ନୂଆଦିଲ୍ଲୀ,୧୭/୦୮ଭାରତୀୟ ସେନାର କୁକୁରକୁ ସାହସିକତା ପୁରସ୍କାର । ଯୁଦ୍ଧ ସମୟରେ ଅଦମ୍ୟ ପରାକାଷ୍ଠା ଏବଂ ସାହସ ଦେଖାଇଥିବାରୁ ପାରା ଏସଏଫର ଏକ କୁକୁରକୁ ସ୍ୱାଧୀନତା ଦିବସ ଅବସରରେ ପୁରସ୍କୃତ କରାଯାଇଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେସନରେ ସେ ତିନି ଜଣ ଆତଙ୍କୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଯେଉଁଥି ପାଇଁ ତାକୁ ସମ୍ମାନିତ କରାଯାଇଛି ।

ରିପୋର୍ଟ ଅନୁସାରେ, ସେନାର ଏହି କୁକୁରର ନାଁ ହେଲା ଟାଇସନ୍ । ଏହା ଜର୍ମାନ ସେଫାର୍ଡ୍ ବ୍ରିଡର ଅଟେ । ରାଷ୍ଟ୍ରପତି ପୁରସ୍କାର ତାଲିକାରେ ତାର ନାଁ ରହିଥିଲା ।

Also Read :- Javed-akhtar: ପାକିସ୍ତାନ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ଟାର୍ଗେଟ୍‌ କଲେ ଜାଭେଦ ଅଖତର, ମନେପକାଇଲେ୧୦ ପ୍ରତିଶତ ବିବାଦ କଥା

ଦେଖାଇଥିଲା ସାହସିକତା

ସୂଚନାନୁସାରେ, ଫେବ୍ରୁଆରୀ ୨୨ ତାରିଖରେ ଜମ୍ମୁ କାଶ୍ମୀର କିସ୍ତଓ୍ୱାଡ ଜିଲ୍ଲାର ଛତ୍ରୁ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସେନା ଅପରେସନ୍ ତ୍ରାଶି-ଆଇ ଆରମ୍ଭ କରିଥିଲା । ଆତଙ୍କୀମାନେ ଲୁଚି ରହିଥିଲେ । ସେମାନଙ୍କ ସନ୍ଧାନ ପାଇଁ ଟାଇସନ୍ ଆଗକୁ ଚାଲିଯାଇଥିଲା । ଲୁଚିଥିବା ଆତଙ୍କବାଦୀଙ୍କୁ ଦେଖି ଭୁକି ଥିଲା ଏବଂ ଆକ୍ରମଣ କରିଥିଲା । ତେବେ ଏହି ସମୟରେ ଆତଙ୍କୀଜଣଙ୍କ ଟାଇସନକୁ ଗୁଳି କରିଥିଲା । ତା ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଯାଇଥିଲା । ଘଟଣା ପରେ ତୁରନ୍ତ ଟାଇସନକୁ ଏଯାରଲିଫ୍ଟ କରାଯାଇଥିଲା ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହୋଇଛି ଯେ, ଗୋଡ଼ରେ ଗୁଳି ବାଜିଲା ପରେ ଟାଇସନ୍ ଥକି ନଥିଲା । ଆହତ ହୋଇ ମଧ୍ୟ ଆତଙ୍କୀଙ୍କ ଉପରକୁ ଡେଇଁ ପଡିଥିଲା । ସେମାନଙ୍କ ଲୋକେସନ ମଧ୍ୟ ଯବାନଙ୍କୁ ଜଣାଇ ଦେଇଥିଲା । ଫଳରେ ସମସ୍ତ ଆତଙ୍କୀଙ୍କୁ ନିପାତ କରିବାରେ ଯବାନମାନେ ସକ୍ଷମ ହୋଇଥିଲେ ।

ସୂଚନାଯୋଗ୍ୟ, ଟାଇସନକୁ ଆତଙ୍କବାଦୀ ନିରୋଧୀ ଅପରେସନ ପାଇଁ ଖାସ୍ ଟ୍ରେନିଂ ପ୍ରଦାନ କରାଯାଇଛି । ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ମିଶନରେ ସେ ସେନାକୁ ସାହାଯ୍ୟ କରିଥାଏ । ଯେଉଁଠି ଯବାନମାନଙ୍କ ଉପରେ ବିପଦ ଥାଏ ସେଇଠି ଟାଇସନର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ।