ବ୍ରହ୍ମପୁର: ବୋମାମାଡ଼ରେ ଥରିଲା ଅଞ୍ଚଳ। ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ବାଉରୀ ସାହିରେ ହୋଇଛି ଏହି ବୋମାମାଡ଼। ୫ଟି ବାଇକରେ କିଛି ଦୁର୍ବୃତ୍ତ ଆସି ବୋମାମାଡ଼ କରିଛନ୍ତି । ତେବେ ବୋମାମାଡ଼ କରିଥିବା ଦୁଇ ଯୁବକଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣକୁ ଉଦ୍ଧାର ପାଇଁ ଉଦ୍ୟମ କରୁଥିବା ବେଳେ, ଏବେବି ଘଟଣାସ୍ଥଳରେ ଚାପା ଉତ୍ତେଜନା ରହିଛି।

ସୂଚନା ଅନୁସାରେ, ସୋମବାର ଅପରାହ୍ଣରେ ବାଉରୀ ସାହିର ଜଣେ ଯୁବକଙ୍କୁ କିଛି ଦୁବୃର୍ତ୍ତ କୁକୁଡ଼ା ଖଣ୍ଡି ମୁଖ୍ୟ ରାସ୍ତାରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ ଯୁବକ ଜଣଙ୍କ ସାମାନ୍ୟ ଆହତ ହୋଇଥିଲେ। ଏହାକୁ ନେଇ ବାଉରୀ ସାହିରେ ଉତ୍ତେଜନା ଚାଲିଥିବା ବେଳେ, ପୁଣି ଥରେ ଦୁବୃର୍ତ୍ତମାନେ ୫ଟି ବାଇକରେ ଆସି ସାହି ଭିତରେ ୪ଟି ବୋମାମାଡ଼ କରି ଆତଙ୍କ ଖେଳାଇବାକୁ ଚେଷ୍ଟା କରିଥିଲେ।

Also Read: ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ : ସଂଘବଦ୍ଧ ଆକ୍ରମଣରେ ଯୁବକ ରକ୍ତାକ୍ତ, ଆକ୍ରମଣକାରୀ ଫେରାର

ହେଲେ ବୋମାମାଡ଼ କରି ବାଇକ୍ ଦ୍ରୁତ ଗତିରେ ଚଳାଇ ଫେରାର ହେବା ବେଳେ ଗାଁ ଲୋକେ ପଥର ମାଡ଼ କରିଥିଲେ। ଫଳରେ ଏଥିରେ ଦୁଇ ଜଣ ଆହତ ହୋଇ ପଡ଼ିଯିବାରୁ ସେମାନଙ୍କୁ ବାନ୍ଧି ରଖିଛନ୍ତି ଗାଁ ଲୋକ। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିବା ସହ ଉଭୟ ଅଭିଯୁକ୍ତକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି।