ନୂଆଦିଲ୍ଲୀ: ପାଇକାରୀ ପରେ ଏବେ ଆସିଛି ଅଗଷ୍ଟ ମାସର ଖୁଚୁରା ମୁଦ୍ରାସ୍ଫୀତି ହାର । ଦେଶରେ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି (Retail Inflation) ହାର ଅଗଷ୍ଟ ୨୦୨୬ ମାସରେ ବୃଦ୍ଧି ପାଇ ୪.୮୨ ପ୍ରତିଶତରେ ପହଞ୍ଚିଛି। ଏହା ପୂର୍ବରୁ ଜୁଲାଇ ମାସରେ ଏହି ଦର ୪.୪୫ ପ୍ରତିଶତ ରହିଥିଲା। ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI) ପକ୍ଷରୁ ସେପ୍ଟେମ୍ବର ୧୪ରେ ଏହି ସରକାରୀ ରିପୋର୍ଟ ପ୍ରକାଶ କରିଛି । ଆଉ ରିପୋର୍ଟରୁ ସ୍ପଷ୍ଟ ହେଛି ଯେ, ଏହି ଖୁଚୁରା ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କ ପକେଟ୍ ଉପରେ ପୁଣି ଥରେ ବଡ଼ ପ୍ରଭାବ ପକାଇଛି।

ରିପୋର୍ଟ ଅନୁସାରେ, ମହଙ୍ଗା ମାଡ଼ର ପ୍ରଭାବ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଉଭୟ ସ୍ଥାନରେ ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୪.୮୪ ପ୍ରତିଶତରୁ ବଢ଼ି ୫.୨୩ ପ୍ରତିଶତ ହୋଇଥିବା ବେଳେ ସହରାଞ୍ଚଳରେ ଏହା ୩.୯ ପ୍ରତିଶତରୁ ବୃଦ୍ଧି ପାଇ ୪.୩୧ ପ୍ରତିଶତରେ ପହଞ୍ଚିଛି।

ଓଡ଼ିଶା ସମେତ ଏହି ୫ ରାଜ୍ୟରେ ସବୁଠାରୁ ଅଧିକ ମହଙ୍ଗା ସ୍ଥିତି

ଦେଶର ୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ତେଲେଙ୍ଗାନାରେ ଖୁଚୁରା ମୁଦ୍ରାସ୍ଫୀତି ହାର ସବୁଠାରୁ ଅଧିକ ୬.୨୭ ପ୍ରତିଶତ ରେକର୍ଡ କରାଯାଇଛି। ଏହି ତାଲିକାରେ ଓଡ଼ିଶା ମଧ୍ୟ ପଛରେ ନାହିଁ। ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ଗତ ମାସରେ ୫.୫୨% ଥିଲା। ସେହିଭଳି ତାମିଲନାଡୁରେ ୫.୯୨%, ମଧ୍ୟପ୍ରଦେଶ ୫.୫୫%, ଆନ୍ଧ୍ରପ୍ରଦେଶ ୫.୫୩% ରହିଛି।

ରୋଷେଇ ଘରର ବଜେଟ ବିଗାଡ଼ିଲା ଖାଦ୍ୟ ସାମଗ୍ରୀ

ସେହିଭଳି ଖାଦ୍ୟ ସାମଗ୍ରୀ ଦାମ୍ ମଧ୍ୟ ବୃଦ୍ଧି ହୋଇଛି। CFPI ଅନୁସାରେ, ଖାଦ୍ୟ ସାମଗ୍ରୀ ଦାମ୍ ଜୁଲାଇର ୫.୫୨ ପ୍ରତିଶତ ତୁଳନାରେ ଅଗଷ୍ଟରେ ବୃଦ୍ଧି ପାଇ ୫.୯୫ ପ୍ରତିଶତ ହୋଇଛି। ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୬.୧୩ ପ୍ରତିଶତ ଏବଂ ସହରରେ ୫.୬୪ ପ୍ରତିଶତ ରହିଛି।

Also Read: ଦେଶରେ ବଢ଼ିଲା ହୋଲସେଲ ମୁଦ୍ରାସ୍ଫୀତି, ୮ ମାସର ସର୍ବୋଚ୍ଚ ସ୍ତରରେ ଖାଦ୍ୟ ଓ ଜାଳେଣି ଦର

କେଉଁ ସାମଗ୍ରୀ କେତେ ମହଙ୍ଗା/ଶସ୍ତା ହେଲା ?

ସବୁଠାରୁ ଅଧିକ ରୁପା ଅଳଙ୍କାରରେ ୧୦୭.୧୧ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ସେହିଭଳି ସୁନା, ହୀରା ଏବଂ ପ୍ଲାଟିନମ୍ ଗହଣା ପ୍ରାୟ ୩୫.୫୩ ପ୍ରତିଶତ ମହଙ୍ଗା ହୋଇଛି। ଏହା ପରେ ପନିପରିବା ଯେପରିକି, ଅଦା ୭୩.୮୨%, ପିଆଜ ୪୮.୨୭% ଏବଂ ରସୁଣ ମୂଲ୍ୟରେ ୪୩.୬୦% ବୃଦ୍ଧି ଘଟିଛି। ଅନ୍ୟପଟେ ଟମାଟୋ ଦର ପ୍ରାୟ ୩୧.୦୯ ପ୍ରତିଶତ ଏବଂ ଆଳୁ ଦର ୧୩.୧୪ ପ୍ରତିଶତ ହ୍ରାସ ପାଇଛି।