ନୂଆଦିଲ୍ଲୀ: ସାଉଦି ଆରବର ମଦିନା ଅଞ୍ଚଳରେ ବିପୁଳ ପରିମାଣର ୟୁରାନିୟମ୍ ଏବଂ ଦୁର୍ଲଭ ଧାତୁର ସନ୍ଧାନ ମିଳିଛି। ସାଉଦିର ଶକ୍ତି ମନ୍ତ୍ରୀ ବଦୁଲଅଜିଜ୍ ବିନ୍ ସଲମାନ୍ ଭିଏନାରେ ଆୟୋଜିତ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ମଦିନା ଅଞ୍ଚଳର ଜବଲ୍ ସାୟିଦ୍ ପ୍ରକଳ୍ପରେ ଭୂବୈଜ୍ଞାନିକଙ୍କ ସର୍ଭେ ପରେ ପ୍ରାୟ ୧୧୦ ନିୟୁତ (୧୧ କୋଟି) ଟନ୍ କଞ୍ଚାମାଲ ମିଳିଛି, ଯେଉଁଥିରେ ୟୁରାନିୟମ୍ ଏବଂ ଅତ୍ୟନ୍ତ ଦୁର୍ଲଭ ଧାତୁର ଉଚ୍ଚ ସାନ୍ଦ୍ରତା ରହିଛି।

'ଭିଜନ ୨୦୩୦' ଏବଂ ଶକ୍ତି ପରିବର୍ତ୍ତନ
ସାଉଦି ଆରବ ନିଜର ଆର୍ଥିକ ନିର୍ଭରଶୀଳତା କେବଳ ଅଶୋଧିତ ତୈଳ ଉପରେ ନରଖି ଖଣିଜ ସମ୍ପଦ ଓ ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ନିଜକୁ ସମୃଦ୍ଧ କରିବାକୁ 'ଭିଜନ ୨୦୩୦' ଅଧୀନରେ କାମ କରୁଛି। ଏହି ନୂତନ ସନ୍ଧାନ ଦେଶର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବ। ଏହି ଆବିଷ୍କାର ଏପରି ଏକ ସମୟରେ ହୋଇଛି, ଯେତେବେଳେ ସାଉଦି ଆରବ ବେସାମରିକ ପରମାଣୁ କାର୍ଯ୍ୟକ୍ରମ ପାଇଁ ଆମେରିକା ସହ ଚୁକ୍ତିବଦ୍ଧ ହୋଇଛି। 

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଇରାନର ପରମାଣୁ ପ୍ରତିଯୋଗିତା ମଧ୍ୟରେ ସାଉଦି ଆରବର ଏହି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ୟୁରାନିୟମ୍ ଖନନ ବ୍ୟତୀତ ସାଉଦି ଆରବ ନିଜର ଫସଫେଟ୍ ସାର ଶିଳ୍ପରୁ ମଧ୍ୟ ୟୁରାନିୟମ୍ ପୃଥକ କରିବା ପାଇଁ ଫ୍ରାନ୍ସର ଓରା ନୋ (Orano) କମ୍ପାନୀ ସହ ମିଶି ପରୀକ୍ଷାମୂଳକ କାର୍ଯ୍ୟ ଜାରି ରଖିଛି।