କିବ : ଯୁଦ୍ଧର ବିଭୀଷିକା ଭିତରେ ପୁଣି ରକ୍ତରଞ୍ଜିତ ଖେଳ ଖେଳିଛି ରୁଷ । ୟୁକ୍ରେନର ରିଲିଫ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର ଉପରେ ଭୟଙ୍କର ଆକ୍ରମଣ କରିଛି ଋଷ। ଆକ୍ରମଣରେ ଏଯାଏଁ ମୋଟ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଲୋକ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଯେଉଁଠି ଯୁଦ୍ଧ ପୀଡ଼ିତ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଥିଲା, ସେହି ସ୍ଥାନ ଏବେ ମୃତ୍ୟୁର ସ୍ଥାନ ପାଲଟିଛି । ଆକ୍ରମଣ ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଦିନକୁ ଦିନ ବଢ଼ୁଛି ୟୁକ୍ରେନ-ରୁଷ ୱାର । ୟୁକ୍ରେନ ଉପରେ ଋଷର ଆକ୍ରମଣ ଥମିବାର ନାଁ ନେଉନି। ଏଥର ଟାର୍ଗେଟ୍ରେ ଥିଲା ୟୁକ୍ରେନର ଏକ ରିଲିଫ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର। ସେଠାରେ ଯୁଦ୍ଧ ଯୋଗୁଁ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବଣ୍ଟନ କରାଯାଉଥିଲା। ଠିକ ସେହି ସମୟରେ ଋଷ କରିଥିଲା ଧମାକାଦାର ଆକ୍ରମଣ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ସେଥିରେ ୨୪ ଜଣଙ୍କ ଜୀବନ ଯାଇଛି । ଘଟଣା ପରେ ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ହସ୍ପିଟାଲ୍କୁ ପଠାଯିବା ସହ ଧ୍ୱଂସାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି। ଆକ୍ରମଣ ପରେ ଚାରିଆଡ଼େ ଧ୍ୱଂସର ଚିତ୍ର ଦେଖିବାକୁ ମିଳିଛି। ମୃତାହତଙ୍କ ମଧ୍ୟରେ ରିଲିଫ୍ ସାମଗ୍ରୀ ନେବାକୁ ଆସିଥିବା ଲୋକ ଥିବା ଆଶଙ୍କା କରାଯାଉଛି।

ଆକ୍ରମଣକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ସ୍କୁଲକୁ ରିଲିଫ୍ ବଣ୍ଟନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲା ଏବଂ ଲୋକମାନେ ସେଠାରେ ଆଶ୍ରୟ ନେଉଥିଲେ। ସେ କହିଛନ୍ତି ଯେ ସ୍କୁଲ କୋଠା ଉପରେ ଏକ ବିମାନ ଆକ୍ରମଣ ହୋଇଥିଲା ଏବଂ ତା'ପରେ କିଛି ସମୟ ପରେ ପୁଣି ଥରେ ଆକ୍ରମଣ ହୋଇଥିଲା। ଜାପୋରିଝିଆ ସିଟି କାଉନସିଲ ସଚିବ ରେଜିନା ଖାରଚେଙ୍କୋ ଆକ୍ରମଣ ପରେ ୨୭ ଜଣ ନିଖୋଜ ଥିବା ସୂଚନା ଦେଇଛନ୍ତି, ଯାହା ସୂଚାଇ ଦେଇଛି ଯେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ। ଆକ୍ରମଣକୁ ନେଇ ୟୁକ୍ରେନ ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ସାଧାରଣ ଲୋକ। ରିଲିଫ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଏଭଳି ଆକ୍ରମଣ ପୁଣି ବିଶ୍ୱସ୍ତରରେ ମାନବିକତାକୁ ନେଇ ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛି।