ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ବଜାରରେ ଖାଦ୍ୟପେୟ ସାମଗ୍ରୀ ସହିତ ଇନ୍ଧନ ଏବଂ ବିଦ୍ୟୁତ ମୂଲ୍ୟ ବୃଦ୍ଧି ପାଇବା ଯୋଗୁ ଅଗଷ୍ଟ ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି (Wholesale Inflation) ବୃଦ୍ଧି ପାଇ ୯.୯୨ ପ୍ରତିଶତରେ ପହଞ୍ଚିଛି। ଏହି ବୃଦ୍ଧି ଗତ ୮ ମାସ ମଧ୍ୟରେ ଏହା ହେଉଛି ସବୁଠାରୁ ସର୍ବୋଚ୍ଚ ସ୍ତର। ପୂର୍ବରୁ ଜୁଲାଇ ମାସରେ ଏହି ଦର ୯.୭୮ ପ୍ରତିଶତ ରହିଥିଲା। ସୋମବାର ସରକାରଙ୍କ ପକ୍ଷରୁ ଜାରି ସରକାରୀ ରିପୋର୍ଟରେ ଏହା ପ୍ରକାଶ କରାଯାଇଛି।

ସରଳ ଭାଷାରେ କହିବାକୁ ଗଲେ, ଗତ ବର୍ଷ ଅଗଷ୍ଟ ମାସରେ ପାଇକାରୀ ବଜାରରେ ଯେଉଁ ଜିନିଷର ମୂଲ୍ୟ ୧୦୦ ଟଙ୍କା ଥିଲା, ତାହା ବର୍ତ୍ତମାନ ବୃଦ୍ଧି ପାଇ ପ୍ରାୟ ୧୦୯.୯୨ ଟଙ୍କାରେ ପହଞ୍ଚିଛି। ତେବେ ଖାଉଟିଙ୍କ ପକେଟ ଉପରେ ସବୁଠାରୁ ବଡ଼ ପ୍ରଭାବ ରୋଷେଇ ଘରୁ ହିଁ ପଡ଼ିଛି।

ପାଇକାରୀ ମୁଦ୍ରାସ୍ଫୀତି ଦୀର୍ଘ ସମୟ ଧରି ଉଚ୍ଚ ସ୍ତରରେ ରହିଲେ ଏହାର ସିଧାସଳଖ ପ୍ରଭାବ ଉତ୍ପାଦନ କ୍ଷେତ୍ର ଉପରେ ପଡ଼ିଥାଏ। ପାଇକାରୀ ବଜାରରେ କମ୍ପାନୀଗୁଡ଼ିକୁ ଅଧିକ ଟଙ୍କା ଦେବାକୁ ପଡ଼ିଲେ, ସେମାନେ ପରବର୍ତ୍ତୀ ସମୟରେ ଏହାର ବୋଝ ସାଧାରଣ ଗ୍ରାହକ ବା ଖାଉଟିଙ୍କ ଉପରେ ପକାଇଥାନ୍ତି। ଫଳରେ ଆଗାମୀ ଦିନରେ ଖୁଚୁରା ବଜାରରେ ମଧ୍ୟ ଜିନିଷପତ୍ରର ଦର ବଢ଼ିବାର ଆଶଙ୍କା ରହିଛି।

Also Read: ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇବ ଭାରତ... ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଦାବି

ସୂଚନାଯୋଗ୍ୟ ଯେ, ଭାରତରେ ଦୁଇ ପ୍ରକାରର ମୁଦ୍ରାସ୍ଫୀତି ଆକଳନ କରାଯାଏ। ଗୋଟିଏ ହେଉଛି ଖୁଚୁରା ବଜାର ଦର ଯାହାକୁ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (CPI) କୁହାଯାଏ ଏବଂ ଅନ୍ୟଟି ହେଉଛି ହୋଲସେଲ ପ୍ରାଇସ ଇଣ୍ଡେକ୍ସ (WPI) ଯାହା ବ୍ୟବସାୟୀଙ୍କ ମଧ୍ୟରେ ହେଉଥିବା କାରବାର ମୂଲ୍ୟ ଉପରେ ଆଧାରିତ ହୋଇଥାଏ।