ନୂଆଦିଲ୍ଲୀ ୦୫।୦୭; ବୟସ ହେଲାଣି। ହେଲେ ଫିଟୁନି ବିବାହ ଯୋଗ । ବାହାଘର ପାଇଁ ପ୍ରସ୍ତାବ ଆସୁଥିଲେ ମଧ୍ୟ କିଛି ନା’ କିଛି ବାଧା ସୃଷ୍ଟି ହେଉଛି । ଯଦି ଆପଣ ଏଭଳି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା’ହେଲେ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ। ଯେଉଁଠି ପାଦ ଦେବା ମାତ୍ରେ ହିଁ ବିବାହ ଯୋଗ ଫିଟିଯିବ । ଆଜ୍ଞା ହଁ ଏହା ଆମେ କହୁନାହୁଁ ବରଂ ଏହି ମନ୍ଦିରକୁ ଆସୁଥିବା ପ୍ରତିଟି ଭକ୍ତ କୁହନ୍ତି । ଆଉ ଖାସ୍ କରି ଅବିବାହିତ ପୁଅ,ଝିଅମାନେ ଏହି ମନ୍ଦିରକୁ ଅଧିକ ମାତ୍ରାରେ ଆସନ୍ତି । ଭାରତର ଏହି ଚମତ୍କାରୀ ମନ୍ଦିର ତାମିଲନାଡୁରେ ଅବସ୍ଥିତ । ଯାହାର ନାଁ ନିତ୍ୟ କଲ୍ୟାଣ ପେରୁମାଲ ମନ୍ଦିର । ଏଠାକୁ ଆସୁଥିବା ଭକ୍ତ ନା’ କେବଳ ଠାକୁରଙ୍କ ଦର୍ଶନ କରନ୍ତି ବରଂ ସେମାନଙ୍କ ବିବାହରେ ଆସୁଥିବା ବାଧାକୁ ମଧ୍ୟ ଦୂର କରନ୍ତି ।

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ମନ୍ଦିରଟି ଟ୍ରେଣ୍ଡ୍ କରିବାରେ ଲାଗିଛି । ମନ୍ଦିରର ମହାତ୍ମ୍ୟ ଏବଂ ବିବାହ ସହ ସାମଞ୍ଜସ୍ୟକୁ ଭକ୍ତମାନେ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଛନ୍ତି । କିଛି ଭକ୍ତ କହୁଛନ୍ତି ଯେ ଯେଉଁ ଯୁବକ, ଯୁବତୀମାନଙ୍କର ବିବାହରେ ବିଳମ୍ବ ହେଉଛି ସେମାନେ ଏହି ମନ୍ଦିରର ଦର୍ଶନ କରିବାର ମାତ୍ର ୩ ରୁ ୪ ମାସ ଭିତରେ ବିବାହ ପକ୍କା ହୋଇଯାଏ । ବାସ୍ ପୂଜା କରି ଗୋଟିଏ ଫୁଲମାଳ ନିଜ ବେକରେ ଆଉ ଗୋଟିଏ ପ୍ରଭୁଙ୍କୁ ଚଢ଼ାଇ ବିଶ୍ବାସର ସହ ବିବାହ ପାଇଁ ଠାକୁରଙ୍କ ନିବେଦନ କରିବା ପରେ ମନ୍ଦିରରେ ବିଦ୍ୟମାନ ଠାକୁର ବିବାହର ବାଟ ଖୋଲିଦିଅନ୍ତି । କୁହନ୍ତି ହୃଦୟରୁ ବାହାରୁଥିବା ପ୍ରତିଟି ଶବ୍ଦ ସିଧା ଭଗବାନ ଶୁଣନ୍ତି ଆଉ ଏହି କଥାର ଉଦାହରଣ ନିତ୍ୟ କଲ୍ୟାଣ ପେରୁମଲ ମନ୍ଦିରରେ ଦେଖିବାକୁ ମିଳେ । ଏହି ମନ୍ଦିର ପ୍ରଭୁ ଶ୍ରୀହରିଙ୍କ ବରାହ ଅବତାର ଏବଂ ମା’ ଲକ୍ଷ୍ମୀଙ୍କ କୋମଳବଲ୍ଲି ଥାୟରଙ୍କୁ ସମର୍ପିତ । ମନ୍ଦିର ଉପରେ ଭକ୍ତଙ୍କ ଅଗାଢ଼ ବିଶ୍ବାସ ରହିଛି ଯେ ଏଠାକୁ ଆସୁଥିବା ଭକ୍ତଙ୍କ ବିବାହ ସମ୍ବନ୍ଧିତ ସବୁ ବିଘ୍ନ ଦୂର ହୋଇଯାଏ । ଏହାକୁ ଅନେକ ଭକ୍ତ ସତ ବୋଲି ସାବ୍ୟସ୍ତ ମଧ୍ୟ କରିଛନ୍ତି ।

ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଗୋଟିଏ ସ୍ବତନ୍ତ୍ର ଫୁଲମାଳ ପିନ୍ଧିବାକୁ ଦିଆଯାଏ ଏବଂ ଏହା ବରାହ ସ୍ବାମୀ ଏବଂ ମା’ କୋମଳବଲ୍ଲିଙ୍କ ଆଶୀର୍ବାଦ ବୋଲି ମଧ୍ୟ କୁହାଯାଏ । ସବୁଠୁ ଖାସ୍ କଥା ହେଉଛି ବିବାହ ପରେ ତୁରନ୍ତ ଏହି ମାଳାକୁ ମନ୍ଦିରକୁ ଫେରାଇବାକୁ ହୋଇଥାଏ । ତେଣୁ ବିବାହ ପରେ ନବଦମ୍ପତି ପ୍ରଭୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ପୁନଃ ମନ୍ଦିରକୁ ଯାଇ ଫୁଲମାଳ ଫେରାଇଥା’ନ୍ତି । ନିକଟରେ ଏହି ମନ୍ଦିରର ଭିଡିଓ ଇନଷ୍ଟାଗ୍ରାମରେ ଟ୍ରେଣ୍ଡ୍ ହେଉଛି । ମନ୍ଦିରର ମହିମା ଜାଣିବା ପରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭକ୍ତ ଏଠାକୁ ପୂଜାର୍ଚ୍ଚନା କରିବାକୁ ଆସିଥା’ନ୍ତି ।