ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀଙ୍କୁ ନିଜ ମନ୍ତ୍ରଣାଳୟ ଅଧିନରେ ଚାଲିଥିବା ଏକ ଯୋଜନା ଅଧିନରେ ସବସିଡି ମିଳିଥିଲା । ତାଙ୍କୁ କାକୁଡ଼ି ଚାଷ ପାଇଁ ୯୯ ଲକ୍ଷ ଟଙ୍କାର ସବସିଡି ମିଳିଥିଲା । କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ କହିଛନ୍ତି ଯେ ଭାଗୀରଥ ଚୌଧୁରୀ ଏହି ସବସିଡି ଟଙ୍କାକୁ ଫେରସ୍ତ କରିଛନ୍ତି ।

ଏହି ସମ୍ପର୍କରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଖବର ପ୍ରକାଶ କରିଥିଲା । ଏହି ଖବର ପ୍ରକାଶ ପାଇବା ପରେ ଭାଗୀରଥ ଚୌଧୁରୀଙ୍କୁ ନିଜ ମନ୍ତ୍ରଣାଳୟର ଯୋଜନାରୁ ଏତେ ବଡ଼ ପରିମାଣର ସବସିଡି କିପରି ମିଳିଲା ବୋଲି ପ୍ରଶ୍ନ ଉଠିଥିଲା ।

ସବସିଡି ବାବଦରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ।ସେ କହିଛନ୍ତି, "ଭାଗୀରଥ ଚୌଧୁରୀ ସୂଚନା ଦେଇଛନ୍ତି ଯେ ସେ ଯୋଜନା ଅଧୀନରେ ସମ୍ପୃକ୍ତ ବ୍ୟାଙ୍କକୁ ସବସିଡି ରାଶି ଫେରାଇ ଦେଇଛନ୍ତି । ସମ୍ପୃକ୍ତ ବ୍ୟାଙ୍କକୁ ଏହି ସବସିଡି ରାଶି ଏନଏଚବି (ଜାତୀୟ ଉଦ୍ୟାନ କୃଷି ବୋର୍ଡ)କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।"

ରାମନାଥ ଠାକୁର ଗୃହକୁ ଏହା ମଧ୍ୟ ଜଣାଇଛନ୍ତି ଯେ ଭାଗୀରଥ ଚୌଧୁରୀଙ୍କ ବ୍ୟତୀତ ରାଜସ୍ଥାନର ଜାଲୋରରୁ ବିଜେପି ସାଂସଦ ଲୁମ୍ବାରାମ ଚୌଧୁରୀଙ୍କୁ ମଧ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ ଜାତୀୟ ଉଦ୍ୟାନ କୃଷି ବୋର୍ଡର ଯୋଜନା ଗୁଡ଼ିକ ଅଧୀନରେ ଆର୍ଥିକ ସହାୟତା ମିଳିଛି ।

MIDH ଯୋଜନାରୁ ମିଳିଥିଲା ସବସିଡି

ଭାଗୀରଥ ଚୌଧୁରୀଙ୍କୁ 'ମିଶନ୍ ଫର୍ ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟ ଅଫ୍ ହୋର୍ଟିକଲଚର୍' (MIDH) ଯୋଜନାରୁ ସବସିଡି ମିଳିଥିଲା । ଏହି ଯୋଜନାର ଲକ୍ଷ୍ୟ ଥିଲା ବ୍ୟାବସାୟିକ କୃଷିକୁ ବଡ଼ ସ୍ତରରେ ପ୍ରୋତ୍ସାହିତ କରିବା । ଏହି ଯୋଜନାର ପରିଚାଳନା ଏନଏଚବି (NHB) ଦ୍ୱାରା କରାଯାଏ ଏବଂ ଏହି ବୋର୍ଡ ଭାଗୀରଥ ଚୌଧୁରୀଙ୍କ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଆସେ ।

ଏହି ଯୋଜନା ଅଧୀନରେ ଶିମଲା ଲଙ୍କା, କାକୁଡ଼ି, ଟମାଟୋ ଏବଂ ଆଠ ପ୍ରକାରର ଫୁଲ ଚାଷ ପାଇଁ ସର୍ବାଧିକ ୫୦% ପର୍ଯ୍ୟନ୍ତ ସବସିଡି ଦିଆଯାଏ । ରିପୋର୍ଟ ଅନୁସାରେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀଙ୍କ ଚାଷ ପ୍ରକଳ୍ପଟି ୧୬,୫୯୨ ବର୍ଗ ମିଟର ସ୍ଥାନରେ ବ୍ୟାପିଛି । ପୂର୍ବରୁ କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ କାକୁଡ଼ି ଚାଷ ପାଇଁ ୯୯ ଲକ୍ଷ ଟଙ୍କାର ସରକାରୀ ସବସିଡି ମିଳିବା ମାମଲାରେ କହିଥିଲେ ଯେ, "ମୁଁ କୌଣସି କଥା ଲୁଚାଇ ନାହିଁ..." ଏବଂ ସେ ନିୟମ ଅନୁସାରେ ସବୁ କରିଛନ୍ତି ବୋଲି ଦାବି କରିଥିଲେ ।