ଜଗତସିଂହପୁର, ୨୩/୦୮ : ପାନାମା ଜାହାଜ ଓସେନ ଓ୍ୱିନର ବୁଡି ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ । ଏହାକୁ ସେ ଦୁର୍ଭାଗ୍ୟଜନକ କହିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ପ୍ରକାଶ କରିଛନ୍ତି ।

ସେ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଘଟଣାକୁ ନେଇ ସେ ଚିନ୍ତିତ ଅଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଉଦ୍ଧାରକାର୍ଯ୍ୟ ଚାଲିଛି । ଏବେସୁଦ୍ଧା ଜାହାଜର ଦୁଇ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ସେ ପ୍ରକାଶ କରିଛନ୍ତି । ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।

ସୂଚନାଯୋଗ୍ୟ,ଓଡ଼ିଶା ଉପକୂଳରେ ପାନାମା ମାଲବାହୀ ଜାହାଜ ବୁଡ଼ି ଯାଇଥିବା ବେଳେ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତୀୟ ତଟରକ୍ଷୀ ବାହିନୀ ରେସ୍କ୍ୟୁ ଅପରେସନ୍ ଚଳାଇଛି । ପାରାଦୀପ ବନ୍ଦରରୁ ବାହାରି ଚୀନ୍ ଅଭିମୁଖେ ବାହାରିଥିଲା‘ଓସେନ୍ ୱିନର୍’ । ମଝି ସମୁଦ୍ରରେ ନିଖୋଜ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଜାହାଜକୁ ଖୋଜିବା ସହ ସର୍ଚ୍ଚ ଅପରେସନରେ ବାହାରିଲେ ଗଞ୍ଜାମ ଆର୍ଯ୍ୟପଲ୍ଲୀ ମେରାଇନ ପୋଲିସ । ମେରାଇନ ପୋଲିସର ଏକ ଟିମ୍ ପାଟ୍ରୋଲିଂ ବୋଟ୍ ଯୋଗେ ସମୁଦ୍ରରେ ଜାହାହ ଖୋଜାରେ ନିୟୋଜିତ ଅଛନ୍ତି ।

Also Read :- ମଝି ସମୁଦ୍ରରେ ‘Ocean Winner’ ନିଖୋଜ, ରେସ୍କ୍ୟୁ ଅପରେସନରେ ଓଡ଼ିଶା ମେରାଇନ ପୋଲିସ ସାମିଲ

ଥିଲେ ୨୪ ସଦସ୍ୟ

ବଙ୍ଗୋପସାଗରରେ ଓଡ଼ିଶାର ପାରାଦୀପ ଉପକୂଳଠାରୁ ପ୍ରାୟ ୨୪୦ ନଟିକାଲ ମାଇଲ ଦୂରରେ ପାନାମା ପତାକାବାହୀ ମାଲବାହୀ ଜାହାଜ‘ଓସେନ୍ ୱିନର୍’ ବୁଡ଼ିଯାଇଛି । ଜାହାଜରେ ମୋଟ୍ ୨୪ ଜଣ କ୍ରୁ’ ସଦସ୍ୟ ଥିଲେ, ଯେଉଁଥିରୁ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ମିଳିତ ଉଦ୍ଧାର ଅଭିଯାନ ଚଳାଇ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି । ବାକି ୨୨ ଜଣ ଏବେ ବି ନିଖୋଜ ଅଛନ୍ତି । ଜାହାଜରେ ୨୦ ଜଣ ଚୀନ୍, ୩ ଜଣ ମ୍ୟାନ୍ ମାର୍ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିଲେ ।