ନୂଆଦିଲ୍ଲୀ: ଭାରତୀୟ ଟି-୨୦ ଟିମରେ ଅନୁଭବୀ ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ପାଇଁ ତାଙ୍କୁ ଟିମରେ ଚୟନ କରାଯାଇଥିଲା, କିନ୍ତୁ ତା ପୂର୍ବରୁ ବେଙ୍ଗାଲୁରୁରେ ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ରେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା । ତେବେ ବର୍ଷା ଯୋଗୁଁ ସେହି ପୂରା ହୋଇପାରି ନଥିଲା ଏବଂ ଭୁବନେଶ୍ୱର କୁମାରଙ୍କୁ ବୋଲିଂ କରିବାର ସୁଯୋଗ ମଝଧ୍ୟ ମିଳିପାରି ନଥିଲା । ଏପରି ସ୍ଥିତିରେ ଭୁବନେଶ୍ୱରଙ୍କ ପ୍ରକୃତ କମବ୍ୟାକ୍ ଅକ୍ଟୋବର ୨୨ ହେବାକୁ ଥିବା ମ୍ୟାଚରେ ହେବ । ଭାରତୀୟ ଟି-୨୦ ଟିମର ଅଧିନାୟକ ଶ୍ରେୟସ ଆୟର ଏକ ବୟାନ ଦେଇ ଭୁବନେଶ୍ୱର କୁମାରଙ୍କୁ ଟିମରେ କାହିଁକି ସାମିଲ କରାଗଲା ତା ଉପରେ କହିଛନ୍ତି ।

Also Read: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର Playing XI

ଅଧିନାୟକ ଶ୍ରେୟସ ମ୍ୟାଚ୍ ପୂର୍ବ ସନ୍ଧ୍ୟାରେ କହିଛନ୍ତି ଯେ ଦଳର ବୋଲିଂ ଆକ୍ରମଣରେ ବର୍ତ୍ତମାନ ଅଭିଜ୍ଞତାର ଅଭାବ ରହିଛି । ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଏହି ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ । ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି । ଗୁରୁବାରଠାରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ୩୬ ବର୍ଷୀୟ ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରାଯାଇଛି । ପ୍ରଥମ ମ୍ୟାଚରୁ ସେ ପ୍ଲେଇଂ ଏକାଦଶରେ ରହିବେ ।

ଶ୍ରେୟସ ଆୟର କହିଛନ୍ତି, "ଭୁବିଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣରେ ଅଭିଜ୍ଞତା ଯୋଡ଼ିଛି । ଆଇପିଏଲ୍ ପରେ ଆମେ ତାଙ୍କୁ ମିସ୍ କରୁଥିଲୁ, କାରଣ ଦଳରେ ଅନେକ ନୂତନ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଥିଲା । ଭୁବନେଶ୍ୱର ଗତ ଦୁଇ ବର୍ଷ ମଧ୍ୟରେ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି, ତେଣୁ ସେ ଜାଣନ୍ତି ଯେ ଏହି ଫର୍ମାଟର ପାଇଁ କ'ଣ ଆବଶ୍ୟକ।"

Also Read: 2027 World Cup: କୋହଲି ଓ ରୋହିତଙ୍କୁ ଫିଟ୍ ରହିବାକୁ ପଡ଼ିବ, ଦୁଇଟି ସର୍ତ୍ତ ରଖିଲେ BCCI ଅଧ୍ୟକ୍ଷ

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ଚାରି ପେସର ଏବଂ ଦୁଇ ଜଣ ପେସ୍ ଅଲରାଉଣ୍ଡର ଅଛନ୍ତି । ତଥାପି ଅଧିକାଂଶଙ୍କ ନଜର ଭୁବନେଶ୍ୱର କୁମାରଙ୍କ ଉପରେ ରହିବ । ତାଙ୍କ ଫର୍ମ ଯୋଗୁଁ ତାଙ୍କୁ ଦଳରୁ ବାହାର କରାଯାଇଥିଲା, କିନ୍ତୁ ଏବେ ସେ ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଦଳକୁ ଫେରିଛନ୍ତି ।