାଜ୍ୟ ନେତୃତ୍ୱ ସହ ସମନ୍ୱୟ ବୃଦ୍ଧି କରିବା ଲାଲଜୀ ଦେଶାଇଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ ।