ନୂଆଦିଲ୍ଲୀ ୧୭।୦୮; ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀ। ଏହି ସମୟରେ ନିଜର ବିବୃତ୍ତିକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ୧୪ ଅଗଷ୍ଟରେ ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ସେ ନିଜ ଦେଶରେ ଥିବା ହିନ୍ଦୁ ଜନସଂଖ୍ୟାକୁ ନେଇ ଏକ ବିବାଦୀୟ ବୟାନ ଦେଇ ଥିଲେ। କହିଥିଲେ , ପାକିସ୍ତାନରେ ମୁସଲମାନମାନେ ହିନ୍ଦୁଙ୍କ ପ୍ରତି ସହନଶୀଳ ଏବଂ ସେମାନେ ଭାରତ ତୁଳନାରେ ପାକିସ୍ତାନରେ ରହିବାକୁ ଅଧିକ ପସନ୍ଦ କରନ୍ତି।

ପାକିସ୍ତାନ ରାଷ୍ଟ୍ରପତିଙ୍କ ଏହି ବୟାନରେ ପ୍ରସିଦ୍ଧ ଫିଲ୍ମ ରାଇଟର ଜାଭେଦ୍ ଅଖତର ଆଦୌ ସହମତ ହୋଇ ନଥିଲେ। ସେ ନିଜ ଅନ୍ଦାଜରେ ତାଙ୍କୁ କଡ଼ା ଜବାବ ଦେବା ସହ ତୀବ୍ର କଟାକ୍ଷ ମଧ୍ୟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜାଭେଦ ଅଖତର ଏକ୍ସରେ ଆସିଫ୍ ଅଲୀ ଜର୍ଦ୍ଦାରୀଙ୍କୁ ସମାଲୋଚନା କରି ଲେଖିଛନ୍ତି -ପାକିସ୍ତାନର ଆସିଫ୍ ଅଲୀ ଜର୍ଦ୍ଦାରୀ, ଯିଏ ବେନଜିର ଭୁଟ୍ଟୋଙ୍କୁ ବିବାହ କରିବା ପରେ ଚର୍ଚ୍ଚାକୁ ଆସି ଥିଲେ, ସେ କହୁଛନ୍ତି ଯେ ନିଜ ଦେଶରେ ଥିବା ୩-୪ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ପ୍ରତି ସେମାନେ ଖୁବ୍ ସହନଶୀଳ। ମିଷ୍ଟର ଜର୍ଦ୍ଦାରୀ, ମୁଁ ଆପଣଙ୍କ କଥା ବୁଝି ପାରୁଛି। ଆପଣ ସବୁବେଳେ ସେହିସବୁ ଲୋକଙ୍କ ପ୍ରତି ଅସଂବେଦନଶୀଳ ରହି ଆସିଛନ୍ତି। ଯାହାଙ୍କ ଜନସଂଖ୍ୟା ୧୦ ପ୍ରତିଶତରୁ କମ୍।

ଆସିଫ୍ ଅଲୀ ଜର୍ଦ୍ଦାରୀଙ୍କୁ ୧୯୮୦ ଏବଂ ୧୯୯୦ ଦଶକରେ 'ମିଷ୍ଟର ୧୦ ପରସେଣ୍ଟ' ନାମ ଦିଆଯାଇ ଥିଲା। ଏହାର କାରଣ ଥିଲା ଏହା ଯେ, ସେହି ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା। କୁହାଯାଉଥିଲା ଯେ, କୌଣସି ବି ସରକାରୀ ପ୍ରକଳ୍ପକୁ ଅନୁମୋଦନ ଦେବା ପାଇଁ ସେ ୧୦ ପ୍ରତିଶତ କମିଶନ ନେଉ ଥିଲେ। ୧୯୯୦ ମସିହାରେ ତତ୍କାଳୀନ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଗୁଲାମ ମୁସ୍ତଫା ଜତାଇ ମଧ୍ୟ ଜର୍ଦ୍ଦାରୀଙ୍କ ଉପରେ ସରକାରୀ ପ୍ରକଳ୍ପ ଏବଂ ବ୍ୟାଙ୍କ ଋଣ ସମ୍ବନ୍ଧୀୟ ମାମଲାରେ କମିଶନ ନେବାର ଅଭିଯୋଗ ଆଣି ଥିଲେ। ଏହି କାରଣରୁ ତାଙ୍କର ଏହି ଉପନାମ ବେଶ୍ ଚର୍ଚ୍ଚିତ ହୋଇଥିଲା।

ପ୍ରକୃତ କଥା ଏୟା ଯେ, ଆସିଫ୍ ଅଲୀ ଜର୍ଦ୍ଦାରୀ ନିଜ ଦେଶର ସ୍ୱାଧୀନତା ଦିବସ ଅବସରରେ ଭାରତକୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରୁଥିଲେ। ଏକ ଭାଇରାଲ ଭିଡିଓରେ ସେ କହିଥିଲେ, ଭାରତୀୟଙ୍କ ଚିନ୍ତାଧାରା ଭିନ୍ନ। ସେମାନଙ୍କ ମନରେ ନିଜର ଏକ ଏଜେଣ୍ଡା ଅଛି। ସେମାନେ ଅଖଣ୍ଡ ଭାରତରେ ବିଶ୍ୱାସ କରନ୍ତି। କିନ୍ତୁ ଏହି ମଧ୍ୟରେ ଅନେକ କିଛି ଏପରି ଅଛି ଯାହା ସେମାନେ ଭୁଲି ଯାଇଛନ୍ତି। ଆମେ ମୁସଲମାନ ଏବଂ ସେମାନେ ନୁହଁନ୍ତି। କିନ୍ତୁ ଆମର ଉଦ୍ଦେଶ୍ୟ ହେଉଛି ଆମେ ପାକିସ୍ତାନରେ ରହୁଥିବା ୩-୪ ପ୍ରତିଶତ ହିନ୍ଦୁ ଜନସଂଖ୍ୟାକୁ ସହ୍ୟ କରୁଛୁ। ସେମାନଙ୍କୁ ମଧ୍ୟ ସେତିକି ସ୍ୱାଧୀନତା ଓ ଅଧିକାର ମିଳିଛି, ଯାହା ଅନ୍ୟ ସ୍ଥାନରେ ଲୋକଙ୍କୁ ମିଳିଥାଏ। ସେମାନେ (ହିନ୍ଦୁମାନେ) ଭାରତୀୟଙ୍କ ସହ ରହିବା ଅପେକ୍ଷା ଆମ ସହ ରହିବାକୁ ଅଧିକ ପସନ୍ଦ କରିବେ।

Also Read-ଶର୍ମିଲା ଟାଗୋର ପିଲାଙ୍କୁ ହିନ୍ଦୁ ଧର୍ମ ଶିଖାଇ ନଥିଲେ! ସୈଫ ଅଲୀ ଖାନ୍‌ଙ୍କ ପରିବାର ଗୁମର କଥା କହିଦେଲେ ସବା ଅଲୀ ଖାନ