ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡେରେ ରନ୍ ବର୍ଷ କରିଛି ଆରସିବି । ମୁମ୍ବାଇ ବୋଲରଙ୍କୁ ଧୋଇଛନ୍ତି ଆରସିବିର ବ୍ୟାଟର । ଯିଏ ଆସିଲେ, ସେ ପିଟିଲେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୨୪୦ ରନ୍ର ବିଶାଳ ସ୍କୋର କରିଛି । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୨୪୧ ରନ୍ ଟାର୍ଗେଟ ଦେଇଛି ।

ରବିବାର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା RCB, ଫିଲ୍ ସଲ୍ଟ (୭୮), ରଜତ ପାଟିଦାର (୫୩) ଏବଂ ବିରାଟ କୋହଲି (୫୦)ଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ୨୦ ଓଭରରେ ୪ ୱିକେଟ ହରାଇ ୨୪୦ ରନ କରିଛି । ମୁମ୍ବାଇ ପାଇଁ ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା, ମିଚେଲ ସାଣ୍ଟନର ଏବଂ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଆରସିବି ଇତିହାସ ରଚିଲା

ଏହି ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୪୦ ରନ୍ କରିଛି । ଏହା ଆଇପିଏଲ୍‌ରେ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଯେକୌଣସି ଦଳ ଦ୍ୱାରା ସର୍ବାଧିକ ସ୍କୋର। ବେଙ୍ଗାଲୁରୁ ନିଜ ରେକର୍ଡକୁ ନିଜେ ଅତିକ୍ରମ କରିଛି । ୨୦୧୫ରେ, ବେଙ୍ଗାଲୁରୁ ଓ୍ବାଙ୍ଖେଡେରେ ୨୩୫ ରନ୍ କରିଥିଲା, ୧୧ ବର୍ଷ ପାଇଁ ଏହି ଷ୍ଟାଡିୟମ୍‌ରେ ସର୍ବାଧିକ ଆଇପିଏଲ୍ ସ୍କୋର ଥିଲା । କିନ୍ତୁ ଏବେ ଆର୍‌ସିବି ଏହାକୁ ଭାଙ୍ଗିଛି। ଏହି ତାଲିକାରେ ତୃତୀୟ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଅଛି, ଟିମ ଓାଙ୍ଖେଡେ ୨୩୪ ରନ୍ କରିଥିଲା।

ୱାଙ୍ଖେଡେରେ ସର୍ବୋଚ୍ଚ ସ୍କୋର

୨୪୦ ରନ୍ - ଆରସିବି (ବନାମ ମୁମ୍ବାଇ) - ୨୦୨୬
୨୩୫ ରନ୍ - ଆରସିବି (ବନାମ ମୁମ୍ବାଇ) - ୨୦୧୫
୨୩୪ ରନ୍ - MI (ବନାମ ଦିଲ୍ଲୀ) - ୨୦୨୪
୨୩୦ ରନ୍ - PBKS (ବନାମ ମୁମ୍ବାଇ) - ୨୦୧୭

ମୁମ୍ବାଇର ବୋଲିଂ ଭୁଶୁଡ଼ି ପଡ଼ିଲା

ବିରାଟ କୋହଲି ଏବଂ ଫିଲ୍ ସଲ୍ଟ ଆଜି ଦମଦାର ପ୍ରଦର୍ଶନ ସହ ଏକ ଆଦର୍ଶ ଆରମ୍ଭ କରିଥିଲେ । ସେମାନେ ପାୱାରପ୍ଲେରେ ୭୧ ରନ ଯୋଡ଼ିଥିଲେ । ବିରାଟ ଏବଂ ସଲ୍ଟ ୧୨୦ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ସଲ୍ଟ ୩୬ ବଲରୁ ୬ ଚୌକା ଏବଂ ୬ ଛକା ସହ ୭୮ ରନ କରିଥିଲେ । ଅଧିନାୟକ ରଜତ ପାଟିଦାର ଆସିବା ମାତ୍ରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ,  ସେ ୧୭ ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା RCB ପାଇଁ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ସେ ୨୦ ବଲରୁ ୫୩ ରନ କରିଥିଲେ।