ଭୁବନେଶ୍ୱର: ବର୍ତ୍ତମାନର କମ୍ପିଟିସନ ଯୁଗରେ ସବୁ ଅଧିକ ରୋଜଗାର କରିବା ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ଦୌଡ଼ରେ ମାତିଛନ୍ତି। ଆଉ କିଛି ବେହିସାବୀ ଖର୍ଚ୍ଚରେ ଭୁଲିଯାଉଛନ୍ତି ଭବିଷ୍ୟତ। ଏହି ଅଣନିଃସ୍ୱାସୀ ଧାଁ ଧଉଡ଼ ଭିତରେ ବାର୍ଦ୍ଧକ୍ୟର ସୁରକ୍ଷା କଥା କେବେ ଭାବିଛନ୍ତି ? ଯଦି ସେତେବେଳେ ଚାକିରି ନଥିବ ତେବେ କଣ କରିବେ ? ଏଥିପାଇଁ ଭାରତ ସରକାର ଅଟଳ ପେନସନ ଯୋଜନା ନାମକ ଏକ ଯୋଜନା କରିଛନ୍ତି ଯାହା ଆପଣଙ୍କୁ ଆପଣଙ୍କ ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସୁରକ୍ଷା ଦେବ। ହେଲେ ଏଥିପାଇଁ ଏବେ ଠାରୁ ହିଁ ସତର୍କ ହେବାକୁ ପଡ଼ିବ।

ଅଟଳ ପେନସନ ଯୋଜନା ମାଧ୍ୟମରେ ଆପଣ ନିଜର ଏକ ପେନସନ ବ୍ୟବସ୍ଥା କରିପାରିବେ। ଅଟଳ ପେନସନ ଯୋଜନା ଅଧୀନରେ, ୬୦ ବର୍ଷ ବୟସରେ ପହଞ୍ଚିବା ପରେ ଆପଣ ମାସିକ ₹୧୦୦୦ ରୁ ₹୫୦୦୦ ପର୍ଯ୍ୟନ୍ତ ପେନସନ ପାଇପାରିବେ। ଆସନ୍ତୁ ଏହି ଯୋଜନା ବିଷୟରେ ଜାଣିବା

୨୦ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡ଼ିବ ନିବେଶ

ଅଟଳ ପେନସନ ଯୋଜନାରେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ଏଥିରେ ନିବେଶ କରିପାରିବେ। ଯେଉଁ ବ୍ୟକ୍ତି ୪୦ ବର୍ଷ ବୟସରେ ଏହି ଯୋଜନାରେ ଯୋଗ ଦିଅନ୍ତି, ତାଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ନିବେଶ କରିବାକୁ ପଡ଼ିବ। ଅର୍ଥାତ୍ ସର୍ବନିମ୍ନ ୨୦ ବର୍ଷ ନିବେଶ କରିବାର ସୁଯୋଗ ରହିଥାଏ।

କେତେ ଟଙ୍କା ଜମା କଲେ କେତେ ପେନସନ?

ଅବସର ପରେ ଆପଣ କେତେ ଟଙ୍କା ପେନସନ ଚାହୁଁଛନ୍ତି, ସେହି ଅନୁସାରେ ଆପଣଙ୍କ ମାସିକ ଯୋଗଦାନ ନିର୍ଦ୍ଧାରିତ ହୁଏ। ୧୮ ବର୍ଷ ବୟସରେ ଯୋଜନାରେ ଯୋଗ ଦେଲେ ୧,୦୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ ପାଇଁ ପ୍ରାୟ ୪୨ ଟଙ୍କାରୁ ୨୧୦ ଟଙ୍କା ପର୍ଯ୍ୟନ୍ତ ମାସିକ ଯୋଗଦାନ କରିବାକୁ ପଡ଼େ। ସେହିପରି ୪୦ ବର୍ଷ ବୟସରେ ଯୋଜନାରେ ସାମିଲ ହେଲେ ମାସିକ ଯୋଗଦାନ ପ୍ରାୟ ୨୯୧ ଟଙ୍କାରୁ ୧,୪୫୪ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଯେତେ ଅଧିକ ଯୋଗଦାନ କରିବେ, ଅବସର ପରେ ସେହି ଅନୁସାରେ ପେନସନ ମିଳିବ।

ମାସିକ, ତ୍ରୈମାସିକ କିମ୍ବା ୬ ମାସରେ ଦେଇପାରିବେ କିସ୍ତି

ଏହି ଯୋଜନାରେ ନିବେଶକମାନେ ନିଜ ସୁବିଧା ଅନୁସାରେ ମାସିକ, ତ୍ରୈମାସିକ କିମ୍ବା ଅର୍ଦ୍ଧବାର୍ଷିକ ଭାବେ ଯୋଗଦାନ କରିପାରିବେ। ନିର୍ଦ୍ଧାରିତ ରାଶି ବ୍ୟାଙ୍କ ଆକାଉଣ୍ଟରୁ ଅଟୋ-ଡେବିଟ୍ ମାଧ୍ୟମରେ କଟିଯାଇ ପେନସନ ଆକାଉଣ୍ଟରେ ଜମା ହୋଇଥାଏ।

ମୃତ୍ୟୁ ପରେ ଜୀବନସାଥୀଙ୍କୁ ମିଳିବ ପେନସନ

ଅଟଳ ପେନସନ ଯୋଜନାର ଆଉ ଏକ ବିଶେଷତା ହେଉଛି ଏହାର ପରିବାରିକ ସୁରକ୍ଷା ବ୍ୟବସ୍ଥା। ସବ୍ସକ୍ରାଇବରଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥୀଙ୍କୁ ସମାନ ପେନସନ ମିଳିବ। ସବ୍ସକ୍ରାଇବର ଏବଂ ତାଙ୍କ ଜୀବନସାଥୀ ଉଭୟଙ୍କ ମୃତ୍ୟୁ ପରେ ନିୟମ ଅନୁସାରେ ନୋମିନୀଙ୍କୁ ଜମା ରାଶି ଫେରସ୍ତ କରାଯାଏ।

ଯଦି ସବ୍ସକ୍ରାଇବରଙ୍କ ମୃତ୍ୟୁ ୬୦ ବର୍ଷ ପୂର୍ବରୁ ହୋଇଯାଏ, ତେବେ ତାଙ୍କ ଜୀବନସାଥୀ ଅଟଳ ଆକାଉଣ୍ଟରେ ଯୋଗଦାନ ଜାରି ରଖିପାରିବେ। ସେ କ୍ଷେତ୍ରରେ ନିର୍ଦ୍ଧାରିତ ନିୟମ ଅନୁସାରେ ଜୀବନସାଥୀଙ୍କୁ ସମାନ ପେନସନ ମିଳିବ। ଚାହିଁଲେ ଜୀବନସାଥୀ ଯୋଜନା ଜାରି ନରଖି ଜମା ରାଶି ଫେରସ୍ତ ନେଇପାରିବେ।

ଇନକମ୍ ଟ୍ୟାକ୍ସ ଦେଉଥିଲେ ଖୋଲିପାରିବେନି ଅଟଳ ପେନସନ ଯୋଜନା ଖାତା

ଅଟଳ ପେନସନ ଯୋଜନାରେ ଇନକମ୍ ଟ୍ୟାକ୍ସ ଦେଉଥିବା ବ୍ୟକ୍ତିଙ୍କ ପାଇଁ ନିୟମ ରହିଛି। ୧ ଅକ୍ଟୋବର ୨୦୨୨ଠାରୁ ଇନକମ୍ ଟ୍ୟାକ୍ସପେୟରମାନେ ନୂଆ କରି ଅଟଳ ପେନସନ ଆକାଉଣ୍ଟ ଖୋଲିପାରିବେ ନାହିଁ।

କେଉଁଠି ଖୋଲିବେ ଅଟଳ ପେନସନ ଆକାଉଣ୍ଟ?

ଅଟଳ ପେନସନ ଯୋଜନାରେ ଆକାଉଣ୍ଟ ଖୋଲିବା ପାଇଁ ନିଜ ବ୍ୟାଙ୍କ ଶାଖାକୁ ଯାଇପାରିବେ। ଅନେକ ବ୍ୟାଙ୍କ ଅନଲାଇନରେ ମଧ୍ୟ ଅଟଳ ପେସନ ଆକାଉଣ୍ଟ ଖୋଲିବାର ସୁବିଧା ଦେଉଛନ୍ତି। ଏହାବ୍ୟତୀତ ଡାକଘର ମାଧ୍ୟମରେ ମଧ୍ୟ ଏହି ଯୋଜନାରେ ନିବେଶ କରିହେବ।

ଅଟଳନ ପେନସନ ଯୋଜନାକୁ ନେଇ ୫ଟି ଜରୁରୀ ପ୍ରଶ୍ନ ଓ ଉତ୍ତର

ପ୍ରଶ୍ନ ୧: ସେଭିଂସ୍ ଆକାଉଣ୍ଟ ବିନା ଅଟଳ ଆକାଉଣ୍ଟ ଖୋଲିପାରିବେ କି?
ଉତ୍ତର: ନା। ଅଟଳ ପେନସନ ଯୋଜନା ପାଇଁ ଏକ ସେଭିଂସ୍ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ।
ପ୍ରଶ୍ନ ୨: ମାସିକ ଯୋଗଦାନର ତାରିଖ କିପରି ନିର୍ଦ୍ଧାରିତ ହୁଏ?
ଉତ୍ତର: ପ୍ରଥମ ଥର ଯେଉଁ ତାରିଖରେ ଯୋଗଦାନ କରାଯାଏ, ସେହି ଆଧାରରେ ପରବର୍ତ୍ତୀ ଯୋଗଦାନର ତାରିଖ ନିର୍ଦ୍ଧାରିତ ହୁଏ।
ପ୍ରଶ୍ନ ୩: ନୋମିନୀ ରଖିବା ଜରୁରୀ କି?
ଉତ୍ତର: ହଁ । ଏପିୱାଇ ଆକାଉଣ୍ଟରେ ନୋମିନୀ ରଖିବା ଆବଶ୍ୟକ।
ପ୍ରଶ୍ନ ୪: ଜଣେ ବ୍ୟକ୍ତି କେତୋଟି ଅଟଳ ଆକାଉଣ୍ଟ ଖୋଲିପାରିବେ?
ଉତ୍ତର: ଜଣେ ବ୍ୟକ୍ତି କେବଳ ଗୋଟିଏ ଅଟଳ ଆକାଉଣ୍ଟ ଖୋଲିପାରିବେ।
ପ୍ରଶ୍ନ ୫: ଯୋଗଦାନ ତାରିଖରେ ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ନଥିଲେ କ’ଣ ହେବ?
ଉତ୍ତର: ନିର୍ଦ୍ଧାରିତ ଯୋଗଦାନ ରାଶି କଟିପାରିନଥିଲେ ନିୟମ ଅନୁସାରେ ଜରିମାନା କିମ୍ବା ବିଳମ୍ବ ଶୁଳ୍କ ଲାଗିପାରେ।

ଅର୍ଥାତ୍, ଅଳ୍ପ ବୟସରୁ ନିୟମିତ ଭାବେ ଛୋଟ ରାଶି ଜମା କରି ଅବସର ପରେ ନିର୍ଦ୍ଧାରିତ ମାସିକ ପେନସନ ପାଇବାର ଏକ ସୁଯୋଗ ଦେଇଥାଏ ଅଟଳ ପେନସନ ଯୋଜନା। ତେବେ ନିବେଶ କରିବା ପୂର୍ବରୁ ବର୍ତ୍ତମାନର ସରକାରୀ ନିୟମ ଓ ଯୋଗଦାନ ରାଶି ନିଶ୍ଚିତ ଭାବେ ଯାଞ୍ଚ କରିବା ଜରୁରୀ।