ଭୋପାଳ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏକ ବଡ଼ ଘରୋଇ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଆକ୍ସନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମ୍ପାନୀର ପ୍ରାୟ ୨୧ କୋଟି ଟଙ୍କାର ସଂପତ୍ତି ଆଟାଚ୍ କରାଯାଇଛି । ମନି ଲଣ୍ଡରିଂ ମାମଲାରେ ଫସିଛି ଏହି କମ୍ପାନୀ । ଭୋପାଳର ଏକ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତକାରୀ କମ୍ପାନୀ ଜୟଶ୍ରୀ ଗାୟତ୍ରୀ ଫୁଡ୍ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଏଫଆଇର ପରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

ଅଗଷ୍ଟ ୨୯, ୨୦୨୩ରେ ଭୋପାଳର ହବିବଗଞ୍ଜ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଥିଲା । ଏହା ପରେ ଜୁଲାଇ ୨୨, ୨୦୨୪ରେ ଭୋପାଳର ଅର୍ଥନୈତିକ ଅପରାଧ ଶାଖାରେ ମଧ୍ୟ ଏଫଆଇଆର ହୋଇଥିଲା । ଏହି ଅଭିଯୋଗଗୁଡ଼ିକୁ ଆଧାର କରି, ଇଡି ‘ମନି ଲଣ୍ଡରିଂ’ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି ।

Also Read: Lpg-crisis: ସ୍ୱାଭାବିକ ହୋଇପାରୁନି ଏଲ୍ପିଜି ଯୋଗାଣ, ହୋଟେଲ-ରେସ୍ତୋରାଁରେ ଛଟେଇ ଆଶଙ୍କା

ଦୁଗ୍ଧଜାତ ଦ୍ରବ୍ୟରେ ଅତ୍ୟଧିକ ଅପମିଶ୍ରଣ

ଇଡି ତଦନ୍ତରୁ ଜଣାପଡିଛି ଯେ, କମ୍ପାନୀ ମିଲ୍କ ମ୍ୟାଜିକ୍ ବ୍ରାଣ୍ଡ ନାମରେ କ୍ଷୀର ଉତ୍ପାଦ ତିଆରି ଏବଂ ବିକ୍ରି କରେ । କିନ୍ତୁ ଏଥିରେ ଅତ୍ୟଧିକ ଅପମିଶ୍ରିଣ ହେଉଥିଲା । କମ୍ପାନୀ ଅଧିକ ଲାଭ ଆଶାରେ, ପାମ୍ ତେଲ ଏବଂ ଅନ୍ୟାନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ମିଶାଯାଉଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ଅପମିଶ୍ରିତ ଉତ୍ପାଦଗୁଡ଼ିକ କେବଳ ଦେଶ ଭିତରେ ନୁହେଁ ବରଂ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଉଥିଲା।

କମ୍ପାନୀ ନକଲି ପରୀକ୍ଷା ରିପୋର୍ଟ ପ୍ରସ୍ତୁତ କରିଥିଲା

ଇଡି ଅନୁଯାୟୀ, ରପ୍ତାନୀ ଲାଗି ଅନୁମୋଦନ ପାଇବା ପାଇଁ, କମ୍ପାନୀ ପ୍ରତିଷ୍ଠିତ ଲ୍ୟାବର ପରୀକ୍ଷା ରିପୋର୍ଟ ତିଆରି କରିଥିଲା । ଏହି ନକଲି ରିପୋର୍ଟକୁ ଇନ୍ଦୋରର ରପ୍ତାନୀ ଯାଞ୍ଚ ଏଜେନ୍ସି (EIA)ରେ ଦାଖଲ କରିଥିଲା। ଯେତେବେଳେ ଏହି ରିପୋର୍ଟଗୁଡ଼ିକ ଯାଞ୍ଚ କରାଯାଇଥିଲା, ସେତେବେଳେ ସଂପୃକ୍ତ ଲ୍ୟାବ ସ୍ପଷ୍ଟ କରିଥିଲା ଯେ, ସେମାନେ କେବେବି ଏପରି ରିପୋର୍ଟ ଜାରି କରି ନାହାନ୍ତି । ଅର୍ଥାତ୍ ଲ୍ୟାବ ରିପୋର୍ଟ ନକଲି ଥିଲା ।

୨୦.୫୯ କୋଟି ଟଙ୍କା ଲାଭ କରିଛି କମ୍ପାନୀ

ନକଲି କାଗଜପତ୍ର ଦେଇ ରପ୍ତାନୀ ଲାଇସେନ୍ସ ପାଇଥିଲା କମ୍ପାନୀ । ଆଉ ଏହି ଅବଧି ମଧ୍ୟରେ, କ୍ଷୀର ଉତ୍ପାଦ ରପ୍ତାନୀ କରି କମ୍ପାନୀ ପ୍ରାୟ ୨୧ କୋଟି ଟଙ୍କା ଆୟ କରିଥିଲା । ଏହି ଟଙ୍କା ଦେଶର ଦୁଇଟି ଘରୋଇ ବ୍ୟାଙ୍କରେ ଜମା କରାଯାଇଥିଲା । ଏବେ ଇଡି ଏହି ଟଙ୍କାକୁ ବେଆଇନ୍ ବୋଲି ଘୋଷଣା କରିଛି ।ପରିଚାଳନା ନିର୍ଦ୍ଦେଶକ କିଶନ ମୋଦୀ ଗିରଫଇଡି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ କିଶନ ମୋଦିଙ୍କୁ ୧୩ ମାର୍ଚ୍ଚ, ୨୦୨୬ରେ ଗିରଫ କରିଥିଲା। ତାଙ୍କୁ ପ୍ରଥମେ ଇଡି ହେପାଜତରେ ରଖାଯାଇଥିଲା ଏବଂ ୧୮ ମାର୍ଚ୍ଚ, ୨୦୨୬ରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହି ମାମଲାର ତଦନ୍ତ ବର୍ତ୍ତମାନ ଚାଲିଛି ଏବଂ ଏଜେନ୍ସି ନେଟୱାର୍କ ସହ ଜଡିତ ଅନ୍ୟ ବ୍ୟକ୍ତି ଏବଂ ସେମାନଙ୍କର ବିଦେଶୀ କନେକ୍ସନ ସଂପର୍କରେ ଖୋଳତାଡ଼ କରୁଛି । ଭବିଷ୍ୟତରେ ଆହୁରି ଖୁଲାସା ହେବାର ସମ୍ଭାବନା ରହିଛି।